ଖାସି ପାଇଁ ଖାକିରେ ଲାଗିଲା ଦାଗ! ଏଏସ୍ଆଇଙ୍କୁ ନିଲମ୍ବିତ
ବଲାଙ୍ଗିର : ଖାସି ପାଇଁ ଖାକିରେ ଲାଗିଲା ଦାଗ। ଛେଳିମାଂସ ଖାଇ ଥାନା ବାବୁ ହେଲେ ଅପଦସ୍ତ। ଦୁଇଟି ଛେଳିକୁ ଖାଇଥିବା ଅଭିଯୋଗରେ ଥାନା ଏଏସ୍ଆଇଙ୍କୁ ନିଲମ୍ବିତ କରାଯାଇଛି। ଏଭଳି ଏକ ଅଭାବନୀୟ ଘଟଣା ସିନ୍ଧେକେଲା ଥାନାରେ ଘଟିଛି।
ସୂଚନା ଯେ, ମାଗଣା ଖାଇବା ପଡିଲା ମହଙ୍ଗା। ଛେଳି ଚୋରି କରି ମାଂସ ଖାଇ ପୋଲିସ ବାବୁ ହଟହଟା। ଚରୁଥିବା ଛେଳିକୁ ମାଂସ ଲୋଭରେ ଉଠାଇ ନେଇ ଖାଇଗଲେ ପୋଲିସ କର୍ମୀ। ଏପରି ସାଂଘାତିକ ଅଭିଯୋଗ ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନାର ଏଏସ୍ଆଇ ସୁମନ ମଲିକ ଓ ଷ୍ଟାଫଙ୍କ ନାମାରେ ଆସିଛି। ଶୁକ୍ରବାର ଥାନାଧିକାରୀ ଆଲୋକ ବେହେରା କୌଣସି କାମରେ ବଲାଙ୍ଗୀର ଯାଇଥିଲେ। ତାଙ୍କ ଉପସ୍ଥିତିରେ ଛେଳି ଚୋରି କରି ଏଏସ୍ଆଇ ସୁମନ ମଲିକ ଓ ତାଙ୍କ ସହଯୋଗୀ ନୂଆବର୍ଷ ପିକନିକ୍ କରୁଥିବା ଅଭିଯୋଗ ହୋଇଛି।
ସିନ୍ଧେକେଲା ଗାଁର ସଂକୀର୍ତ୍ତନ ଗୁରୁ ଅଭିଯୋଗ କରିଛନ୍ତି ଯେ, ତାଙ୍କର ଦୁଇଟି ଛେଳିକୁ ପୋଲିସ କର୍ମୀମାନେ ନେଇ ଖାଇ ଦେଇଛନ୍ତି। ପୋଲିସ୍ କର୍ମୀମାନେ ଦୁଇଟି ଛେଳିକୁ ଟେକି ନେଇ କାଟୁଥିବା ବେଳେ ସଂକୀର୍ତ୍ତନଙ୍କ ପରିବାର ଓ ସ୍ଥାନୀୟ ଲୋକେ ଦେଖି ଦେଇଥିଲେ। ପ୍ରତିବାଦ କରିବାରୁ ଓଲଟା ପୋଲିସ୍ ମିଥ୍ୟା ମାମଲାରେ ଫସାଇବାକୁ ଧମକ ଦେବା ସହ ନାଲିଆଖି ଦେଖାଇଥିବା ଛୋଳି ମାଲିକ ସଂକୀର୍ତ୍ତନ କହିଛନ୍ତି। ଘଟଣା ପ୍ରଘଟ ହେଲା ପରେ ଜନ ସାଧାରଣ ଥାନା ଘେରାଓ କରିଥିଲେ। ଶନିବାର ବଲାଙ୍ଗିର ଏସପି ଏହି ମାମଲାରେ ସୁମନ ମଲିକଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି। ପୋଲିସର ଛେଳି ଚୋରି ଘଟଣାକୁ ନେଇ ଶୁକ୍ରବାର ସିନ୍ଧେକେଲାରେ ସାଂଘାତିକ ଉତ୍ତେଜନା ଦେଖାଦେଇଥିଲା। ସ୍ଥାନୀୟ ଲୋକେ ଅଭିଯୋଗ ଜଣାଇବାକୁ ଥାନାରେ ପହଞ୍ଚିଥିବା ବେଳେ ଉଭୟ ପକ୍ଷ ମଧ୍ୟରେ ଆପୋଷ ବୁଝାମଣା କରିବାକୁ ଥାନା ଅଧିକାରୀ ଉଦ୍ୟମ କରିଛନ୍ତି। କିନ୍ତୁ ଜନତାଙ୍କ ରକ୍ଷକ ସାଜିଥିବା ପୋଲିସ ଲୋକଙ୍କ ଛେଳି ଚୋରି କରି ଖାଇବା ମାମଲାରୁ ସର୍ବସାଧାରଣରେ ତିବ୍ର ସମାଲୋଚନା କରାଯାଉଛି। ଅନ୍ୟପଟେ ମିଥ୍ୟା ମାମଲାରେ ଫସେଇ ଦେବା ଧମକ ଦେଇଥିବାରୁ ଏଏସ୍ଆଇ ସୁମନ ମଲିକଙ୍କୁ ବିରୁଦ୍ଧରେ କୋଠର କାର୍ଯ୍ୟାନୁଷ୍ଠାନ ଦାବି କରାଯାଉଛି।