ପୁରୀ ସହରରେ ବାଟ ଓଗାଳୁଛି ଅଟୋ
ପୁରୀ : ବିଶ୍ୱସ୍ତରୀୟ ସହର ଶ୍ରୀକ୍ଷେତ୍ର । ବିଶ୍ୱର ଚାରିଆଡ଼ୁ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ଶ୍ରୀକ୍ଷେତ୍ର ଆସୁଛନ୍ତି । ଗତକାଲି ବିଜୁ ଜନତା ଦଳ ପ୍ରତିଷ୍ଠା ନିବସରେ ସହର ଜାମ ହୋଇଗଲା । ଅଣନିଶ୍ୱାସୀ ହୋଇଗଲେ ସହରବାସୀ । ବିଶ୍ୱସ୍ତରୀୟ ସହରରେ ଏବେ ପ୍ରାୟ ୨୦ ହଜାର ଅଟୋ ବିଭିନ୍ନ ସାହିଗଳି କନ୍ଦି ସମେତ ବଡ଼ଦାଣ୍ଡରେ ବାଟ ଓଗାଳୁଥିବା ଦେଖିବାକୁ ମିଳୁଛି । ମାର୍କେଟ ଛକରେ ଅଟୋର ଲମ୍ବା ଲାଇନରେ ଚାଲିକରି ଅତିକ୍ରମ କରିବା କଷ୍ଟସାଧ୍ୟ ହୋଇପଡ଼ୁଛି । ସେହିପରି ଷ୍ଟେସନ ଛକରେ ହଜାର ହଜାର ଅଟୋ ଘଡ଼ ଘାଡ଼ କରି ବିଭିନ୍ନ ଆଡ଼େ ଯାଉଥିବା ଦେଖିବାକୁ ମିଳୁଛି । ହୋଟେଲରେ ରୁମ୍ ବୁକ୍ କରି ରଖାଇଦେଲେ କମିଶନ ମିଳୁଥିବାରୁ ଅଟୋ ଗୁଡ଼ିକ ଖୀପ୍ର ଗତିରେ ଚଳାଚଳ କରିବା ଦେଖିବାକୁ ମିଳୁଛି । ସହରବାସୀଙ୍କୁ ଏ ସ୍ଥାନରୁ ସେ ସ୍ଥାନକୁ ନେବା ପାଇଁ ଅରାଜି ହେଉଛନ୍ତି ଅଟୋ ଡ଼୍ରାଇଭର । ଭୁବନେଶ୍ୱର ଓ କଟକରେ ବିଭିନ୍ନ ସ୍ଥାନ ଓ ସାହିକୁ ଯିବା ପାଇଁ ଲାଇନ୍ ଅଟୋ ଥିବାବେଳେ ପୁରୀରେ କେବଳ ବଡ଼ଦାଣ୍ଡକୁ ଛାଡ଼ିଦେଲେ ଅନ୍ୟସ୍ଥାନକୁ ଯିବା ପାଇଁ ରିଜର୍ଭ କରିବାକୁ ପଡ଼ୁଛି ବୋଲି ପର୍ଯ୍ୟଟକମାନେ କହୁଛନ୍ତି । ବସଷ୍ଟାଣ୍ଡରୁ ଷ୍ଟେସନ,ବଳିଆପଣ୍ଡା,ହରଚଣ୍ଡୀ ସାହି,ମଙ୍ଗଳାଘାଟ,ଲୋକନାଥ ପୀଠ,ସୁନାର ଗୋøରଙ୍ଗ,ପେଣ୍ଠକଟା,ଶ୍ରୀବିହାର ଓ ଅନ୍ୟ ସ୍ଥାନକୁ ଯିବା ପାଇଁ ଲାଇନ୍ ଅଟୋ ବ୍ୟବସ୍ଥା ନଥିବାରୁ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ହନ୍ତସନ୍ତ ହେଉଛନ୍ତି । ଇ -ଅଟୋ ଓ ଡ଼ିଜେଲ ଅଟୋ ମଧ୍ୟରେ ଦ୍ୱନ୍ଦ ରହୁଥିବାରୁ ବିଭିନ୍ନ ସ୍ଥାନରେ ପାଟିତୁଣ୍ଡ ହେଉଥିବା ଦେଖିବାକୁ ମିଳୁଛି । ଅଧିକ ସଂଖ୍ୟକ ଅଟୋ ସହରରେ ଚାଲୁଥିବାରୁ ସହରର ପରିବେଶ ଦିନିକୁ ଦିନ ଦୂଷିତ ହୋଇପଡ଼ୁଛି । ବିଭିନ୍ନ ସାହି ଗଳିକନ୍ଦିରେ ଅଟୋ ଯାତାୟାତ ଯୋଗୁ ଟ୍ରାଫିକ ଜାମ ଅବସ୍ଥା ସୃଷ୍ଟି ହେଉଛି । ବସଷ୍ଟାଣ୍ଡରେ ବିଭିନ୍ନ ସ୍ଥାନକୁ ଯିବା ପାଇଁ ସ୍ୱତନ୍ତ୍ର ଅଟୋ ଷ୍ଟାଣ୍ଡ କରାଯିବା ପାଇଁ ସାଧାରଣରେ ଦାବି ହେଉଛି ।