ବାଲେଶ୍ୱର : ଫକୀରମୋହନ ବିଶ୍ୱବିଦ୍ୟାଳୟ ସମାଜ ସେବା ବିଭାଗ ତରଫରୁ ‘ଗ୍ରାମୀଣ ଶିବିର’ ଅନୁଷ୍ଠିତ
ବାଲେଶ୍ୱର : ବାଲେଶ୍ୱର ଜିଲା ରେମୁଣା ବ୍ଲକ ନୂଆପାଢ଼ୀ ସ୍ଥିତ ଫକୀରମୋହନ ବିଶ୍ୱବିଦ୍ୟାଳୟର ସମାଜ ସେବା ବିଭାଗ ତରଫରୁ ଅନ୍ତୋର୍ଦୟ ଚେତନା ମଣ୍ଡଳ, ଲାବଣ୍ୟଦେଇପୁର ସଦସ୍ୟଙ୍କ ସହଯୋଗରେ ଶରତ ଗ୍ରାମ ଠାରେ ଏକ ଦଶଦିନିଆ ଗ୍ରାମୀଣ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନ ଓ ଅନୁମୋଦନରେ ଏହି ଅଭିନବ ପ୍ରୟାସର ଆୟୋଜନ କରାଯାଇପାରିଛି ।
ଉଦ୍ଘାଟନୀ ଅବସରରେ ସମ୍ପୃକ୍ତ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ରଶ୍ମିରେଖା ରାଉତଙ୍କ ଅଧ୍ୟକ୍ଷତାରେ ଡ. ଭଗବାନ ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗଦେଇ ସମାଜ ପ୍ରତି ଛାତ୍ରୀଛାତ୍ରଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏଥିସହ ମୁଖ୍ୟ ଅତିଥି ଭାବେ ତୁରାମ ସିଂ ଓ ସମ୍ମାନୀତ ଅତିଥି ଭାବେ ପିତାମ୍ବର ସାହୁ ଯୋଗଦେଇ ଶିବିରରେ ଅଂଶଗ୍ରହଣ କରିଥିବା ଛାତ୍ରୀଛାତ୍ରଙ୍କୁ ଉଦ୍ବୋଧନ ଦେଇ ସ୍ୱାଗତ କରିଥିଲେ । ସମାଜ ସେବାର ପ୍ରକୃତ ଅର୍ଥ ଓ ସାଧାରଣ ଲୋକଙ୍କ ସହ ଯୋଗାଯୋଗ ସ୍ଥାପନ କରି ଜନମଙ୍ଗଳ କାର୍ଯ୍ୟ ସହ ସଚେତନତା କାର୍ଯ୍ୟକ୍ରମ କରିବାକୁ ଉତ୍ସାହିତ କରିଥିଲେ । ଏହି ଅବସରରେ ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ଅନେକ ସାମାଜିକ ସମସ୍ୟାକୁ ନେଇ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା । ମେଲେରିଆ ନିରାକରଣ, ଅନ୍ଧବିଶ୍ୱାସ, ଗୁଣିଗାରେଡ଼ି, ନିଶା ନିବାରଣ ଇତ୍ୟାଦି ବିଷୟରେ ଆଧାରିତ ନାଟକ ବହୁ ଗ୍ରାମବାସୀଙ୍କ ଉପସ୍ଥିତିରେ ପରିବେଷଣ କରି ସେମାନଙ୍କୁ ସଚେତନତାର ବାର୍ତ୍ତା ଦେବାରେ ସଫଳ ହୋଇଥିଲେ । ବିଶ୍ୱବିଦ୍ୟାଳୟ ଓ ଛାତ୍ରୀଛାତ୍ରମାନଙ୍କ ଏହି ପ୍ରୟାସକୁ ଗ୍ରାମବାସୀମାନେ ପ୍ରଶଂସା ବ୍ୟକ୍ତ କରିଛନ୍ତି । ୨୦ରୁ ଅଧିକ ଛାତ୍ରୀଛାତ୍ର ଶିବିରରେ ଯୋଗଦେଇଥିଲେ । ଆସିଷ୍ଟାଣ୍ଟ ପ୍ରଫେସର ସୁପ୍ରିୟା ରାଉତ କାର୍ଯ୍ୟକ୍ରମକୁ ସଂଯୋଜନା ଓ ବିଭାଗର ଦ୍ୱିତୀୟବର୍ଷର ଛାତ୍ର ସନ୍ତୋଷ ବେହେରା କାର୍ଯ୍ୟକ୍ରମ ସମ୍ପାଦନ କରିଥିଲେ । ଶେଷରେ ସ୍ଳୋଗାନ ବାରିକ ଧନ୍ୟବାଦ ପ୍ରଦାନ ଦେଇଥିଲେ ।