ଭୁବନେଶ୍ୱର ଫେରିଲେ ବାବୁସାନ୍
ଆଗୁଆ ଜାମିନ୍ ପାଇଁ ହାଇକୋର୍ଟରେ ଆବେଦନ କଲେ
ଭୁବନେଶ୍ୱର : ବାବୁସାନ୍ -ପ୍ରକୃତି-ତୃପ୍ତି ବିବାଦ ଘନେଇବା ପରେ ସମସ୍ତଙ୍କ ନଜର ଥିଲା ବାବୁସାନ୍ କେବେ ଫେରିବେ । ଘଟଣାର ୪ ଦିନ ପରେ ବାବୁସାନ୍ ବୁଧବାର ସକାଳେ ଭୁବନେଶ୍ୱର ଫେରିଛନ୍ତି । ସକାଳ ପ୍ରାୟ ସାଢେ ୮ଟାରେ ଚେନ୍ନାଇରୁ ବିମାନ ଯୋଗେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଂଚି ସେଠାରୁ ସେ ସିଧାସଳଖ ଜଗନ୍ନାଥ ବିହାରସ୍ଥିତ ନିଜ ବାପାମା’ଙ୍କ ପାଖକୁ ଯାଇଛନ୍ତି । ସେହିପରି ଓଲିଉଡ ଅଭିନେତା ବାବୁସାନ୍ ମହାନ୍ତି ଆଗୁଆ ଜାମିନ୍ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ବାବୁସାନଙ୍କ ବିରୋଧରେ ନିର୍ଯାତନା ଓ ଧମକ ଦେବା ନେଇ ପତ୍ନୀ ତୃପ୍ତି ଅଭିଯୋଗ କରିଥିଲେ । ପୋଲିସ ନିକଟରେ ତୃପ୍ତି ନିର୍ଦ୍ଦିଷ୍ଟ ଭାବେ ବାବୁସାନ ଓ ପ୍ରକୃତି ମିଶ୍ରଙ୍କ ବିରୋଧରେ ଅଭିଯୋଗ କରିଥିଲେ । ପୋଲିସ ତୃପ୍ତିଙ୍କ ଏତଲା ଆଧାରରେ ଆଇପିସିର ଦଫା ୪୯୮-କ ଓ ୫୦୬ରେ ମାମଲା ରୁଜୁ କରିଥିଲା । ଏହି ମାମଲାରେ ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବା ପାଇଁ ବାବୁସାନ ହାଇକୋର୍ଟରେ ଆବେଦନ କରିଛନ୍ତି । ବାବୁସାନଙ୍କ ତରଫରୁ ଆଇନଜୀବୀ ଆକାଶ ଭୂୟାଁ ମାମଲା ପରିଚାଳନା କରୁଛନ୍ତି ।
ସୂଚନା ଅନୁସାରେ ଗତ ୨୩ ତାରିଖ ଦିନ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ବାବୁସାନ ଭୁବନେଶ୍ୱର ବିମାନବନ୍ଦରକୁ ଯାଉଥିବା ବେଳେ ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ ବାବୁସାନଙ୍କୁ ମାରିବା ସହ ପ୍ରକୃତିଙ୍କୁ ଟଣାଓଟରା କରିଥିଲେ । ଏହି ଘଟଣାରେ ପ୍ରକୃତି ମିଶ୍ରଙ୍କ ବାପା ମନ୍ମଥ ମିଶ୍ର ତୃପ୍ତି ଶତପଥୀ ଓ ତାଙ୍କ ବାପାଙ୍କ ନାମରେ ଥାନାରେ ଏତଲା ଦେଲା ପରେ ତୃପ୍ତି ମଧ୍ୟ ଭୁବନେଶ୍ୱରସ୍ଥିତ ଖାରବେଳ ନଗର ଥାନାରେ ପ୍ରକୃତିଙ୍କ ବିରୋଧରେ ଏତଲା ଦେଇଥିଲେ । ଘଟଣା ପରେ ଉଭୟ ବାବୁସାନ୍ ଓ ପ୍ରକୃତି ଚେନ୍ନାଇ ଚାଲି ଯାଇଥିଲେ । ଗତକାଲି ପ୍ରକୃତି ଫେରିବା ପରେ ଖାରବେଳ ନଗର ପୋଲିସ୍ ତାଙ୍କୁ ଜେରା କରିଥିଲା ।