ବାଲେଶ୍ୱର : କଂଗ୍ରେସ ପକ୍ଷରୁ ବର୍ଦ୍ଧିତ ଦର ବିରୁଦ୍ଧରେ ଲୋକଙ୍କୁ ସଚେତନ ଓ ଦସ୍ତଖତ ଅଭିଯାନ
- ପେଟ୍ରୋଲ, ଡିଜେଲ, ରନ୍ଧନଗ୍ୟାସ୍ ଓ ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ଦର ବୃଦ୍ଧି : ଜିଲାସଭାପତି ସଞ୍ଜିବ ଗିରି
ବାଲେଶ୍ୱର : ଭାରତୀୟ ଜାତୀୟ କଂଗ୍ରେସର ଅନ୍ତରଣୀୟ ସଭାପତି ସୋନିଆ ଗାନ୍ଧୀଙ୍କ ପରାମର୍ଶ ଓ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଗତ ୭ ତାରିଖ ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍ ଓ ଅତ୍ୟାବଶ୍ୟକ ସମାଗ୍ରୀର ଆକାଶଛୁଆଁ ଦର ବୃଦ୍ଧିକୁ କଠୋର ବିରୋଧ କରି ବିଭିନ୍ନ ଅନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ସାରା ଓଡ଼ିଶାରେ ଓଡ଼ିଶା କଂଗ୍ରେସ ତରଫରୁ ଆୟୋଜନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମର ଶେଷ ଦିନରେ ବାଲେଶ୍ୱର ଜିଲା କଂଗ୍ରେସ ତରଫରୁ ଜିଲା କଂଗ୍ରେସ ସଭାପତି ସଞ୍ଜୀବ କୁମାର ଗିରିଙ୍କ ନେତୃତ୍ୱରେ ବାର୍ଜୋଜି ପେଟ୍ରୋଲ ପମ୍ପରେ କଂଗ୍ରେସ କର୍ମୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ଅନୁସାରେ ପେଟ୍ରୋଲ ପକାଇବା ପାଇଁ ଆସୁଥିବା ଗ୍ରାହକମାନଙ୍କୁ ବର୍ଦ୍ଧିତ ଦର ବିରୁଦ୍ଧରେ ସଚେତନ କରାଇ ଏକ ବିରାଟ ଧଳା ଫ୍ଲେକ୍ସ ଉପରେ ଦସ୍ତଖତ ସଂଗ୍ରହ କରିଥିଲେ । ଏଥିରେ ଦେଖିବାକୁ ମିଳିଥିଲା ବହୁ ଗ୍ରାହକ ନିଜେ ନିଜେ ବ୍ୟକ୍ତିଗତ ଭାବେ ଆସି ଏହି ଫ୍ଲେକ୍ସରେ ନିଜ ନିଜର ଦସ୍ତଖତ କରିଥିଲେ ।
ସେହିପରି କାର୍ଯ୍ୟକ୍ରମ ଶେଷରେ ଛାତ୍ର କଂଗ୍ରେସ ତରଫରୁ ବିରୋଧ କରି ଷ୍ଟେସନ ଛକ ପେଟ୍ରୋଲ ପମ୍ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ଲାଗିଥିବା ଫ୍ଲେକ୍ସ ହୋଡ଼ିଂକୁ ଚିରି ବିଭିନ୍ନ ସରକାର ବିରୋଧୀ ଓ ମୋଦୀ ବିରୋଧୀ ସ୍ଲୋଗାନ ମାନ ଦେଇଥିଲେ । କାର୍ଯ୍ୟକ୍ରମରେ ଏଆଇଡବ୍ଲ୍ୟୁସି ରାଜ୍ୟ ଉପାଧ୍ୟକ୍ଷା ଜ୍ୟୋତ୍ସ୍ନା ସେନାପତି, ରାଜ୍ୟ ମହିଳା କଂଗ୍ରେସ ସାଧାରଣ ସମ୍ପାଦିକା ଅର୍ଚ୍ଚନା ନନ୍ଦୀ, ଜିଲା ମହିଳା କଂଗ୍ରେସ ସଭାପତି ପ୍ରଜ୍ଞା ପାରମିତା ମହାନ୍ତି, ଅଖିଳ ଭାରତ ଅଣ ସଙ୍ଗଠିତ ଶ୍ରମିକ କଂଗ୍ରେସ ଜିଲା ଅଧ୍ୟକ୍ଷ ବିକାଶ କୁମାର ଦାସ, ଯୁବ କଂଗ୍ରେସ ସଭାପତି ରଞ୍ଜନ ଦାସ, ଛାତ୍ର କଂଗ୍ରେସ ସଭାପତି ଗୌତମ ସାହୁ, ଗୋପୀନାଥ ପାଢ଼ୀ, ଦେବଦତ୍ତ ଦାସ, ଜୀବନ ମହାପାତ୍ର, ଜୀବନ ମହାପାତ୍ର, ଜୀବନ ବାରିକ, ସେକ୍ ୟୁନୁସ, ବିଦ୍ୟାଧର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।