ବାଲେଶ୍ୱର ସିଭିଲ୍ ସୋସାଇଟି ପକ୍ଷରୁ ପ୍ରମୁଖ ଜନଦାବିରେ ଜିଲାପାଳଙ୍କୁ ଦାବିପତ୍ର
ବାଲେଶ୍ୱର : ବାଲେଶ୍ୱର ଜିଲାରେ ଦେଖାଦେଇଥିବା ବିଭିନ୍ନ ସମସ୍ୟାର ସମାଧାନ ଦାବି କରି ଶନିବାର ସିଭିଲ୍ ସୋସାଇଟି ବାଲେଶ୍ୱର ପକ୍ଷରୁ ଜିଲାପାଳଙ୍କୁ ୩ଟି ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଦାବିପତ୍ରର ନକଲ ସମ୍ପୃକ୍ତ ବିଭାଗୀୟ ସଚିବ ଓ ଅଧିକାରୀମାନଙ୍କୁ ପ୍ରଦାନ କରାଯାଇଛି । ସମସ୍ୟାର ସମାଧାନ ନହେଲେ ସିଭିଲ୍ ସୋସାଇଟି ପକ୍ଷରୁ ଆସନ୍ତା ୧୫ ଦିନ ପରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।
ଜିଲାରେ ମୁଖ୍ୟତଃ ସହରାଞ୍ଚଳରେ ଆଇନ ଶୃଙ୍ଖଳାର ଦ୍ରୁତ ଅବନତି, ଚୋରି, ଡକାୟତି, ରାହାଜାନି, ଛିନ୍ତାଇ, ନିଶା କାରବାର, ନାରୀ ନିର୍ଯାତନା ପ୍ରଭୃତି ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇଥିବାବେଳେ ପୋଲିସ୍ ବିଭାଗ ପକ୍ଷରୁ ଆଶାନୁରୂପ ନିରାକରଣ ବ୍ୟବସ୍ଥା ଗ୍ରହଣ କରାଯାଉନାହିଁ । ସହରର ଆଦର୍ଶ ଥାନା ଭାବେ କୁହାଯାଉଥିବା ସହଦେବଖୁଣ୍ଟା ଥାନାର ଭାରପ୍ରାପ୍ତ ଅଧିକାରୀ ପଦବୀ ଗତ ଦୁଇବର୍ଷ ଧରି ଖାଲି ପଡ଼ିଛି । ସହରବାସୀଙ୍କୁ ଆବଶ୍ୟକୀୟ ସେବା ଯୋଗାଇଦେବାକୁ ସ୍ମାର୍ଟ ସିଟି ଓ ଅମୃତ ଯୋଜନା ପରି କେତେକ ଯୋଜନା କାଗଜପତ୍ରରେ ଚାଲିଥିବାବେଳେ ସହରର ଅନେକ ୱାର୍ଡ଼ରେ ଚଳିତ ଗ୍ରୀଷ୍ମଋତୁରେ ଶୁଦ୍ଧ ପାନୀୟଜଳର ଘୋର ଅଭାବ ଦେଖାଦେଇଛି । ସେହିପରି ଜିଲାରେ ଟାଟା ପାୱାରର ମୁଖ୍ୟ ଅଫିସ୍ ଥିଲେ ମଧ୍ୟ ସହର ଓ ଗ୍ରାମାଞ୍ଚଳରେ ବାରମ୍ବାର ଅଘୋଷିତ ବିଜୁଳି କାଟ ଗ୍ରୀଷ୍ମଋତୁରେ ଜନଜୀବନକୁ ଦୁର୍ବିସହ କରିଛି । ଏଥିପାଇଁ ପରୀକ୍ଷା ସମୟରେ ଛାତ୍ରୀଛାତ୍ରମାନଙ୍କ ପାଠପଢ଼ାରେ ଘୋର ଅସୁବିଧା ସୃଷ୍ଟି ହେଉଛି । ବିଦ୍ୟୁତ୍ ଗ୍ରାହକମାନେ ଅଭିଯୋଗ କଲେ ମଧ୍ୟ କୌଣସି ପ୍ରତିକାର କରାଯାଉନାହିଁ । ଘରୋଇ ବିଦ୍ୟୁତ୍ ସଂସ୍ଥାର ତ୍ରୁଟିପୂର୍ଣ୍ଣ ବିଦ୍ୟୁତ୍ ବିଲ୍ ଆଦାୟର ଜୁଲମ୍ ବୃଦ୍ଧିପାଇଛି । ଅନ୍ୟପକ୍ଷରେ ଫକୀରମୋହନ ମେଡିକାଲ୍ କଲେଜ ଓ ହସପିଟାଲ୍ କାର୍ଯ୍ୟକ୍ଷମ ହେବାପରେ କାଗଜ କଲମରେ କେତେକ ପ୍ରଫେସର ଡାକ୍ତର ନିଯୁକ୍ତି ପାଇଥିଲେ । ମାତ୍ର କେତେକ ଡାକ୍ତର କାର୍ଯ୍ୟରେ ଯୋଗ ଦେଇ ନଥିବାବେଳେ ଅନ୍ୟ କେତେକ ଡାକ୍ତର ନିଜ କର୍ତ୍ତବ୍ୟରେ ଅବହେଳା କରି ଘରୋଇ ଚିକିତ୍ସାକୁ ପ୍ରୋତ୍ସାହିତ କରୁଛନ୍ତି । କେତେକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ବିଶେଷଜ୍ଞ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ନଥିବାରୁ ଗୁରୁତର ରୋଗୀମାନଙ୍କୁ ଦୈନିକ କଟକ, ଭୁବେନଶ୍ୱରକୁ ସ୍ଥାନାନ୍ତରିତ କରାଯାଉଛି । ଜିଲାର ବହୁ ସରକାରୀ ଡାକ୍ତରଖାନାରେ ଆବଶ୍ୟକୀୟ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ନଥିବାରୁ ରୋଗୀସେବାରେ ଗୁରୁତର ବ୍ୟାଘାତ ସୃଷ୍ଟିହେଉଛି । ଏ ସମ୍ପର୍କରେ ରୋଗୀମାନଙ୍କ ସମ୍ପର୍କୀୟମାନଙ୍କ ଅଭିଯୋଗ ଶୁଣିବାକୁ କେହି ନାହାନ୍ତି ବୋଲି ସିଭିଏ୍ ସୋସାଇଟି ପକ୍ଷରୁ ଅଭିଯୋଗ କରାଯାଇଛି । ଦାବିପତ୍ର ପ୍ରଦାନ ବେଳେ ସିଭିଲ୍ ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ, ସମ୍ପାଦକ ମନୋଜ ନାୟକ, କୋଷାଧ୍ୟକ୍ଷ ସନ୍ତୋଷ ସାହୁ, ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀ, ସୀତାରାମ ପ୍ରଧାନ, ଦେବେନ୍ଦ୍ର ଧଳ, ମାୟାଧର ମହାପାତ୍ର, ସଞ୍ଜିତ୍ ପତି, ଭରତ ଲେଙ୍କା, ପ୍ରଦୀପ ଶୁକ୍ଳା, ମାୟାଧର ମହାରଣା, ଜ୍ୟୋତ୍ସ୍ନା ପାଣି, ସରସ୍ୱତୀ ପଣ୍ଡା, ବରୁଣ ବେହେରା, କ୍ରୀଷ୍ଣା ସାହା ଓ ତ୍ରିଦିବ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।