ବାଲେଶ୍ୱର ଜିଲାସ୍ତରୀୟ ୮୭ତମ ଓଡିଶା ଦିବସ ପାଳିତ
ବାଲେଶ୍ୱର : ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ଜିଲାସ୍ତରୀୟ ୮୭ତମ ଓଡିଶା ଦିବସ-୨୦୨୨ ଆଜି ଦିବସବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସକାଳେ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ଦ୍ୱାରା ଏକ ସଚେତନତା ରାଲି ସହର ପରିକ୍ରମା କରିଥିଲା । ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତୀ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ । ଏହା ପରେ ସକାଳ ସାଢେ ୮ଘଟିକା ସମୟରେ ମୁଖ୍ୟ ଅତିଥି ଜିଲା ପରିଷଦ ସଭାପତି ନାରାୟଣ ପ୍ରଧାନଙ୍କ ଦ୍ୱାରା ସହରର ବିଭିନ୍ନ ସ୍ଥାନରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ପରେ ପରେ ସ୍ଥାନୀୟ ଆଂଚଳିକ ଆର୍ଟ ଗ୍ୟାଲେରୀରେ ବ୍ୟାସକବି ଫକୀରମୋହନଙ୍କ ସାହିତ୍ୟାକୃତି ଏବଂ ଜୀବନୀ ଆଧାରିତ ଏକ ଚିତ୍ରକଳା ପ୍ରଦର୍ଶନୀକୁ ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ ଉଦଘାଟନ କରିଥିଲେ । ଏଥିରେ ବ୍ୟାସକବିଙ୍କର ପ୍ରାୟ ୫୦ଟି କ୍ୟାନଭାସ୍ ଚିତ୍ରକଳା ସ୍ଥାନିତ ହୋଇଥିଲା । ଏହା ପରେ ମୁଖ୍ୟ ଅତିଥି ଜିଲା ମୁଖ୍ୟ ଚିକିତ୍ସାଳୟରେ ଫଳ ବଂଟନ କରିଥିଲେ । ବାଲେଶ୍ୱର ସଦର ବିଧାୟକ ସ୍ୱରୂପ କୁମାର ଦାସ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା, ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତୀ ପ୍ରମୁଖଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତଥା ବିଭିନ୍ନ ବିଭାଗର ଅଧିକାରୀ ଏହି ଅବସରରେ ଉପସ୍ଥିତ ଥିଲେ ।
ସନ୍ଧ୍ୟାରେ ସ୍ଥାନୀୟ ସଂସ୍କୃତି ଭବନଠାରେ ସାଧାରଣ ସଭା ସହିତ ପୁରସ୍କାର ବିତରଣ, ସ୍ୱତନ୍ତ୍ର ବନ୍ଦେ ଉତ୍କଳ ଜନନୀ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାନୁଯାୟୀ ଠିକ୍ ସନ୍ଧ୍ୟା ୬ଘଟିକା ସମୟରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ଜିଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀ ସାଧାରଣ ସଭାରେ ସଭାପତିତ୍ୱ କରିବା ସହିତ ଉଭୟ ଓଡିଆ ଭାଷା ଏବଂ ଓଡିଶା ଏବେ ବିଶ୍ୱରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିପାରିଥିବା କହିଥିଲେ । ମୁଖ୍ୟ ଅତିଥି ଶ୍ରୀ ନାରାୟଣ ପ୍ରଧାନ ଆମ ପୂର୍ବସୂରୀମାନେ ଓଡିଆ ଭାଷା ପାଇଁ ଦେଇଥିବା ବଳିଦାନ ଏବଂ ଓଡିଶାରେ ଏବେ ବିଭିନ୍ନ କ୍ଷେତ୍ରରେ ବିକାଶ ହୋଇପାରିଥିବା ଉଲ୍ଲେଖ କରିଥିଲେ । ବରେଣ୍ୟ ଅତିଥି ମାନ୍ୟବର