ଭାରତୀୟ ମଜଦୁର ସଂଘର ଜିଲା ସମ୍ମିଳନୀ ଅନୁଷ୍ଠିତ
ବାଲେଶ୍ୱର : ବାଲେଶ୍ୱର ସହର ଗୋପାଳଗାଁ ସ୍ଥିତ ଏକ ଘରୋଇ କଲ୍ୟାଣମଣ୍ଡପ ପରିସରରେ ଭାରତୀୟ ମଜଦୁର ସଂଘ (ବିଏମ୍ଏସ୍)ର ଜିଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲା ସଭାପତି ଶକୁନ୍ତଳା ଗୋଚ୍ଛାୟତ ଅଧ୍ୟକ୍ଷତା କରିଥିଲେ । ସଂଘର ରାଜ୍ୟ ସଭାପତି ପୃଥ୍ୱୀରାଜ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ ଜିଲାରେ ଥିବା ବୃହତ୍ତ ଶିଳ୍ପ ବିର୍ଲା ଟାୟାର୍ସ, ବାଲେଶ୍ୱର ଆଲୋୟେଜ୍ ବନ୍ଦ ହେବାରୁ ହଜାର ହଜାର ଶ୍ୟମିକ ଏବଂ ତାଙ୍କ ପରିବାର ଆଜି ଯେଉଁ ଅବସ୍ଥାରେ ଅଛନ୍ତି ସେଥିପାଇଁ ରାଜ୍ୟସରକାରଙ୍କୁ ସମାଲୋଚନା କରିବା ସହିତ ଆଜି କେବଳ ବିଏମ୍ଏସ୍ ଶ୍ରମିକମାନଙ୍କର ବିଶେଷ ଭାବରେ ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲକ୍ଷ ଲକ୍ଷ ଶ୍ରମିକମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରିବା, ଅଙ୍ଗନୱାଡ଼ି, ଆଶା, ଆଶାସାଥୀ ଓ ପାଚିକାମାନଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ପ୍ରଦାନ କରିବା ଦିଗରେ ଆନ୍ଦୋଳନ ମାଧ୍ୟମରେ କାର୍ଯ୍ୟ କରିଆସୁଛି । ସେଥିପାଇଁ ସମସ୍ତ ଶ୍ରମିକ ଏବଂ କର୍ମଚାରୀ ଭଉଣୀଭାଇମାନଙ୍କୁ ସଙ୍ଗଠିତ ହୋଇ କାର୍ଯ୍ୟ କରିବା ପାଇଁ ଆହ୍ୱାନ ଦେଇଥିଲେ । ରାଜ୍ୟ ସଙ୍ଗଠନ ସମ୍ପାଦକ ଗିରିଶ ଚନ୍ଦ୍ର ମହନ୍ତ, ଜିଲା ପ୍ରଭାରୀ ମନୋଜ ବସନ୍ତରାୟ, ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘର ରାଜ୍ୟ ସଭାପତି ମମତା ମହାନ୍ତି, ସଙ୍ଗୀତା ରାୟ, ବିଶିଷ୍ଟ ସମାଜସେବୀ ମାନସ ଚନ୍ଦ୍ର ରଥ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ ।
ଶେଷରେ ନୂତନ କାର୍ଯ୍ୟକାରୀ କମିଟି ଗଠନ କରାଯାଇଥିଲା । ଏଥିରେ ଉପଦେଷ୍ଟ ମାନସ ଚନ୍ଦ୍ର ରଥ, ଶକୁନ୍ତଳା ଗୋଚ୍ଛାୟତ, ସଭାପତି ସଙ୍ଗୀତା ରାୟ, ଉପ-ସଭାପତି ପ୍ରଭାତ ବେହେରା, ଜାନକୀ ରାଉଳ, ସମ୍ପାଦକ ସନ୍ଦୀପ କୁମାର ରଣା, ସହ-ସମ୍ପାଦକ ଜ୍ୟୋତ୍ସ୍ନା ମହାନ୍ତି, ସଙ୍ଗଠନ ସମ୍ପାଦକ ସରସ୍ୱତୀ ଖୁଣ୍ଟିଆ, କୋଷାଧ୍ୟକ୍ଷ ଜିତେନ୍ଦ୍ର ସାମନ୍ତ ପ୍ରମୁଖ ମନୋନୀତ ହୋଇଛନ୍ତି । ଶେଷରେ ଜିଲା ସମ୍ପାଦକ ସନ୍ଦିପ କୁମାର ରଣା ଧନ୍ୟବାଦ ଦେଇଥିଲେ ।