ଶିମିଳିପାଳ ରେ ଅଖଣ୍ଡ ଶିକାର ରୋକିବାକୁ ସଚେତନତା ଅଭିଯାନ
ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ ଓ ଜୈବ ମଣ୍ଡଳ ଅଞ୍ଚଳରେ ଅଖଣ୍ଡ ଶିକାର ରୋକିବା ପାଇଁ ଏକ ସଚେତନତା ଅଭିଯାନ ବିଶୋଇ ଓ ମଣଦା ବନ ବିଭାଗ ପକ୍ଷରୁ ଆଜି ଅନୁଷ୍ଠିତ ହୋଇଯାଇଛି।ସୂଚନା ଯୋଗ୍ୟ ଯେ ପ୍ରତିବର୍ଷ ମହା ବିଷୁବ ବା ପଣା ସଂକ୍ରାନ୍ତି ଦିନ ଆଦିବାସୀ ମାନଙ୍କ ପକ୍ଷରୁ ପରମ୍ପରା ଅନୁଯାୟୀ ଏକ ଅଖଣ୍ଡ ଶିକାର ଆୟୋଜିତ ହୋଇଥାଏ।ଏହି ପାରମ୍ପରିକ ଅଖଣ୍ଡ ଶିକାରରେ ଶିମିଳିପାଳ ଓ ଏହାର ଚତୁର୍ପାଶ୍ୱରେ ବସବାସ କରୁଥିବା ଆଦିବାସୀ ମାନେ ବିଭିନ୍ନ ଶିକାର ପାଇଁ ବ୍ୟବହାର ଯୋଗ୍ୟ ଅସ୍ତ୍ରଶସ୍ତ୍ର ସହ ସମ୍ମିଳିତ ଭାବେ ଅଖଣ୍ଡ ଶିକାରରେ ସାମିଲ ହୋଇଥାନ୍ତି।ଉଲ୍ଲେଖନୀୟ ଯେ ଅଖଣ୍ଡ ଶିକାରରେ ଆଦିବାସୀ ମାନେ ସଫଳ ହେଲେ ଏହା ସେମାନଙ୍କ ଘର ଓ ଗ୍ରାମପାଇଁ ଶୁଭଙ୍କର ହେବା ସହ ବର୍ଷା ମଧ୍ୟ ଭଲ ହୋଇଥାଏ ବୋଲି ସେମାନଙ୍କର ପାରମ୍ପରିକ ଦୃଢ ବିଶ୍ବାସ ଓ ଧାରଣା ରହିଛି।କିନ୍ତୁ ଗତ କିଛି ବର୍ଷ ଧରି ଶିମିଳିପାଳ ଅଞ୍ଚଳରେ ବନ୍ୟ ଜୀବଜନ୍ତୁଙ୍କ ଅବାଧ ଓ ବେଆଇନ ଶିକାର ପାଇଁ ବିରଳ ବନ୍ୟପ୍ରାଣୀଙ୍କ ସଂଖ୍ୟା କ୍ରମେ ହ୍ରାସ ବା ବିଲୁପ୍ତ ହେଉଥିବାରୁ ଅଖଣ୍ଡ ଶିକାର କୁ ରୋକଯିବା ପାଇଁ ବନ ବିଭାଗ ପକ୍ଷରୁ ସଚେତନତା ଅଭିଯାନ ଚାଲୁ ରହିଛି।ଆଜିର ସଚେତନତା ରାଲିରେ ବିଶୋଇ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ପ୍ରମୋଦ କୁମାର ସେଠୀଙ୍କ ତତ୍ବାବଧାନରେ ଡେପୁଟି ରେଞ୍ଜର କ୍ଷୀରୋଦ ଚନ୍ଦ୍ର ସିଂ,ଵନପାଳ ସଞ୍ଜୟ ପ୍ରସାଦ ବେହେରା, ଗୁରୁଚରଣ ମଣ୍ଡଳ, ବନରକ୍ଷୀ ସନତ କୁମାର ବେହେରା,ଫୁଲମଣି ମହାନ୍ତ, ଶୁଭଦ୍ରା ପାତ୍ର ତଥା ଅନ୍ୟାନ୍ୟ କର୍ମଚାରୀ ଓ ସଚେତନ ଜନ ସାଧାରଣ ସାମିଲ ହୋଇଥିଲେ।ଦେଓପଟା,ଚୁଆକାଙ୍କର,ସାନ ବାଲିଚୁଆ,ଦାନ୍ତୁଣି,ବାହାଗାଳ,କଟାସ ଓ ଚଟାଣି ଆଦି ଗ୍ରାମରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।