ବାଲେଶ୍ୱର : ରୂପସାରେ ଗଡ଼ିଲା ସାଇବର ସୁରକ୍ଷା ଅଭିଯାନ ରଥ
ରୂପସା : ବାଲେଶ୍ୱର ସଦର ବ୍ଲକ ରୂପସା ନୀଳମଣି ମହାବିଦ୍ୟାଳୟରେ ଓଡ଼ିଶା ପୋଲିସ ବିଭାଗ ଆନୁକୂଲ୍ୟରେ ମଙ୍ଗଳବାର ସାଇବର ସୁରକ୍ଷା ଅଭିଯାନ ରଥର ଶୁଭାରମ୍ଭ ହୋଇଛି । ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଆୟୋଜିତ ସଚେତନତା ସଭାରେ ଅଧ୍ୟକ୍ଷ ଡ. ତପନ କୁମାର ବେହେରା ଅଧ୍ୟକ୍ଷତା କରି ସାଇବର ଅପରାଧ ରୋକିବା ଦିଗରେ ବାର୍ତ୍ତା ଦେଇଥିଲେ ।
ମୁଖ୍ୟ ଅତିଥି ବସ୍ତା ଏସଡିପିଓ ମାନସ କୁମାର ଦେଓ ରଥର ଶୁଭାରମ୍ଭ କରିବା ସହ ମୋବାଇଲରେ ଅଦରକାରୀ ଆପ୍ସ ଓ ଲିଙ୍କ ବ୍ୟବହାର କ୍ଷେତ୍ରରେ ସଚେତନ ହେଲେ ସାଇବର ଅପରାଧ ରୋକିବା ସମ୍ଭବ ବୋଲି ବକ୍ତବ୍ୟରେ କହିଥିଲେ । ମୁଖ୍ୟ ବକ୍ତା ଅତିରିକ୍ତ ଏସ୍ପି ଅନିଲ କୁମାର ପ୍ରଧାନ ଯୋଗ ଦେଇ ପିଲା ଠୁ ବୁଢ଼ା, ଶିକ୍ଷିତ ଠୁ ଅଶିକ୍ଷିତ ପର୍ଯ୍ୟନ୍ତ ସାଇବର ଅପରାଧର ସ୍ୱୀକାର ହେଉଥିବାରୁ ସମସ୍ତେ ସଚେତନ ହେବା ଜରୁରୀ ବୋଲି କହିଥିଲେ ।
ରୂପସା ଥାନାଧିକାରୀ ସଚ୍ଚିଦାନନ୍ଦ ଗିରି ସ୍ୱାଗତ ଭାଷଣ ଦେଇଥିଲେ । ସମ୍ମାନିତ ଅତିଥି ଜିଲା ପରିଷଦ ସଭ୍ୟ ସଞ୍ଜୟ କୁମାର ସେଠୀ, ବରିଷ୍ଠ ପ୍ରାଧ୍ୟାପକ ସରୋଜ କୁମାର ପାଣି ମଞ୍ଚାସୀନ ହୋଇ ଏହି ଅଭିଯାନ ମାଧ୍ୟମରେ ସମାଜରେ ସାଇବର ସୁରକ୍ଷାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଅଧ୍ୟାପକ ଗୌରାଙ୍ଗ ପଣ୍ଡା ପ୍ରାରମ୍ଭିକ ସୂଚନା ଦେଇଥିଲେ । ଉପସ୍ଥାପକ ରାକେଶ ଗିରି ମଞ୍ଚ ସଂଯୋଜନା କରିଥିଲେ । ନୀଳମଣି ମହାବିଦ୍ୟାଳୟ, ଶାନ୍ତିଲତା ମହାବିଦ୍ୟାଳୟ ଓ ଯୋଗେନ୍ଦ୍ର ଆଞ୍ଚଳିକ ମହାବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ନେଇ ସାଇବର ସୁରକ୍ଷା ସମ୍ପର୍କିତ କୁଇଜ ପ୍ରତିଯୋଗିତା ହୋଇଥିଲା । ପୋଲିସ ବିଭାଗ ପକ୍ଷରୁ ଏକ ସଚେତନତା ନାଟକ ପରିବେଷଣ ହୋଇଥିଲା । ଏହି ସଭାରେ ଏସ୍ଏଚ୍ଜି ମହିଳା, ପୁରାତନ ଛାତ୍ରୀଛାତ୍ର, ଅଧ୍ୟାପିକା ଅଧ୍ୟାପକ, ଜନ ପ୍ରତିନିଧି ଓ ବହୁ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ ।