ବାଲେଶ୍ୱର : ଜିଲାସ୍ତରୀୟ ଏସ୍ଆଇ୍ଓଏସ୍ ମେଗା ଶିବିର, ନାମ ଲେଖାଇଲେ ୧୦୦ରୁ ଉର୍ଦ୍ଧ୍ୱ ଛାତ୍ରୀଛାତ୍ର
ବାଲେଶ୍ୱର : ବାଲେଶ୍ୱର ଜିଲା ରେଡକ୍ରସ୍ ଭବନ ପରିସରରେ ଓଡ଼ିଶା ସରକାରଙ୍କର ସ୍ୱତନ୍ତ୍ର ପାଠ୍ୟକ୍ରମ ରାଜ୍ୟ ମୁକ୍ତ ବିଦ୍ୟାଳୟ ସମ୍ପର୍କିତ ଏକ ମେଗା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧାରୁ ପାଠ ପଢ଼ା ଛାଡ଼ିଥିବା, ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ଥିବା ଏବଂ ମାଟ୍ରିକ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଥିବା ପିଲାମାନଙ୍କୁ ପୁଣି ଥରେ ବିଦ୍ୟାଳୟକୁ ଫେରାଇ ଆଣି ମାଟ୍ରିକ ପରୀକ୍ଷା ଦେବାର ସୁଯୋଗ ସୃଷ୍ଟି କରାଯାଇଛି । ଜିଲାର ସମସ୍ତ ୧୨ଟି ବ୍ଲକରୁ ବହୁ ସଂଖ୍ୟକ ଛାତ୍ରୀଛାତ୍ର ଓ ଅଭିଭାବକ ଏହି ଶିବିରରେ ଯୋଗ ଦେଇଥିଲେ ।
କାର୍ଯ୍ୟକ୍ରମକୁ ଜିଲା ଶିକ୍ଷା ଅଧିକାରୀ ପ୍ରତିଭା ମଞ୍ଜରୀ ଦାସ ଉଦ୍ଘାଟନ କରି ଏସ୍ଆଇଓଏସ୍ର ଉପକାରିତା ସମ୍ବନ୍ଧରେ ଛାତ୍ରୀଛାତ୍ର ଓ ଅଭିଭାବକମାନଙ୍କ ସହ ଏକ ବିସ୍ତୃତ ଆଲୋଚନା କରିଥିଲେ । ଏହି ଅବସରରେ ପବ୍ଲିକ ହାଇସ୍କୁଲର ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା । ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ପ୍ରାଚୀ ତନୟା ଗିରି ସ୍ୱାଗତ ସମ୍ଭାଷଣ ପ୍ରଦାନ କରି ପିଲାମାନଙ୍କୁ ଏହି ପାଠ୍ୟକ୍ରମର ସୂଯୋଗ ନେବା ପାଇଁ ଆହ୍ୱାନ ଦେଇଥିଲେ । ଅତିଥି ଭାବେ ପବିତ୍ର ମୋହନ ବାରିକ ଓ ଧରଣୀଧର ପାତ୍ର ଯୋଗ ଦେଇ ପିଲାମାନଙ୍କୁ ରାଜ୍ୟ ମୁକ୍ତ ବିଦ୍ୟାଳୟ ମାଧ୍ୟମରେ ଶିକ୍ଷାଦାନର ଗୁରୁତ୍ୱ ବୁଝାଇଥିଲେ । ସଦର ବ୍ଲକ ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରକାଶ ଚନ୍ଦ୍ର ମହାଳିକ ପିଲାମାନଙ୍କୁ ଜୀବନରେ ଲକ୍ଷ୍ୟ ସ୍ଥିର କରି ସେହି ଦିଗରେ ଆଗେଇଯିବାକୁ ପରାମର୍ଶ ଦେଇଥିଲେ । ସ୍ୱତନ୍ତ୍ର ଆଡ଼ମିଶନ ଜରିଆରେ ମୋଟ ୧୦୦ ରୁ ଉର୍ଦ୍ଧ୍ୱ ଛାତ୍ରୀଛାତ୍ର ଏହି ପାଠ୍ୟକ୍ରମରେ ନାମ ଲେଖାଇଥିଲେ । ଶେଷରେ ଅତିଥି ମାନଙ୍କ ଦ୍ୱାରା ପିଲାମାନଙ୍କୁ ପ୍ରଚାର ପତ୍ରିକା ଓ ବିବରଣୀ ପୁସ୍ତିକା ବଣ୍ଟନ କରାଯାଇଥିଲା । ମୁଁ ପଢିବି, ବଢ଼ିବି ଓ ଶ୍ରେଷ୍ଠ ହେବି ଧ୍ୱନିରେ ସାରା ଶିବିର ପ୍ରକମ୍ପିତ ହୋଇ ଉଠିଥିଲା । ପବ୍ଲିକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ତଥା ଜିଲା ଏସ୍ଆଇଓଏସ ସଂଯୋଜକ ଜୟନ୍ତୀମଣି ସାହୁ ମଞ୍ଚ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ଶିବିରରେ ସମସ୍ତ ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀ, ଜିଲା ବିଜ୍ଞାନ ପରିଦର୍ଶକ ହରେନ୍ଦ୍ର ମହାନ୍ତ, ବ୍ଲକ ଏସ୍ଆଇଓଏସ୍ ସଂଯୋଜକ ଓ ବ୍ଲକ ବିଜ୍ଞାନ ସଂଯୋଜକ ମାନେ ଯୋଗ ଦେଇଥିଲେ । ସଦର ବ୍ଲକର ସମସ୍ତ ସିଆର୍ସିସି ଓ ପବ୍ଲିକ ସ୍କୁଲର ସମସ୍ତ ଶିକ୍ଷୟତ୍ରୀଶିକ୍ଷକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।