ବାଲେଶ୍ୱର ଜିଲା ଯୋଜନା କମିଟି ବୈଠକ ଅନୁଷ୍ଠିତ
ବାଲେଶ୍ୱର : ବାଲେଶ୍ୱର ଜିଲା ଯୋଜନା କମିଟି ବୈଠକ ବୁଧବାର ପୂର୍ବାହ୍ନ ୧୧ଟା ସମୟରେ ସ୍ଥାନୀୟ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲା ଯୋଜନା କମିଟି ଅଧ୍ୟକ୍ଷ ତଥା ଭୋଗରାଇ ବିଧାୟକ ଅନନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବାଲେଶ୍ୱର ଏମ୍ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ, ଡିଏଫ୍ଓ ଖୁଶୱନ୍ତ ସିଂ, ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଏବଂ ଅବକାରୀ ବିଭାଗ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ରଙ୍କ ପ୍ରତିନିଧି ମାନସ ଜେନା, ବାଲେଶ୍ୱର ବିଧାୟକ ସ୍ୱରୂପ କୁମାର ଦାସ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ଜିଲା ପରିଷଦ ସଭାପତି ନାରାୟଣ ପ୍ରଧାନ, ଜିଲା ପରିଷଦ ନିର୍ବାହୀ ଅଧିକାରୀ ବିଶ୍ୱରଞ୍ଜନ ନାୟକ ମଞ୍ଚାସୀନ ହୋଇ ବିଭିନ୍ନ ବିଭାଗୀୟ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ସଭା କାର୍ଯ୍ୟସୂଚୀ ଅନୁଯାୟୀ ବିଭିନ୍ନ ବିଭାଗର ଅଧିକାରୀମାନେ ଗୃହକୁ ସବିଶେଷ ତଥ୍ୟ ପ୍ରଦାନ କରିବା ସହିତ ଉପସ୍ଥିତ ସଦସ୍ୟାସଦସ୍ୟମାନଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ ଓ ବୈଠକ ପ୍ରାରମ୍ଭରେ ଜିଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ନିକଟରେ ଶେଷ ହୋଇଥିବା ‘ଅଗ୍ନିପଥ’ ଯୋଜନା ଅନ୍ତର୍ଗତ ଚୟନ ପ୍ରକ୍ରିୟାର ସଫଳ ନିଷ୍ପାଦନ ଉପରେ ଆଲୋକପାତ କରିଥିଲେ ଏବଂ ଜିଲାରେ ଭବିଷ୍ୟତରେ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ ବ୍ଲକସ୍ତରୀୟ ନିଯୁକ୍ତି ପରାମର୍ଶ ଶିବିର ଏବଂ ରୋଜଗାର ମେଳା ଉପରେ ସବିଶେଷ ବିବରଣୀ ପ୍ରସ୍ତୁତ କରିଥିଲେ । ଉପସ୍ଥିତ ଜିଲା ପରିଷଦର ଜୋନର ସଭ୍ୟାସଭ୍ୟଙ୍କ ଅନୁରୋଧ କ୍ରମେ ଜିଲାରେ ଅବସ୍ଥିତ ବିଭିନ୍ନ ଶିଳ୍ପ ଅନୁଷ୍ଠାନଗୁଡ଼ିକରେ ସ୍ଥାନୀୟ ଯୁବତୀଯୁବକମାନଙ୍କ ପାଇଁ ରୋଜଗାର ସୃଷ୍ଟି ଉପରେ ଅଧିକ ଧ୍ୟାନ ଦିଆଯିବା ଉପରେ ଜିଲାପାଳ ନିଶ୍ଚିତତା ପ୍ରକାଶ କରିଥିଲେ ।
ଏହାପରେ ଜିଲା ଶ୍ରମ ବିଭାଗ ଦ୍ୱାରା ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ବିଭାଗୀୟ ଅଧିକାରୀ ସଭାକୁ ବିସ୍ତୃତ ବିବରଣୀ ପ୍ରସ୍ତୁତ କରିଥିଲେ । ବିଭିନ୍ନ ବ୍ଲକରେ ଅନୁଷ୍ଠିତ ହେଉଥିବା ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଅନ୍ତର୍ଗତ ଜିଲାର ଅନେକ ଶ୍ରମିକ ଉପକୃତ ହୋଇ ପାରିଛନ୍ତି । ସେହି ଭଳି କୃଷି, ଓଡ଼ିଶା କୃଷି ଶିଳ୍ପ ନିଗମ, ହସ୍ତତନ୍ତ ଓ ବୟନଶିଳ୍ପ, ସମବାୟ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, କ୍ରୀଡ଼ା ଓ ଯୁବସେବା, ସଂସ୍କୃତି, ଶକ୍ତି ଆଦି ବିଭାଗର ବରିଷ୍ଠ ଅଧିକାରୀମାନେ ନିଜ ନିଜ ବିଭାଗର ରିପୋର୍ଟ ପ୍ରଦାନ କରିଥିଲେ ।
ବୈଠକରେ ବାଲେଶ୍ୱର ଜିଲା ପରିଷଦର ଜୋନ୍ର ସଭ୍ୟାସଭ୍ୟ, ପଞ୍ଚାୟତ ସମିତିମାନଙ୍କର ଅଧ୍ୟକ୍ଷାଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷାଉପାଧ୍ୟକ୍ଷ ଯୋଗଦେଇ ବିଭିନ୍ନ ବିଭାଗୀୟ କାର୍ଯ୍ୟ ଉପରେ ସେମାନଙ୍କ ଅଞ୍ଚଳର ଦାବୀ, ସମସ୍ୟା ଓ ସମାଧାନ ଉପରେ ମତ ବିନିମୟ କରି କର୍ତ୍ତୃପକ୍ଷଙ୍କ ଠାରୁ ପ୍ରତିଶୃତି ହାସଲ କରିଥିଲେ । ସଭାରେ ପଚରାଯାଇଥିବା ସମସ୍ତ ଦ୍ୱନ୍ଦକୁ ଯଥାଶୀଘ୍ର ସମାଧାନ କରାଯିବ ବୋଲି ଜିଲାପାଳ ଶ୍ରୀ ଶିନ୍ଦେ ପ୍ରତିଶୃତି ଦେଇଥିଲେ ଏବଂ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଏହି ସମସ୍ୟା ଗୁଡ଼ିକ ପ୍ରତି ଆବଶ୍ୟକ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଶେଷରେ ମଞ୍ଚାସୀନ ଅତିଥିମାନେ ଉପସ୍ଥିତ ଥିବା ସମସ୍ତ ସଭ୍ୟାସଭ୍ୟ ତଥା ସରକାରୀ ଅଧିକାରୀମାନଙ୍କୁ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟର କାର୍ଯ୍ୟାନ୍ୱୟନରେ ମଧ୍ୟସ୍ଥିଙ୍କ ଯୋଗଦାନକୁ କିଭଳି ଭାବରେ କମା ଯାଇ ଦୁର୍ନୀତି ନିବାରଣ କରାଯାଇ ପାରିବ ସେଥି ପ୍ରତି ବିଶେଷ ଧ୍ୟାନ ଦେବାପାଇଁ ଅନୁରୋଧ କରିଥିଲେ ।