ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ ପ୍ରଂଶସା କଲେ ଅଷ୍ଟ୍ରେଲିଆ ହାଇକମିଶନର
- କ୍ରୀଡା ଭିତିଭୂମି ଓ ବାଣିଜ୍ୟ କ୍ଷେତ୍ରରେ ଅଧିକ ସହଯୋଗ ପାଇଁ ସହମତି
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ଅଷ୍ଟ୍ରେଲିଆର ହାଇକମିଶନର ବ୍ୟାରୀ ଓଫାରେଲ ଏଓ ଙ୍କ ସହିତ ଆଲୋଚନା କରି ବିଭିନ୍ନ କ୍ଷେତ୍ରରେ ଅଷ୍ଟ୍ରେଲିଆ ସହିତ ଓଡିଶାର ଅଧିକ ସହଯୋଗ ସଂପର୍କରେ ଆଲୋଚନା କରିଛନ୍ତି । ବୈଠକରେ ଓଡିଶା ଯେପରି ଭାରତୀୟ ହକି ଦଳକୁ ପ୍ରୋତ୍ସାହନ ଦେଉଛି ଏବଂ ହକି ଖେଳରେ ଉନ୍ନତି ପାଇଁ ଓଡିଶା ଯେଭଳି ଭାବରେ ନେତୃତ୍ୱ ନେଇଛି, ସେଥିପାଇଁ ହାଇକମିଶନର ମୁଖ୍ୟମନ୍ତ୍ରୀଙ୍କର ଉଚ୍ଚପ୍ରଶଂସା କରିଥିଲେ । ଉଭୟ ଦେଶ ମଧ୍ୟରେ ବ୍ୟବସାୟ ଓ କାରିଗରୀ କୌଶଳ କ୍ଷେତ୍ରରେ ସହଯୋଗର ବ୍ୟାପକ ସମ୍ଭାବନା ଅଛି ବୋଲି ବୈଠକରେ ମତପ୍ରକାଶ ପାଇଥିଲା । ଏତଦ୍ବ୍ୟତୀତ ଓଡିଶାର ଦକ୍ଷ ମାନବ ସମ୍ବଳର ଉପଯୋଗ ଉପରେ ଆଲୋଚନା ହୋଇଥିଲା ।
ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଓଡିଶାରେ ହକି ବିଶ୍ୱକପ୍ ସମୟରେ ଅଷ୍ଟ୍ରେଲିଆ ଦଳର ଗସ୍ତ ସଂପର୍କରେ ମନେପକାଇ ଅଷ୍ଟ୍ରେଲିଆ ହକି ଦଳର ଦକ୍ଷତାର ଉଚ୍ଚପ୍ରଶଂସା କରିଥିଲେ । ଓଡିଶାରେ ବିଭିନ୍ନ କ୍ରୀଡା ଭିତିଭୂମି ସୃଷ୍ଟି, ଉନ୍ନତମାନର ତାଲିମ, ବିଶେଷ କରି ହକି ଖେଳକୁ ଅଧିକ ପ୍ରୋତ୍ସାହନ ଦେବା ଉପରେ ଓଡିଶା ଓ ଅଷ୍ଟ୍ରେଲିଆ ମଧ୍ୟରେ ଅଧିକ ସହଯୋଗ ପାଇଁ ଉଭୟ ସହମତି ପ୍ରକାଶ କରିଥିଲେ । ଏତଦ୍ବ୍ୟତୀତ ଖଣି ଅନୁସଂଧାନ କ୍ଷେତ୍ରରେ ଅଷ୍ଟ୍ରେଲିଆ ଓ ଓଡିଶା ମଧ୍ୟରେ ଅଧିକ ମିଳିତ ସହଯୋଗ ଉପରେ ବୈଠକରେ ଗୁରୁତ୍ୱ ଆରୋପ କରାଯାଇଥିଲା ।