ବାଂଲାଦେଶ ଠୁ ଦ୍ୱିତୀୟ ଟି-୨୦ରେ ବି ହାରିଲା ଅଷ୍ଟ୍ରେଲିଆ
ନୂଆଦିଲ୍ଲୀ : ଟି-୨୦ ବିଶ୍ୱ କପ୍ ପୂର୍ବରୁ ଅଷ୍ଟ୍ରେଲିଆର ନିରାଶଜନକ ପ୍ରଦର୍ଶନ ଜାରି ରହିଛି । ଅଷ୍ଟ୍ରେଲିଆ ଦଳ ଦ୍ୱିତୀୟ ଟି-୨୦ରେ ମଧ୍ୟ ବାଂଲାଦେଶ ହାତରୁ ପରାସ୍ତ ହୋଇଛି । ଢାକାର ଶେର ବାଂଲା ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍ରେ ଅଷ୍ଟ୍ରେଲିଆ ଦଳ ୫ ୱିକେଟ୍ରେ ଘରୋଇ ଦଳକୁ ପରାଜିତ ହୋଇଛି । ଏହି ବିଜୟ ସହ ବାଂଲାଦେଶ ପାଂଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ରେ ୨-୦ରେ ଅଗ୍ରଣୀ ହାସଲ କରିଛି । ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ୱିକେଟ୍ରେ ୧୨୧ ରନ କରିଥିଲା । ଜବାବରେ ବାଂଲାଦେଶ ୧୮.୪ ଓଭରରେ ୫ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ବାଂଲାଦେଶ ପକ୍ଷରୁ ଅଫିଫ ହୁସେନ ସର୍ବାଧିକ ୩୭ ରନର ଅପରାଜିତ ଇନିଂସ ଖେଳି ଦଳକୁ ବିଜୟୀ କରାଇଛନ୍ତି । ଶାକିବ ଅଲ ହାସନ ୨୬, ମେହଦି ହାସନ ୨୩ ଓ ନୁରୁଲ ହସନ ଅପରାଜିତ ୨୨ ରନ କରି ଦଳ ବିଜୟରେ ଉଲ୍ଲେଖନୀୟ ଅବଦାନ ଦେଇଛନ୍ତି ।
ଅଷ୍ଟ୍ରେଲିଆ ଦଳ ମିଚେଲ୍ ଷ୍ଟାର୍କ, ଜୋସ୍ ହେଜେଲଉଡଙ୍କ ପରି ବୋଲରଙ୍କ ଉପସ୍ଥିତିରେ ମଧ୍ୟ ବାଂଲାଦେଶୀ ବ୍ୟାଟସମ୍ୟାନଙ୍କୁ ଅଟକାଇପାରି ନଥିଲେ । ଷ୍ଟାର୍କ ୩ ଓଭରରେ ୧ ୱିକେଟ୍ ନେଇ ୨୮ ରନ ବ୍ୟୟ କରିଥିଲେ । ବାଂଲାଦେଶର ଧିମା ପିଚରେ ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନଙ୍କ କ୍ରମାଗତ ଦ୍ୱିତୀୟ ମ୍ୟାଚ୍ରେ ନିରାଶଜନକ ପ୍ରଦର୍ଶନ କରିଛନ୍ତି । ମିଚେଲ୍ ମାର୍ଶ (୪୫) ବାଦ୍ ଦେଲେ ଅଧିନାୟକ ମାଥ୍ୟୁ ୱାଦେ ୫, ଟର୍ଣ୍ଣର ୩, ଫିଲିପି ୧୦, ଆଲେକ୍ସ କେରି ୧୧ ରନ କରି ଦଳକୁ ନିରାଶ କରିଛନ୍ତି । ହେନରିକ୍ସ ୩୦ ରନର ଇନିଂସ ଖେଳିଥିଲେ ମଧ୍ୟ ଦଳ ପାଇଁ ତାହା ପର୍ଯ୍ୟାପ୍ତ ହୋଇନାହିଁ । ବାଂଲାଦେଶ ପକ୍ଷରୁ ମୁସ୍ତାଫିଜୁର ରେହମାନ ୩ ୱିକେଟ୍ ନେଇ ଅଷ୍ଟ୍ରେଲିଆ ଦଳକୁ ବଡ ସ୍କୋର କରିବାକୁ ଦେଇ ନାହାନ୍ତି । ଶୋରିଫୁଲ ଇସଲାମ ୨ ଓ ଶାକିବ ଉଲ ହସନ ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି ।