ବାଲେଶ୍ୱର : ଜିଲାସ୍ତରୀୟ ଡ. ବି.ଆର୍. ଆମ୍ବେଦକର ଜୟନ୍ତୀ ପାଳିତ
ବାଲେଶ୍ୱର : ବାଲେଶ୍ୱର ସ୍ଥାନୀୟ ସଦ୍ଭାବନା ସଭାଗୃହରେ ଗୁରୁବାର ପୂର୍ବାହ୍ନ ୯ଟା ସମୟରେ ଭାରତରତ୍ନ ବାବାସାହେବ ଡ. ଭୀମରାଓ ରାମଜୀ ଆମ୍ବେଦକରଙ୍କ ଜିଲାସ୍ତରୀୟ ଜୟନ୍ତୀ -୨୦୨୨ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ଜୟନ୍ତୀ ସମାରୋହ ସଭା ପ୍ରାରମ୍ଭରେ ଡ. ବି.ଆର୍. ଆମ୍ବେଦକରଙ୍କ ଫଟୋଚିତ୍ରରେ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଅତିରିକ୍ତ ଜିଲାପାଳ ଭବେଶ କୁମାର ନାୟକ ଏହି ଜୟନ୍ତୀ ସମାରୋହର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତରତ୍ନ ଡ. ଆମ୍ବେଦକର ଆମ ସମସ୍ତଙ୍କ ପାଇଁ ପ୍ରେରଣା ହୋଇଥିବା ବେଳେ ତାଙ୍କ ଦର୍ଶନ ଓ ଶିକ୍ଷାକୁ ଆମେ ବାସ୍ତବ ଜୀବନରେ କାର୍ଯ୍ୟରେ ଲଗାଇବାକୁ ପ୍ରୟାସ କରିବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ । ସମସ୍ତ ପ୍ରକାର ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଦୃଢ଼ ଇଚ୍ଛାଶକ୍ତି ଓ ସାମର୍ଥ୍ୟ ବଳରେ ଯେ କୌଣସି ବ୍ୟକ୍ତି ସଫଳତାର ଶୀର୍ଷକୁ ପହଞ୍ଚି ପାରିବ, ଏହା ଆମ୍ବେଦକରଙ୍କ ଜୀବନୀ ଆମକୁ ଶିକ୍ଷା ଦେଇଛି ବୋଲି କହିଥିଲେ ।
ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର ଏହି ଜୟନ୍ତୀ ସଭାରେ ସଭାପତିତ୍ୱ କରି ଡ. ଆମ୍ବେଦକରଙ୍କ ବହୁମୁଖୀ ପ୍ରତିଭା ଏବଂ ଘଟଣାବହୁଳ ଜୀବନୀ ଉପରେ ଆଲୋକପାତ କରିବା ସହିତ ତାଙ୍କ ପ୍ରଦର୍ଶିତ ମାର୍ଗକୁ ଅନୁସରଣ କରିବାକୁ ଆହ୍ୱାନ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବାଲେଶ୍ୱର ଉପ-ଜିଲାପାଳ କୁନାଲ ଚୌହାନ ଯୋଗ ଦେଇଥିବା ବେଳେ ନିମନ୍ତ୍ରିତ ଅତିଥି ଭାବେ ବିଭିନ୍ନ ବିଭାଗୀୟ ପଦାଧିକାରୀ, ସଙ୍ଗଠନର କର୍ମକର୍ତ୍ତା, ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଗୃହରେ ଉପସ୍ଥିତ ଥିଲେ । ଏହି ଅବସରରେ ସଭାଗୃହରେ ଉପସ୍ଥିତ ଶତ୍ରୁଘ୍ନ ମଲ୍ଲିକ, ଗଗନ କୁମାର ସେଠୀ, ଦେବବ୍ରତ ପାଣିଗ୍ରାହୀ, ପଦ୍ମଲୋଚନ ମହାନ୍ତି, ଉର୍ମିଳା ମାଝୀ, ଗୌରାଙ୍ଗ ପାଣିଗ୍ରାହୀ, ଶୁଭେନ୍ଦୁ ଦାସ ପ୍ରମୁଖ ନିଜ ବକ୍ତବ୍ୟ ରଖି ଆମ୍ବେଦକର ବିଚକ୍ଷଣ ପ୍ରଜ୍ଞାର ଅଧିକାରୀ ହୋଇଥିବା ବେଳେ ଦେଶରୁ ଅସ୍ପୃଶ୍ୟତା ଓ ସାମାଜିକ ବିଦ୍ୱେଷ ଦୂର କରିବା ଲାଗି ସେ କରିଥିବା ସଂଗ୍ରାମ ଏବଂ ସମ୍ବିଧାନ ପ୍ରଣେତା ଭାବେ ତାଙ୍କର ମହାର୍ଘ ଓ ବିରଳ ଅବଦାନକୁ ଦେଶବାସୀଙ୍କ ସମେତ ସମଗ୍ର ବିଶ୍ୱ ମନେ ରଖିବ ବୋଲି ପ୍ରକାଶ କରିଥିଲେ । ଡ. ଆମ୍ବେଦକରଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ସାମାଜିକ ଅସମାନତାକୁ ଦୂର କରି ଆମେ ସମସ୍ତ ଜନସାଧାରଣ ଦେଶର ଏକତା ଏବଂ ଅଖଣ୍ଡତା ଦିଗରେ ନିରନ୍ତର ଉଦ୍ୟମ ଜାରି ରଖିବାକୁ ଅତିଥିମାନେ ଆହ୍ୱାନ ଦେଇଥିଲେ । ଡ. ବି.ଆର୍. ଆମ୍ବେଦକରଙ୍କ ଜିଲାସ୍ତରୀୟ ଜୟନ୍ତୀ ପାଳନ ଉପଲକ୍ଷେ ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟସ୍ତରରେ ଆୟୋଜିତ ବକ୍ତୃତା ପ୍ରତିଯୋଗିତାରେ ସଫଳତା ଲାଭ କରିଥିବା କୃତୀ ପ୍ରତିଯୋଗୀଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା । ସ୍କୁଲ ଛାତ୍ର ସୂର୍ଯ୍ୟଜ୍ୟୋତି ବେହେରା ଓ ଅମରନାଥ ଖଟୁଆ ଆମ୍ବେଦକରଙ୍କ ଜୀବନୀ ଉପରେ ବକ୍ତବ୍ୟ ରଖିଥିଲେ । ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦୀପକ କୁମାର ସାହୁ କାର୍ଯ୍ୟକ୍ରମର ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଏଥିରେ ସହଯୋଗ କରିଥିଲେ ।