ବର୍ଷାଜଳ ସଞ୍ଚୟ ନିମନ୍ତେ ସଚେତନତା. ଶପଥ ନେଲେ ଗ୍ରାମବାସୀ
ବାଲେଶ୍ୱର : ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ରଣସାହି ଓ ଗୁଡୁ ପଞ୍ଚାୟତରେ ନେହେରୁ ଯୁବକେନ୍ଦ୍ର ବାଲେଶ୍ୱର ଓ ସାମାଜିକ ସଂଗଠନ ମୁନ୍ କମ୍ୟୁନିକେସନ ତରଫରୁ ବର୍ଷାଜଳ ସଂରକ୍ଷଣ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପ୍ରାକ୍ ମୌସୁମୀକୁ ଆଖି ଆଗରେ ରଖି ବର୍ଷାଜଳ ସଂରକ୍ଷଣ ପାଇଁ ସାଧାରଣ ଲୋକଙ୍କୁ ଏଥିରେ ସାମିଲ କରିବା ନେଇ ସାଧାରଣ ସଭା, ରାଲି ଓ ଲିଫଲେଟ୍ ବଣ୍ଟନ କରାଯାଇଥିଲା ।
ମୁନ୍ କମ୍ୟୁନିକେସନର ସମ୍ପାଦକ ଅବନୀ କୁମାର ଜେନାଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମରେ ଅତିଥି ଭାବେ ନେହେରୁ ଯୁବକେନ୍ଦ୍ରର ଜିଲା ଯୁବ ଅଧିକାରୀ ରମେଶ କାପୁର ଯୋଗଦେଇ ଜଳସ୍ତର ହ୍ରାସ ଆମପାଇଁ ଏକ ସମସ୍ୟା ରୂପେ ଦେଖା ଦେଇଛି । ଫଳରେ ବର୍ଷାଜଳକୁ ବ୍ୟବହାର କରି ମାଟିତଳ ଜଳ ଉତ୍ସକୁ ବଢ଼ାଇବା ପାଇଁ ବିଭିନ୍ନ ଉପାୟ ସମ୍ପର୍କରେ ଆଲୋଚନା କରିଥିଲେ । ଶିକ୍ଷୟିତ୍ରୀ ସବିତା ନାୟକ କିଛିବର୍ଷ ଧରି ଭୂ-ଜଳସ୍ତର ହ୍ରାସ ହେବାକୁ ବସିଛି । ଏହା ଫଳରେ ସବୁଜ ବଳୟ ହ୍ରାସ ଓ ଜଳବାୟୁ ପରିବର୍ତ୍ତନ ପ୍ରଭାବ ପୃଥିବୀ ଉପରେ ପଡୁଛି । ଏଣୁ ଜଳ ଭଳି ଅମୂଲ୍ୟ ରତ୍ନକୁ ସଂରକ୍ଷଣ ପାଇଁ ବର୍ଷାଜଳକୁ ସୁପରିଚାଳନା କରିବା ଆବଶ୍ୟକ ବୋଲି ମତ ରଖିଥିଲେ । ୱାର୍ଡ଼ସଭ୍ୟ ଗୋବିନ୍ଦ ଲେଙ୍କା ସମସ୍ତଙ୍କୁ ଜଳର ଅପବ୍ୟବହାର ରୋକିବାକୁ ଶପଥ ପାଠ କରାଇଥିଲେ । ଶେଷରେ ବର୍ଷାଜଳ ସଂରକ୍ଷଣ ପାଇଁ ଲିଫ୍ଲେଟ୍ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ସନ୍ତୋଷ ନାୟକ, ମୂରଲୀଧର ମହାନ୍ତି ଓ ଜିତେନ୍ଦ୍ର ଦାସ ପ୍ରମୁଖ ସହଯୋଗ କରିଥିଲେ ।