ବାଲେଶ୍ୱର ଜିଲା ଭଲିବଲ ପ୍ରତିଯୋଗୀତା ଉଦ୍ଘାଟିତ; ଭାଗ ନେଲେ ୨୦ ଦଳ
ବାଲେଶ୍ୱର : ବାଲେଶ୍ୱର ଜିଲା କ୍ରୀଡ଼ା ସଂଘ ପକ୍ଷରୁ ଜିଲାସ୍ତରୀୟ ଭଲିଭଲ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ପରମିଟ ପଡ଼ିଆରେ ଉଦଘାଟିତ ହୋଇଯାଇଛି । ଜିଲା କ୍ରୀଡ଼ା ସଂଘର କାର୍ଯ୍ୟକାରୀ ସଭାପତି ଅଧିପ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିବା ସହିତ ସମସ୍ତ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ବାଲେଶ୍ୱର ଜିଲା ଭଳିବଲ ଖେଳରେ ସମଗ୍ର ରାଜ୍ୟରେ ସର୍ବଦା ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଆସିଥିବା ବେଳେ ଆଗାମୀ ଦିନରେ ମଧ୍ୟ ଏହି ଧାରା ଜାରି ରହିବ ବୋଲି ସେ ଆଶା ପ୍ରକାଶ କରିଥିଲେ । କ୍ରୀଡ଼ା ସଂଘର ସାଧାରଣ ସମ୍ପାଦକ ଅଭୟ ମହାପାତ୍ର ଉପସ୍ଥିତ ରହି ଜିଲାସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟର ଆଭିମୁଖ୍ୟ ଓ ରୂପରେଖ ସମ୍ପର୍କରେ ଆଲୋଚନା କରିଥିଲେ । ଜିଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଭଲିବଲ ଟିମ୍ଙ୍କ ମଧ୍ୟରେ ପ୍ରତିଯୋଗିତାରୁ ଜିଲା ଟିମ୍ ପାଇଁ ଖେଳାଳି ଚୟନ ହେବ ବୋଲି ସୂଚନା ଦେଇଥିଲେ । ଖେଳୁଆଡ ମନୋଭାବ ନେଇ ପ୍ରତ୍ୟେକ ଖେଳାଳି ନିଜର ପାରଦର୍ଶିତା ପ୍ରଦର୍ଶନ ସହ ଚୟନକର୍ତାଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଶ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ । ଜିଲା କ୍ରୀଡା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା, ବିରେନ୍ଦ୍ର ସ୍ୱାଇଁ, ସଞ୍ଜୟ ଲେଙ୍କା, କାର୍ତ୍ତିକ ଚନ୍ଦ୍ର ନାୟକ, ଅମର ମହାନ୍ତି, ସୁଜୟ କୁମାର ଆଚାର୍ଯ୍ୟ, ପ୍ରଦୀପ କୁମାର ଦାସ, ନିମାଇ ଚରଣ ରାଉତରାୟ, ସାଦିକ୍ ଅଲ୍ଲୀ ଖାଁ, ଜନ୍ମେଜୟ ଦେ, ବିଷ୍ଣୁ ପ୍ରସାଦ ମହାନ୍ତି, ଚିତରଞ୍ଜନ ପାଶା, ଗୋପାଳ ସେଠୀ ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ । କ୍ରୀଡା ସଂଘର ଯୁଗ୍ମ ସମ୍ପାଦକ ଜଗଦୀଶ ବେହେରା ଉଦ୍ଘାଟନୀ ଉତ୍ସବ ପରିଚାଳନା କରିଥିଲେ ।
ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଜିଲାର ବିଭିନ୍ନ ଅଞ୍ଚଳରୁ ୨୦ଗୋଟି ଟିମ୍ ଅଂଶଗ୍ରହଣ କରିଛନ୍ତି । ଏଥିରେ କେତେକ ମ୍ୟାଚ ଫ୍ଲଡ ଲାଇଟ୍ରେ ଖେଳାଯିବ ବୋଲି ସଂଘ ପକ୍ଷରି ସୂଚନା ଦିଆଯାଇଛି । ହିମାଦ୍ରୀ ମଣ୍ଡଳ, ସୁଜୟ ଆଚାର୍ଯ୍ୟ, ଅବିନାଶ ଜେନା ଓ କମଳାକାନ୍ତ ବେହେରା ଏଥିରେ ରେଫେରୀ ଭାବେ ଖେଳ ପରିଚାଳନା କରୁଛନ୍ତି । ଏଥିରେ ଚୟନ ହେବାକୁ ଥିବା ଖେଳାଳି ଆସନ୍ତା ସିନିଅର ବର୍ଗ ରାଜ୍ୟସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବେ ବୋଲି କୁହାଯାଇଛି । ଏହି ଅବସରରେ ପ୍ରାକ୍ତନ ଭଳିବଲ ଖେଳାଳି ନିରଞ୍ଜନ ବେହେରା ଭଳିବଲ ଖେଳାଳିଙ୍କୁ ଉତ୍ସାହିତ କରିବା ପାଇଁ ପ୍ରତ୍ୟେକ ଟିମ୍କୁ ଗୋଟିଏ ଲେଖାଏଁ ଭଳିବଲ ସହ ପରିବେଶ ସୁରକ୍ଷା ସଚେତନତା ପାଇଁ ଗୋଟିଏ ଲେଖାଏଁ ଫଳଚାରା ପ୍ରଦାନ ନେଇ ଘୋଷଣା କରିଥିଲେ । ତାଙ୍କର ଏତାଦୃଶ ଉଦ୍ୟମକୁ କ୍ରୀଡ଼ା ସଂଘ ପକ୍ଷରୁ ଉଚ୍ଚ ପ୍ରଶଂସା କରାଯାଇଛି ।