କ୍ରିକେଟରେ ପାକିସ୍ତାନ ଖେଳାଳିଙ୍କ ଦବଦବା ! ବାବର ଶ୍ରେଷ୍ଠ ଦିନିକିଆ ଓ ରିଜୱାନ୍ ବେଷ୍ଟ ଟି-୨୦ ଖେଳାଳୀ
ନୂଆଦିଲ୍ଲୀ : କ୍ରିକେଟରେ ପାକିସ୍ତାନ ଖେଳାଳିଙ୍କ ଦବଦବା । ପାକିସ୍ତାନ କ୍ରିକେଟ ଟିମ୍ର ଅଧିନାୟକ ବାବର ଆଜମ୍ ବର୍ଷ ୨୦୨୧ ପାଇଁ ଶ୍ରେଷ୍ଠ ଦିନିକିଆ କ୍ରିକେଟର ହୋଇଛନ୍ତି । ଇଂଟରନେସନାଲ କ୍ରିକେଟ କାଉନସିଲ୍ (ଆଇସିସି) ଦ୍ୱାରା ବାବର ଆଜମ୍ଙ୍କୁ ଶ୍ରେଷ୍ଠ ଦିନିକିଆ କ୍ରିକେଟର ଘୋଷଣା କରାଯାଇଛି । ଗତ ବର୍ଷ ବାବର୍ ମାତ୍ର ୬ଟି ଦିନିକିଆ ଖେଳିଥିଲେ ସୁଦ୍ଧା ତାଙ୍କ ପ୍ରଦର୍ଶନକୁ ଦେଖି ଆଇସିସି ଏହି ସମ୍ମାନଜନକ ଉପାଧି ପ୍ରଦାନ କରିଛି । ନିଜ ପ୍ରଦର୍ଶନ ବଳରେ ସେ ବିଶ୍ୱର ଅନେକ ଖେଳାଳିଙ୍କୁ ପ୍ରଭାବିତ କରିଛନ୍ତି ।
ପାକିସ୍ତାନର ଅଧିନାୟକ ବାବର ଆଜମ୍ଙ୍କ ବ୍ୟତିତ ଆଇସିସି ଦିନିକିଆ କ୍ରିକେଟର ଅଫ୍ ଦି ଇୟର ଦୌଡରେ ବାଂଲାଦେଶର ସାକିବ ଉଲ୍ ହାସନ, ଦକ୍ଷିଣ ଆଫ୍ରିକାର ଜାନେମନ୍ ମଲାନ ଏବଂ ଆୟରଲାଣ୍ଡର ପୋଲ ଷ୍ଟାର୍ଲିଙ୍ଗ ଥିଲେ । କିନ୍ତୁ ସମସ୍ତଙ୍କୁ ପଛରେ ପକାଇ ବାବର୍ ଆଜମ୍ ଏହି ଉପଲବ୍ଧି ହାସଲ କରିଛନ୍ତି । ଗତ ବର୍ଷ ଆୟରଲାଣ୍ଡର ପୋଲ ଷ୍ଟାର୍ଲିଙ୍ଗ ମୋଟ ୧୪ଟି ଦିନିକିଆ ଖେଳିଥିବା ବେଳେ ୭୦୫ ରନ୍ ସଂଗ୍ରହ କରିଥିଲେ । ସେହିଭଳି ଦକ୍ଷିଣ ଆଫ୍ରିକାର ଜାନେମନ୍ ମଲାନ ୮ ଦିନିକିଆରୁ ୫୦୯ ରନ ସଂଗ୍ରହ କରିଥିଲେ । ପାକିସ୍ତାନର ବାବର ଆଜମ୍ ୬ଟି ଦିନିକିଆ ଖେଳିଥିଲେ ସୁଦ୍ଧା ୬୭.୫୦ ହାରରେ ୪୦୫ ରନ କରିଥିଲେ । ଯେଉଁଥିରେ ଦୁଇଟି ଶତକ ମଧ୍ୟ ସାମିଲ ଥିଲା । ଗତ ବର୍ଷ ସେ ୨ଟି ଦିନିକିଆ ସିରିଜ୍ ଖେଳିଥିଲେ ସୁଦ୍ଧା ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଥିଲେ । ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍ରେ ୨-୧ରେ ପାକିସ୍ତାନ ସିରିଜ୍ ଜିତିଥିବା ବେଳେ ବାବର ଏକାକି ୨୨୮ ରନ କରିଥିଲେ । ପରେ ଅବଶ୍ୟ ଇଂଲଣ୍ଡ ଟିମ୍ ପାକିସ୍ତାନକୁ ୩-୦ରେ ମାତ୍ ଦେଇଥିଲା । କିନ୍ତୁ ସେହି ସିରିଜ୍ରେ ମଧ୍ୟ ବାବର ୧୭୭ ରନ କରିଥିଲେ । ସେହିଭଳି ସାଉଥ୍ ଆଫ୍ରିକାର ଲିଜେଲେ ଲି’ ଦିନିକିଆରେ ମହିଳା କ୍ରିକେଟର ଅଫ୍ ଦି ଇୟର ହୋଇଛନ୍ତି ।
ଇଂଟରନାସନାଲ କ୍ରିକେଟ କାଉନସିଲ୍ ଦ୍ୱାରା ଦକ୍ଷିଣ ଆଫ୍ରିକାର ଅଭିଜ୍ଞ ଅମ୍ପାୟାର ମରାଇସ୍ ଏରସମସ୍ଙ୍କୁ ‘ଅମ୍ପାୟାର ଅଫ୍ ଦି ଇୟର’ରେ ସମ୍ମାନିତ କରାଯାଇଛି । ସେହିଭଳି ପାକିସ୍ତାନୀ କ୍ରିକେଟର ମହମ୍ମଦ ରିଜୱାନ୍ ଟି-୨୦ କ୍ରିକେଟର ଅଫ୍ ଦି ଇୟର ହୋଇଛନ୍ତି । ଆଇସିସି ଏମର୍ଜିଙ୍ଗ୍ ପ୍ଲେୟାର ଅଫ୍ ଦି ଇୟର ହୋଇଛନ୍ତି ଦକ୍ଷିଣ ଆଫ୍ରିକା କ୍ରିକେଟର ଜାନେମନ ମଲାନ୍ । ଆଇସିସି ମେନ୍ସ କ୍ରିକେଟର ଅଫ୍ ଦି ଇୟର ଓମାନ୍ର ଜିସାନ୍ ମକ୍ସୁଦ ହୋଇଥିବା ବେଳେ, ଇଂଲଣ୍ଡର ଟାମି ବେମୋଂଟ ଟି-୨୦ ମହିଳା କ୍ରିକେଟର ଅଫ୍ ଦି ଇୟର ହୋଇଛନ୍ତି । ସେହିଭଳି ପାକିସ୍ତାନ ମହିଳା ଟିମ୍ର ଫାତିମା ସିନା ଆଇସିସି ଏମର୍ଜିଙ୍ଗ୍ ୱମେନ୍ସ କ୍ରିକେଟର ଅଫ୍ ଦି ଇୟର ହୋଇଛନ୍ତି ।
୨୦୨୧ ବର୍ଷରେ ବାବରଙ୍କ ଶ୍ରେଷ୍ଠ ପ୍ରଦର୍ଶନ ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ଦେଖିବାକୁ ମିଳିଥିଲା । ଏହି ମ୍ୟାଚ୍ରେ ପାକିସ୍ତାନ ଅଡ଼ୁଆରେ ପଡ଼ିଥିଲା । ହେଲେ ବାବର ଦମଦାର ବ୍ୟାଟିଂ କରି ଇମାମ ଉଲ ହକଙ୍କ ସହ ୯୨ ରନ୍ର ଭାଗିଦାରୀ କରିଥିଲେ । ପ୍ରଥମେ ସେ ୭୨ ବଲରେ ୫୦ ରନ୍ କରିଥିଲେ । ଏହାପରେ ଆଉ ୩୨ ବଲ୍ରେ ଶତକ ଅର୍ଜନ ହାସଲ କରି ନିଜ ଯାଦୁ ଦେଖାଇଥିଲେ । ଏହା ୨୦୨୧ରେ ତାଙ୍କର ଦ୍ୱିତୀୟ ଶତକ ଥିଲା । ଏହି ମ୍ୟାଚ୍ରେ ସେ ସେ ୧୫୮ ରନ୍ର ଇନିଂସ୍ ଖେଳିଥିଲେ । ଏହା ତାଙ୍କ ଦିନିକିଆ କ୍ୟାରିୟରର ସର୍ବଶ୍ରେଷ୍ଠ ବ୍ୟକ୍ତିଗତ ସ୍କୋର । ଏହି ପ୍ରଦର୍ଶନ ପାଇଁ ତାଙ୍କୁ ଆଇସିସି ‘ଦିନିକିଆ କ୍ରିକେଟର୍ ଅଫ୍ ଦି ଇୟର୍’ ପୁରସ୍କାର ମିଳିଛି । ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକାର ବରିଷ୍ଠ ଅମ୍ପାୟାର ମାରାଇସ ଏରାସମସଙ୍କୁ ଆଇସିସି ଅମ୍ପାୟାର ଅଫ ଦି ଇୟର ପୁରସ୍କାର ମିଳିଛି । ସେ ତୃତୀୟ ଥର ପାଇଁ ଏହି ପୁରସ୍କାର ଜିତିଛନ୍ତି । ୨୦୧୬ ଓ ୨୦୧୭ରେ ତାଙ୍କୁ ଆଇସିସିର ଏହି ବଡ଼ ପୁରସ୍କାର ମିଳିଥିଲା ।