୨୭ ମାସ ପରେ ଜେଲରୁ ମୁକୁଳିଲେ ଆଜମ ଖାନ
ଲକ୍ଷ୍ନୌ: ଏକ ଠକେଇ ମାମଲାରେ ସୁପ୍ରିମକୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିବା ପରେ ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ ଖାନ ଶୁକ୍ରବାର ଉତ୍ତରପ୍ରଦେଶର ସୀତାପୁର ଜେଲରୁ ମୁକୁଳିଛନ୍ତି । ଏହି ମାମଲାରେ ସେ ଗତ ୨୭ ମାସ ଧରି ଜେଲରେ ଥିଲେ । ଗତ ଗୁରୁବାର ଆଜମ ଖାନଙ୍କ ଜାମିନ ଆଦେଶ ଦେଇଥିଲେ ସୁପ୍ରିମକୋର୍ଟ । କିନ୍ତୁ କୋର୍ଟ ସାର୍ଟିଫାଇଡ କପି ଜେଲରେ ପହଞ୍ଚି ପାରି ନଥିବାରୁ ଜେଲରୁ ବାହାରିବା ନେଇ ବିଳମ୍ବ ଦେଖାଦେଇଥିଲା । ତେବେ ବିଳମ୍ବିତ ରାତିରେ ତାଙ୍କର ଜାମିନ ଆଦେଶ ସୀତାପୁର ଜେଲରେ ପହଞ୍ଚିଥିଲା ।
ଆଜମଙ୍କୁ ଜେଲରୁ ନେବା ପାଇଁ ତାଙ୍କର ଦୁଇ ପୁଅ ପହଞ୍ଚିଥିଲେ । ସେହିପରି ଶିବପାଲ ଯାଦବ ମଧ୍ୟ ତାଙ୍କୁ ସ୍ୱାଗତ କରିବାକୁ ଯାଇଥିଲେ । ଏପ୍ରସଙ୍ଗରେ ଶିବପାଲ କହିଥିଲେ ଯେ, ନ୍ୟାୟର ବିଜୟ ହୋଇଛି । ଆଜମ ଖାନ ଓ ସତ୍ୟର ଜୟ ହୋଇଛି । ସେମାନେ ସମାଜବାଦୀ ଅଟନ୍ତି । ସୁଖ ଦୁଃଖରେ ସେମାନେ ସମସ୍ତଙ୍କ ସାଥିରେ ରହିବେ ବୋଲି କଥା ଦେଇଥିଲେ । ତେବେ ଅଖିଲେଶ ଯାଦବଙ୍କ ସହ ମନାନ୍ତର ପ୍ରସଙ୍ଗକୁ ସେ ଏଡାଇ ଯାଇଥିଲେ । ସେହିପରି ଆଜମ ଖାନଙ୍କ ମୁକ୍ତି ପରେ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ଟ୍ୱିଟ କରି ତାଙ୍କୁ ସ୍ୱାଗତ କରିଛନ୍ତି। ସମାଜବାଦୀ ପାର୍ଟିର ଅଫିସିଆଲ ଟ୍ଵିଟର ହ୍ୟାଣ୍ଡେଲରୁ କରାଯାଇଥିବା ଏକ ଟ୍ବିଟରେ ଆଜମ ଖାନଙ୍କ ଅନ୍ତରୀଣ ଜାମିନକୁ ନ୍ୟାୟର ବିଜୟ ବୋଲି ବର୍ଣ୍ଣନା କରାଯାଇଛି। ଅନ୍ୟପକ୍ଷରେ ପ୍ରଗତିଶୀଳ ସମାଜବାଦୀ ପାର୍ଟି (ଲୋହିଆ) ସଂଯୋଜକ ଶିବପାଲ ସିଂ ଯାଦବ ଆଜି ସୀତାପୁରରେ ଆଜମ ଖାନଙ୍କୁ ଭେଟିବେ। ସେ ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି। ଜାଲିଆତି ମାମଲାରେ ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କୁ ସୁପ୍ରିମକୋର୍ଟ ଗୁରୁବାର ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ । ଆସନ୍ତା ଦୁଇ ସପ୍ତାହ ମଧ୍ୟରେ କୋର୍ଟରେ ନିୟମିତ ଜାମିନ ଆବେଦନ କରିବାକୁ କୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଯେ, ଆଜମ ଖାନଙ୍କ ନାଁରେ ୮୮ଟି ମାମଲା ରୁଜୁ ହୋଇଛି । ଏଥିରୁ ପୂର୍ବରୁ ୮୭ଟି ମାମଲାରେ ଜାମିନ ମିଳି ସାରିଥିଲା । ବିଗତ ଦିନରେ ଲେଖାଯାଇଥିବା ଏକ ମୋକଦ୍ଦମାରେ ଶୁଣାଣିରେ ବିଳମ୍ବ କାରଣରୁ ସର୍ବୋଚ୍ଚ ନ୍ୟାୟଳୟ ନିଜର ବିଶେଷାଧିକାର ପ୍ରୟୋଗ କରି ଆଜମ ଖାନଙ୍କୁ ୧-୧ ଲକ୍ଷ ଟଙ୍କା ବେଲ ବଣ୍ଡ୍ ଜରିଆରେ ଅନ୍ତରୀଣ ଜାମିନ ଦେଇଥିଲେ ।