ଦିଲ୍ଲୀ କ୍ୟାପିଟାଲ୍ସର ବସ୍ ଉପରେ ଆକ୍ରମଣ, ୪ ଗିରଫ
ମୁମ୍ବାଇ : ଆଇପିଏଲ ଫ୍ରାଞ୍ଚାଇଜି ଦିଲ୍ଲୀ କ୍ୟାପିଟାଲ୍ସକୁ ନେଇ ମୁମ୍ବାଇରୁ ଆସିଛି ବଡ ଖବର । ଆଇପିଏଲ ୨୦୨୨ ମାର୍ଚ୍ଚ ୨୬ରୁ ମହାରାଷ୍ଟ୍ରରେ ଆରମ୍ଭ ହେବାକୁ ଯାଉଛି । ବର୍ତ୍ତମାନ ସମସ୍ତ ଆଇପିଏଲ ଦଳ ମୁମ୍ବାଇରେ ପହଞ୍ଚିବାରେ ଲାଗିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ମୁମ୍ବାଇରେ ପହଞ୍ଚି ଯାଇଛି । ତେବେ ଦିଲ୍ଲୀ କ୍ୟାପିଟାଲ୍ସର ବସ୍ ଉପରେ କିଛି ଅଜଣା ଲୋକ ଆକ୍ରମଣ କରିଛନ୍ତି । ଯେଉଁ ସମୟରେ ଏହି ଆକ୍ରମଣ ହେଲା, ସେହି ସମୟରେ ବସ୍ ପାର୍କିଂରେ ଥିଲା ଏବଂ ଭିତରେ କୌଣସି ଖେଳାଳି ନଥିଲେ । ଖବର ଅନୁଯାୟୀ, ମହାରାଷ୍ଟ୍ର ନବ ନିର୍ମାଣ ସେନା(ଏମଏନଏନଏସ) ଦ୍ୱାରା ଏହି ଆକ୍ରମଣ କରାଯାଇଛି ।
ଏହି ଘଟଣାକୁ ନେଇ କୋଲାବ ପୋଲିସ ଏ ପର୍ଯ୍ୟନ୍ତ ଚାରି ଜଣଙ୍କୁ ଗିରଫ କରିଛି । ଏଥିରେ ଏମଏନଏନଏସ ଟ୍ରାନ୍ସପୋର୍ଟ ଶାଖାର ଉପାଧ୍ୟକ୍ଷ ପ୍ରଶାନ୍ତ ଗାନ୍ଧୀ ମଧ୍ୟ ସାମିଲ୍ । ପୋଲିସ୍ ଆଇପିସିର ଧାରା ୧୪୩, ୧୪୭, ୧୪୯, ୪୨୭ ଆଧାରରେ ଅଜଣା ଆକ୍ରମଣକାରୀଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇଛି । ଆକ୍ରମଣରେ କ୍ୟାପିଟାଲ୍ସ ଦଳର ଲଗଜରୀ ବସ୍?ର କାଚ ଭାଙ୍ଗି ଯାଇଛି ।ବସ୍ ପାର୍କିଂରେ ଥିଲା ଏବଂ ଖେଳାଳିଙ୍କୁ ଅଭ୍ୟାସ୍ ସ୍ଥଳ ପର୍ଯ୍ୟନ୍ତ ନେଇ ଯିବାକୁ ପ୍ରସ୍ତୁତ ଥିଲା । ଅନ୍ୟପଟେ ଏମଏନଏନଏସ କାର୍ଯ୍ୟକର୍ତ୍ତା ସହରରେ ବିରୋଧ ପ୍ରଦର୍ଶନ କରିଛନ୍ତି । ସେମାନଙ୍କର କହିବା କଥା ସହରର ବସ ପରିବର୍ତ୍ତେ ବାହାରର ବସ୍ ଗୁଡିକୁ ଭଡାରେ ନିଆଯାଉଛି । ଫଳରେ ସ୍ଥାନୀୟ ଲୋକଙ୍କୁ ରୋଜଗାର ମିଳୁନାହିଁ । ଆକ୍ରମଣ ପରେ ପୋଲିସ ଦିଲ୍ଲୀ କ୍ୟାପିଟାଲ୍ସର ହୋଟେଲ୍ ଏବଂ ଏହାର ଆଖପାଖ ଅଞ୍ଚଳରେ ସୁରକ୍ଷା କଡାକଡି କରିଛି ।