ବାଲେଶ୍ୱର : ଆଜି ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ, ଭୋଟ୍ ଗଣତି ପାଇଁ ପ୍ରସ୍ତୁତ ଜିଲା ପ୍ରଶାସନ
ବାଲେଶ୍ୱର : ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ଗତ ଜୁନ୍ ୧ ତାରିଖ ହୋଇଥିବା ବେଳେ ଏବେ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ଲକ୍ ହୋଇ ରହିଛି । କାହା ଭାଗ୍ୟରେ ସୁନା କଳସ ରହିଛି ତାହା ମଙ୍ଗଳବାର ଅର୍ଥାତ ୪ ତାରିଖ ଗଣତି ପରେ ସ୍ପଷ୍ଟ ହେବ । ତେବେ ଗଣତି ପ୍ରକ୍ରିୟାକୁ ସୁରଖୁରୁରେ ପରିଚାଳନା କରିବା ପାଇଁ ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏଥିପାଇଁ ଚାରୋଟି ସ୍ଥାନରେ ଗଣତି ପ୍ରକ୍ରିୟା ତ୍ୱରାନ୍ୱିତ କରାଯିବ ।
ବାଲେଶ୍ୱର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଲୋକସଭା ପାଇଁ ଗଣତି ହେବା ସହ ବାଲେଶ୍ୱର, ରେମୁଣା ଏବଂ ବସ୍ତା ନିର୍ବାଚନ ମଣ୍ଡଳୀ ପାଇଁ ମଧ୍ୟ ଗଣତି ହେବ । ସେହିପରି ରେମୁଣା ଡିଗ୍ରୀ କଲେଜରେ ସୋର ଏବଂ ସିମୁଳିଆ ନିର୍ବାଚନ ମଣ୍ଡଳୀ ପାଇଁ ଗଣତି ହେବ । ଏଥିସହ ସରକାରୀ ଆଇଟିଆଇରେ ଜଳେଶ୍ୱର, ଭୋଗରାଇ ପାଇଁ ଗଣତି ହେବ ଏବଂ ନୀଳଗିରି ଠାରେ ନୀଳଗିରି ନିର୍ବାଚନ ମଣ୍ଡଳୀ ପାଇଁ ଗଣତି ପ୍ରକ୍ରିୟା ହେବ । ସେହିପରି ଗଣତି କାର୍ଯ୍ୟ ସୁଚାରୁ ରୁପେ ପରିଚାଳନା ପାଇଁ ଟେବୁଲ ବ୍ୟବସ୍ଥା କରାଯାଇଛି । ସକାଳ ୮ଟାରୁ ଗଣତି ଆରମ୍ଭ ହେବାକୁ ଥିବା ବେଳେ ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ହେବ ଏବଂ ପରେ ଇଭିଏମ ଗଣତି ପ୍ରକ୍ରିୟା ଆରମ୍ଭ ହେବ । ନିର୍ବାଚନ ମଣ୍ଡଳୀ ଅନୁସାରେ ଟେବୁଲର ବ୍ୟବସ୍ଥା ହୋଇଥିବା ବେଳେ ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ଗଣତି ପାଇଁ ୪ଟି ପୋଷ୍ଟାଲ ବାଲାଟ ଟେବୁଲ, ୧୨ଟି ଲୋକସଭା ଗଣତି ଟେବୁଲ ଏବଂ ୧୨ଟି ବିଧାନସଭା ଗଣତି ଟେବୁଲ କରାଯାଇଛି । ସେହିପରି ଭୋଗରାଇ ପାଇଁ ୫ଟି ପୋଷ୍ଟାଲ ବାଲାଟ ଟେବୁଲ, ୫ଟି ଲୋକସଭା ଟେବୁଲ ଏବଂ ୫ଟି ବିଧାନସଭା ଟେବୁଲ କରାଯାଇଛି । ବସ୍ତା ପାଇଁ ମଧ୍ୟ ୫ଟି ପୋଷ୍ଟାଲ ବାଲାଟ ଟେବୁଲ ସହ ଲୋକସଭା ପାଇଁ ୧୦ ଏବଂ ବିଧାନସଭା ପାଇଁ ୧୦ଟି ଟେବୁଲରେ ଗଣତି ହେବ । ବାଲେଶ୍ୱର ସଦର ପାଇଁ ପୋଷ୍ଟାଲ ବାଲାଟ ଟେବୁଲ ୪ଟି, ୧୨ ଟି ଲେଖାଏଁ ବିଧାନସଭା ଏବଂ ଲୋକସଭା ଟେବୁଲ କରାଯାଇଛି । ରେମୁଣା ପାଇଁ ପୋଷ୍ଟାଲ ବାଲାଟ ଟେବୁଲ ୫ଟି କରାଯାଇଥିବା ବେଳେ ବିଧାନସଭା ଓ ଲୋକସଭା ପାଇଁ ୧୦ଟି ଲେଖାଏଁ ଟେବୁଲ କରାଯାଇଛି । ନୀଳଗିରି ପାଇଁ ୫ଟି ପୋଷ୍ଟାଲ ବାଲାଟ ଟେବୁଲ କରାଯାଇଥିବା ବେଳେ ବିଧାନସଭା ୧୩ ଏବଂ ଲୋକସଭା ଗଣତି ପାଇଁ ୧୩ଟି ଟେବୁଲ କରାଯାଇଛି । ସୋର ପାଇଁ ପୋଷ୍ଟାଲ ବାଲାଟ ଟେବୁଲ ୫, ବିଧାନସଭା ଟେବୁଲ ୧୦ ଓ ଲୋକସଭା ଟେବୁଲ ୧୦ଟି କରାଯାଇଛି । ସିମୁଳିଆ ପାଇଁ ପୋଷ୍ଟାଲ ବାଲାଟ ଟେବୁଲ ୫ଟି ଏବଂ ବିଧାନସଭା ପାଇଁ ୧୧ଟି, ଲୋକସଭା ପାଇଁ ୧୧ଟି ଟେବୁଲ କରାଯାଇଛି । ବିଧାନସଭା ପାଇଁ ସମୁଦାୟ ୮୮ଟି ଏବଂ ଲୋକସଭା ପାଇଁ ୮୮ଟି ଲୋକସଭା ପାଇଁ ଟେବୁଲ କରାଯାଇଥିବା ବେଳେ ପୋଷ୍ଟାଲ ବାଲାଟ ବାଲେଶ୍ୱର ଲୋକସଭାକୁ ମିଶାଇ ୫୨ଟି ଟେବୁଲ କରାଯାଇଛି । ତେବେ ମଙ୍ଗଳବାର ପ୍ରାର୍ଥୀଙ୍କ ଭାଗ୍ୟର ତାଲା ଖୋଲିବାକୁ ଯାଉଥିବା ବେଳେ ଫଳାଫଳ ପରେ କିଏ ପିନ୍ଧିବି ମୁକୁଟ ତାହା ସ୍ପଷ୍ଟ ହେବ ।