ଅବସର ଘୋଷଣା କଲେ ଅଷ୍ଟ୍ରେଲିଆର ପୂର୍ବତନ ଟେଷ୍ଟ ଅଧିନାୟକ ଟିମ୍ ପେନ୍
ମେଲ୍ବର୍ଣ୍ଣ: ଅବସର ଘୋଷଣା କଲେ ଅଷ୍ଟ୍ରେଲିଆର ପୂର୍ବତନ ଟେଷ୍ଟ ଅଧିନାୟକ ଟିମ୍ ପେନ୍ । କୁଇନ୍ସଲାଣ୍ଡ ବିପକ୍ଷ ତାସ୍ମାନିଆର ସେଫିଲ୍ଡ ସିଲ୍ଡ ପ୍ରଥମ ଶ୍ରେଣୀ ମ୍ୟାଚ୍ ଶେଷ ହେବାମାତ୍ରେ ପେନ୍ ଅବସର ସୂଚନା ଦେଇଥିଲେ । ଅଷ୍ଟ୍ରେଲିଆର ୨୦୧୮ ଦକ୍ଷିଣ ଆଫ୍ରିକା ଗସ୍ତ ବେଳେ ବଲ୍ ଟାମ୍ପରିଂ ସ୍କାଣ୍ଡାଲରେ ଛନ୍ଦି ହୋଇ ଷ୍ଟିଭ୍ ସ୍ମିଥ୍ ନେତୃତ୍ୱରୁ ହଟିଯିବା ପରେ ଦେଶର ୪୬ତମ ଟେଷ୍ଟ ଅଧିନାୟକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ପେନ୍ । ସେ ୨୦୧୮ରୁ ୨୦୨୧ ମଧ୍ୟରେ ମୋଟ ୩୫ ଟେଷ୍ଟ୍ ଖେଳିଥିଲା ବେଳେ ୨୩ରେ ଦଳର ନେତୃତ୍ୱ ନେଇଥିଲେ ।
ତେବେ ୨୦୨୧ ଶେଷ ଆଡ଼କୁ ସେ ନେତୃତ୍ୱରୁ ଓହରି ଯାଇଥିଲେ । ଏହାପରଠୁ ତାସ୍ମାନିଆ ପାଇଁ ଘରୋଇ କ୍ରିକେଟ୍ ଖେଳିବା ଜାରି ରଖିଥିଲେ । ୨୦୧୦ରେ ଲର୍ଡସ ଗ୍ରାଉଣ୍ଡରେ ପାକିସ୍ତାନ ବିପକ୍ଷରେ ପଦାର୍ପଣ କରିଥିବା ୱିକେଟ୍ରକ୍ଷକ/ବ୍ୟାଟର ପାଇନ ଟେଷ୍ଟ୍ରେ ୩୨.୬୩ ହାରରେ ରନ୍ କରିଥିଲେ । ତାଙ୍କର ସର୍ବୋଚ୍ଚ ସ୍କୋର୍ ୯୨ ଥିଲା ବେଳେ ଷ୍ଟମ୍ପ୍ ପଛରେ ୧୫୭ ଡିସ୍ମିସାଲ କରିଥିଲେ । ସେ ମଧ୍ୟ ଅଷ୍ଟ୍ରେଲିଆ ପାଇଁ ୩୫ ଦିନିନିଆ ଆନ୍ତର୍ଜାତିକ ମ୍ୟାଚ୍ ଖେଳିଥିଲେ । ତାସ୍ମାନିଆ ପାଇଁ ୨୦୦୫ରୁ ପଦାର୍ପଣ କରିଥିବା ପାଇନ ୧୮ ବର୍ଷ ମଧ୍ୟରେ ୧୫୩ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଥିଲେ ।