ବାଲେଶ୍ୱର : ଅଧାପନ୍ତରିଆ ଅବସ୍ଥାରେ ଘାଗରା ନଦୀ ବଡ଼ ପୋଲ; ଶିଳାନ୍ୟାସକୁ ବିତିଲା ୪ ବର୍ଷ, ହୋଇପାରୁନି ସଂଯୋଗ
ନୀଳଗିରି : ବାଲେଶ୍ୱର ଜିଲା ସେରଗଡ଼, ନୀଳଗିରି, ଝରଣଘାଟି ୧୯ ନଂ. ରାଜ୍ୟ ରାଜପଥରେ ଅବସ୍ଥିତ ଘାଗରା ନଦୀ ଉପରେ ନିର୍ମାଣାଧୀନ ବଡ଼ ପୋଲ ଏବେ ବିପଦ ସଙ୍କୁଳ ଅବସ୍ଥାରେ । ଶିଳାନ୍ୟାସକୁ ୪ ବର୍ଷ ବିତିଥିଲେ ମଧ୍ୟ ସଂଯୋଗ ହୋଇପାରୁନି ଏହି ପୋଲ । ଉକ୍ତ ରାଜ୍ୟ ରାଜପଥ ବାଲେଶ୍ୱର ଜିଲାରୁ ମୟୂରଭଞ୍ଜକୁ ସଂଯୋଗ କରୁଥିବା ବେଳେ ରାସ୍ତାଟି ପୂର୍ତ୍ତ ବିଭାଗ ଅଧୀନରେ ରହିଛି । ଏପରିକି ଦୈନନ୍ଦିନ ହଜାର ହଜାର ଯାନବାହନ ସମେତ ଆମ୍ବୁଲାନ୍ସ, ସ୍କୁଲ ଗାଡ଼ି ଓ ପଥଚାରୀମାନେ ଯାଇଥାନ୍ତି । ବର୍ଷା ଋତୁରେ ଏହି ପୁରୁଣା ପୋଲର ଉପରେ ପାଣି ନିଷ୍କାସନ ପାଇଁ ସୁବିଧା ନଥିବାରୁ ବାରିକେଡ୍ ଖସିପଡ଼ିଲାଣି । ପୁରୁଣା ପୋଲର ଅବସ୍ଥା ଦିନକୁ ଦିନକୁ ବିପଦମୁଖକୁ ଯାଉଥିବା ବେଳେ ବିପଦଜନକ ଭାବେ ସମସ୍ତେ ଯାତାୟାତ କରୁଛନ୍ତି । ଏକ ବଡ଼ ଧରଣର ଅଘଟଣ ଘଟିବା ପୂର୍ବରୁ ଜରୁରୀକାଳୀନ ପରିସ୍ଥିତିରେ ପ୍ରଶାସନ ହସ୍ତକ୍ଷେପ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।
ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ପକ୍ଷରୁ ଘାଗରା ନଦୀ ଉପରେ ବଡ଼ ପୋଲ ନିର୍ମାଣ ପାଇଁ ଗତ ୨୦୧୯ରେ ୩ କୋଟି ଟଙ୍କା ମଞ୍ଜୁର କରାଯାଇଥିଲା । ନୀଳଗିରି ବିଧାୟକ ଇଂ. ସୁକାନ୍ତ କୁମାର ନାୟକ ପୋଲର ଶିଳାନ୍ୟାସ କରିଥିଲେ । ଶିଳାନ୍ୟାସଙ୍କୁ ଇତିମଧ୍ୟରେ ୪ ବର୍ଷ ବିତିଲେ ମଧ୍ୟ ସଂଯୋଗ ହୋଇପାରୁନି ପୋଲ । ଆଗାମୀ ଦିନରେ କୌଣସି ଅଘଟଣ ଘଟିଲେ ଦାୟିତ୍ୱରେ ଥିବା ପୂର୍ତ୍ତ ବିଭାଗ ଦାୟୀ ରହିବେ ବୋଲି ସାଧାରଣରେ ଆଲୋଚନା ହେଉଛି ।
ଏ ସମ୍ପର୍କରେ ପୂର୍ତ୍ତ ବିଭାଗର ଯନ୍ତ୍ରୀ ଲକ୍ଷଣ ସିଂଙ୍କ ମତାମତ ନେବାରୁ ସେ କହିଥିଲେ ଯେ, ଘାଗରା ପୋଲକୁ ସଂଯୋଗ କରୁଥିବା ରାସ୍ତାରେ କିଛି ଘରୋଇ ଜମିର ଅଧିଗ୍ରହଣ ସମାଧାନ ହୋଇଥିବା ବେଳେ ଉକ୍ତ ରାସ୍ତା ମଝିରେ କିଛି ବଡ଼ ବଡ଼ ଗଛ ରହିଛି । ବନବିଭାଗ ଉକ୍ତ ଗଛ ଗୁଡ଼ିକ ଇଏସ୍ଜେଡ୍ ଜୋନ୍ରେ ଯାଉଛି ବୋଲି କହି ଗଛ ଗୁଡ଼ିକୁ କାଟିବାକୁ ପରିମିସନ ଦେଉନ ଥିବାରୁ ବିଳମ୍ବ ହେଉଥିବାର କହିଛନ୍ତି ।