ବାଲେଶ୍ୱର ସଦର ବିଧାୟକ ସ୍ୱରୂପ କୁମାର ଦାସ ଓଡିଶା ଏବେ ସବୁଥିରେ ଆଗୁଆ ହୋଇପାରିଥିବା ମତବ୍ୟକ୍ତ କରିଥିଲେ । ଆଜିର ଦିବସରେ ନୂତନ ସଙ୍କଳ୍ପ ନେଇ ଆଗକୁ ବଢିବାକୁ ସେ ଆହ୍ୱାନ ଦେଇଥିଲେ । ବାଲେଶ୍ୱର ପୌରାଂଚଳ ପୌରାଧ୍ୟକ୍ଷା ଶ୍ରୀମତୀ ସବିତା ସାହୁ, ପିଡି-ଡିଆରଡିଏ ରବୀନ୍ଦ୍ର କୁମାର ସାହୁ, ବାଲେଶ୍ୱର ଉପଜିଲାପାଳ ଆଶିଷ ଈଶ୍ୱର ପାଟିଲ, ଆଇଏଏସ ପ୍ରୋବେସନର କୁନାଲ ଚୌହାନ୍ ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଭାଷା ଭିତିକ ସ୍ୱତନ୍ତ୍ର ପ୍ରଦେଶ ‘ଓଡିଶା’ଗଠନର ପୃଷ୍ଠଭୂମି ଓ ଉତ୍ସବ ପାଳନର ଯଥାର୍ଥତା ସମ୍ପର୍କରେ ଆଲୋକପାତ କରିଥିଲେ । ସାଧାରଣ ସଭା ପରେ କୋଭିଡ୍ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ବିଦ୍ୟାଳୟ-ମହାବିଦ୍ୟାଳୟସ୍ତରରେ ଆୟୋଜିତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।
ଏହା ପରେ ପରେ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଆନୁକୂଲ୍ୟରେ ସ୍ଥାନୀୟ ସାଂସ୍କୃତିକ ଅନୁଷ୍ଠାନ “କଳାକାର” ଦ୍ୱାରା ଦେଶାତ୍ମବୋଧ ସଙ୍ଗୀତ ଗାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ୧୨ଟି ଦେଶାତ୍ମବୋଧ ସଙ୍ଗୀତ କଳାକାରମାନଙ୍କ ଦ୍ୱାରା ଗାନ କରାଯାଇଥିଲା । ସେହିପରି ସ୍ଥାନୀୟ ସାଂସ୍କୃତିକ ଅନୁଷ୍ଠାନମାନଙ୍କ ଦ୍ୱାରା ୫ଟି ଦେଶାତ୍ମବୋଧ ନୃତ୍ୟ କାର୍ଯ୍ୟକ୍ରମ ମଧ୍ୟ ପରିବେଷିତ ହୋଇଥିଲା । ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଦୀପକ କୁମାର ସାହୁ କାର୍ଯ୍ୟକ୍ରମ ସଂଯୋଜନା ସହ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ପ୍ରତ୍ୟୁଷରେ ଜିଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଉତ୍କଳ ଭାଷା ବନ୍ଦନା ଓ ବ୍ୟାସକବି ଫକୀରମୋହନଙ୍କ ରଚିତ ଭାଷା ବନ୍ଦନା ଡାକବାଜି ଯନ୍ତ୍ର ଦ୍ୱାରା ସହରର ବିଭିନ୍ନ ଅଂଚଳରେ ପ୍ରଚାର କରାଯାଇଥିଲା । ଓଡିଶା ଦିବସ ଅବସରରେ ସହରର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ସମେତ ଅନ୍ୟାନ୍ୟ କୋଠାକୁ ରଙ୍ଗୀନ ଆଲୋକମାଳାରେ ସଜ୍ଜିତ କରାଯାଇଥିଲା । ଜିଲାସ୍ତରୀୟ ଓଡିଶା ଦିବସର ସମସ୍ତ କାର୍ଯ୍ୟକ୍ରମରେ ଜିଲା ଶିକ୍ଷାଧିକାରୀ ଶ୍ରୀ ବିଷ୍ଣୁ ଚରଣ ସୂତାର, ଜିଲା କ୍ରୀଡା ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଜେନା, ଜିଲା ସଂସ୍କୃତି ଅଧିକାରୀ ଶ୍ରୀ ଆଶିଷ କୁମାର ସାହୁଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଏବଂ ଜିଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ ।