ବାବା ପଞ୍ଚଲିଙ୍ଗେଶ୍ୱର
ଶିବ ବା ମହାଦେବ ହିନ୍ଦୁମାନଙ୍କ ଶ୍ରେଷ୍ଠ ଦେବତାତ୍ରୟଙ୍କ ମଧ୍ୟରୁ ଅନ୍ୟତମ ଓ ପରମେଶ୍ୱରଙ୍କ ସଂହାରଶକ୍ତି । ମହାଦେବଙ୍କୁ ଶକ୍ତିନିହିତ ଲିଙ୍ଗମୂର୍ତ୍ତିରେ ପୂଜା କରାଯାଏ । ତିନି ଗୋଟି ଆଖି, ପାଞ୍ଚ ଗୋଟି ମୁଖ, ବୃଷଭ ଏହାଙ୍କର ବାହାନ। ଅତ୍ରିମୁନି ଏହାଙ୍କର ଗୁରୁ । ସବୁପ୍ରକାର ଅସ୍ତ୍ରଶସ୍ତ୍ର ଚାଳନାରେ ଏ ଦକ୍ଷ । ତ୍ରିଶୁଳ ଏହାଙ୍କର ପ୍ରଧାନ ଆୟୁଧ। ଏହାଙ୍କ ଧନୁର ନାମ ପିନାକ । ଡମରୁ ଏହାଙ୍କ ବାଦ୍ୟ ।ଏହାଙ୍କର ତାଣ୍ଡବ ନୃତ୍ୟ ଅତି ଭୟଙ୍କର । ଏହାଙ୍କ ବାସ କୈଳାଶଶିଖର । ଏହାଙ୍କ ପରିଧାନ ବ୍ୟାଘ୍ରଚର୍ମ।ସର୍ପ ଏହାଙ୍କର କଟିବନ୍ଧ ଓ ଉତ୍ତରୀୟ । ଦେହ ଭସ୍ମ ବୋଳା, ମୁଣ୍ଡରେ ଜଟା ଓ ଜଟାରେ ଗଙ୍ଗା ପ୍ରବହମାନା । ନନ୍ଦୀ ଏହାଙ୍କ ପ୍ରଧାନ ପାର୍ଶ୍ୱଚର । ପ୍ରମଥଗଣ ବା ଭୁତପ୍ରେତ ଏହାଙ୍କର ସହଚର ।ପାର୍ବତୀ ହେଉଛନ୍ତି ଶିବଙ୍କ ଶକ୍ତି଼।ଶିବ ପରାଶକ୍ତିଦ୍ୱାରା ପ୍ରକାଶିତ ହୁଅନ୍ତି । ଅର୍ଥାତ ଶିବଙ୍କ ଜ୍ୟୋତି ହେଉଛି ପରାଶକ୍ତି ।
ବ୍ରହ୍ମା-ବିଷ୍ଣୁ-ମହେଶ୍ୱରଙ୍କୁ ହିନ୍ଦୁଧର୍ମ ବିଶ୍ୱାସରେ ସୃଷ୍ଟି, ସ୍ଥିତି ଓ ସଂହାରର ନିୟନ୍ତା ରୂପେ ବିବେଚନା କରାଯାଏ । ମହେଶ୍ୱର ଶିବ ସୃଷ୍ଟିର ସମସ୍ତ ଅନିଷ୍ଟକାରୀ, ଅପଶକ୍ତି, ଅନ୍ୟାୟ ଓ ଅନୀତିକୁ ସଂହାର କରି ସଂସାରକୁ ସୁଖଶାନ୍ତି ପ୍ରଦାନ କରନ୍ତି । ସେ ଦେବଦେବ ମହାଦେବ-ସତ୍ୟ, ଶିବ, ସୁନ୍ଦର । ସେ ଅକାଳମୃତ୍ୟୁ ହରଣର ମହାଶକ୍ତି ମୃତ୍ୟୁଞ୍ଜୟ । ସାଗର ମନ୍ଥନରୁ ଜାତ ହଳାହଳ ବିଷ ପ୍ରକୋପରୁ ସମଗ୍ର ସୃଷ୍ଟିକୁ ରକ୍ଷା କରିବା ପାଇଁ ଶିବ ସେହି ବିଷ ନିଜେ ପାନ କରିଦେବାରୁ ତାଙ୍କର କଣ୍ଠ ନୀଳବର୍ଣ୍ଣ । ତେଣୁ ତାଙ୍କର ନାମ ନୀଳକଣ୍ଠ ମୃତ୍ୟୁଞ୍ଜୟ । ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରି ଶିବଙ୍କ କୃପାରୁ ମନୁଷ୍ୟ ଅକାଳ ମୃତ୍ୟୁକୁ ଜୟ କରିପାରେ । ଶିବ ପଞ୍ଚାକ୍ଷର ମନ୍ତ୍ର ଓଁ ନମଃ ଶିବାୟ ଜପର ଫଳ ସ୍ୱରୂପ ମନୁଷ୍ୟ ସଦଜ୍ଞାନ ଲାଭକରି ସାଂସାରିକ ଦୁଃଖତାପରୁ ମୁକ୍ତି ପାଏ । ଜୀବଜଗତର ଜନ୍ମ ମୃତ୍ୟୁର କାଳ ସ୍ୱରୂପ ଶିବ ହେଉଛନ୍ତି ମହାକାଳେଶ୍ୱର । ଯେଉଁମାନେ ଶିବଙ୍କର ଭକ୍ତ ସେମାନଙ୍କୁ ଶୈବ କୁହାଯାଏ । ମହାଦେବ ତନ୍ତ୍ର ଶାସ୍ତ୍ରର ପ୍ରଣେତା । ତନ୍ତ୍ର ଶାସ୍ତ୍ରରେ ଶକ୍ତି ପୂଜାହିଁ ପ୍ରଧାନ ଅଙ୍ଗ । ତାନ୍ତ୍ରୀକ ମତରେ ଶକ୍ତି ଉପାସନାକାରୀମାନଙ୍କୁ ଶାକ୍ତ କୁହାଯାଏ । ଶିବଙ୍କୁ ଉପାସନା କରି କରାଯାଉଥିବା ପର୍ବପର୍ବାଣୀ ମଧ୍ୟରେ ମହା ଶିବରାତ୍ରି (ଜାଗର ଯାତ୍ରା) ଓ ବୋଲ ବମ ପ୍ରଧାନ ଅଟେ ।
ପଞ୍ଚାନନ: ଶିବଲିଙ୍ଗରେ ପାଞ୍ଚଟି ମୁଖଥିଲେ, ତାଙ୍କୁ ପଞ୍ଚାନନ ଶିବ କୁହାଯାଏ । ପଞ୍ଚାନନ ଶିବଙ୍କର ପାଞ୍ଚ ମୁଖର ନାମ ହେଲା: ସଦ୍ୟୋଜାତ, ବାମଦେବ, ଅଘୋର, ତତ୍ପୁରୁଷ ଏବଂ ଇଶାନ ।
ଆଶୁତୋଷ: ତାଙ୍କୁ ନିଷ୍ଠାର ସହିତ ପ୍ରାର୍ଥନା କଲେ, ସେ ଅବିଳମ୍ବେ ପ୍ରସନ୍ନ ହୋଇ ବର ପ୍ରଦାନ କରୁଥିବାରୁ ଆଶୁବର ପ୍ରଦାନକାରୀ ଆଶୁତୋଷ ।
ପଞ୍ଚଲିଙ୍ଗେଶ୍ୱର
ପଞ୍ଚଲିଙ୍ଗେଶ୍ୱର ଶିବ ମନ୍ଦିର ଓଡ଼ିଶାର ବାଲେଶ୍ୱର ଜିଲାର ନୀଳଗିରି ପାଖରେ ଥିବା ପଞ୍ଚଲିଙ୍ଗେଶ୍ୱରରେ ଅବସ୍ଥିତ । ଏହି ଲିଙ୍ଗଗୁଡ଼ିକର ଦର୍ଶନ କରିବା ପାଇଁ ଜଣକୁ ପାହାଡ଼଼ି ଚଟାଣ ଭିତରେ ବହିଯାଇଥିବା ଝରଣା ପାଣି ଦେଇ ହାତରେ ଛୁଇଁ ଜାଣିବାକୁ ପଡ଼ିବ । ଏଠାରେ ପାହାଡ଼଼ୀ ଝରଣା ଭିତରେ ପାଞ୍ଚୋଟି ଶିବଲିଙ୍ଗ ପୂଜାପାଉଛନ୍ତି ଯାହାଙ୍କ ନାମ ଅନୁସାରେ ଏହି ଜାଗାର ନାମ ପଞ୍ଚଲିଙ୍ଗେଶ୍ୱର ହୋଇଅଛି । ବାଲେଶ୍ୱର ସମୁଦ୍ର ଉପକୂଳରେ ବଙ୍ଗୋପସାଗରର ବେଳାଭୂମିକୁ ସାମନ୍ତରାଳଭାବରେ କୁପାରୀ ଠାରୁ ନୀଳଗିରି ପର୍ଯ୍ୟନ୍ତ ପୂର୍ବଘାଟ ପର୍ବତମାଳା ଲମ୍ବିଆସିଛି । ୧୦୦୦ ଫୁଟ ଛୋଟ ଛୋଟ ପାହାଡ଼ “ଦେବଗିରି” ପର୍ବତମାଳାର ପଞ୍ଚେଲିଙ୍ଗେଶ୍ୱର ଏକ ଅଂଶ ବିଶେଷ । ଏହି ଶୈବପୀଠର ପାଦଦେଶରେ ଝରଣାଟିଏ ବହିଯାଇଛି । ଏହି ଜଳସ୍ରୋତ ମଧ୍ୟରେ ଅଦୃଶ୍ୟ ପାଞ୍ଚଗୋଟି ଲିଙ୍ଗ ହେଉଛନ୍ତି ପଞ୍ଚେଲିଙ୍ଗେଶ୍ୱର ପୀଠ । ଭକ୍ତମାନେ ଜଳସ୍ରୋତ ମଧ୍ୟରେ ପଞ୍ଚେଲିଙ୍ଗେଶ୍ୱରଙ୍କୁ ଦର୍ଶନ କରି ପୂଜାକରନ୍ତି । ପ୍ରସ୍ତର ଉପରେ ବସି ପୁଜକ ଶିବଲିଙ୍ଗ ପୂଜା କରିଥାନ୍ତି । ରାଜ୍ୟ ପର୍ଯ୍ୟଟନ ତରଫରୁ ଯାତ୍ରୀନିବାସର ଆନୁସାଙ୍ଗିକ ବ୍ୟବସ୍ଥା ମଧ୍ୟ ରହିଛି । ସରସ୍ୱତୀ ପୂଜା ସମୟରେ ପାଞ୍ଚ ଦିନ ବ୍ୟାପୀ ମେଳା ହୁଏ । ବହୁ ଲୋକ ଏଠାକୁ ଆସି ଦେବଦର୍ଶନ କରିଥାନ୍ତି ଓ ମନୋହାରୀ ଜିନିଷ କିଣିଥାନ୍ତି । ଦେବଗିରି ପର୍ବତର ଶିଖର ଦେଶରେ ମଣ୍ଡଳେଶ୍ୱରୀ ଦେବୀସ୍ଥାନ ରହିନ୍ତି । ଏହାଙ୍କୁ ବର୍ଷାଦେବୀ ମଧ୍ୟ କହାଯାଏ । ବର୍ଷା ନହେଲେ ଦେବୀଙ୍କୁ ପୂଜାକଲେ ବର୍ଷା ହୋଇଥାଏ ବୋଲି ଲୋକବିଶ୍ୱାସ ରହିଛି । ଦେବଗିରି ପର୍ବତମାଳା ପରିବେଷ୍ଟିତ ପର୍ବତର ଶୀର୍ଷଦେଶରୁ ମଙ୍ଗଳପୁର ପ୍ରାଚୀନ ପଥ ଓ ଦୁର୍ଗପର୍ଯ୍ୟନ୍ତ ଏକ ସୁଡ଼ଙ୍ଗ ରହିଛି । ଜନଶୃତି ଅଛି ଯେ ପଞ୍ଚଲିଙ୍ଗେଶ୍ୱର ପାହାଡ଼ର ପାଦଦେଶରୁ ଏହି ସୁଡଙ୍ଗ ରହିଛି ।
ଗମନାଗମନ
ଏହା ନୀଳଗିରି ଠାରୁ ୧୦ କିଲୋମିଟର, ବାଲେଶ୍ୱର ଠାରୁ ୩୦ କି.ମି. ଓ ବାରିପଦା ଠାରୁ ୮୫ କିମି ଦୂରତାରେ ରହିଅଛି। ଏହି ଦୁଇ ସହର ଠାରୁ ବସଯୋଗେ ଗମନାଗମନର ସୁବିଧା ଅଛି । ଏଠାରେ ଏକ ସରକାରୀ ପାନ୍ଥଶାଳା ଅଛି ।