ବିଧାନସଭା ଶୀତ ଅଧିବେଶନ : ଚାଲି ପାରୁନି ଗୃହ, ସୋମବାର ପର୍ଯ୍ୟନ୍ତ ମୁଲତବୀ
ଭୁବନେଶ୍ବର: ବହୁ ଚର୍ଚ୍ଚିତ କଳାହାଣ୍ଡି ସନସାଇନ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେରଙ୍କ ହତ୍ୟାକାଣ୍ଡକୁ ନେଇ ହୁଲୁସ୍ତୁଲ ବିଧାନସଭା । ଆଜି ଶନିବାର ଚତୁର୍ଥ ଦିନରେ ମଧ୍ୟ ଧୋଇଗଲା ବିଧାନସଭାର ସମସ୍ତ କାର୍ଯ୍ୟ । ସୋମବାର ପୂର୍ବାହ୍ନ ପର୍ଯ୍ୟନ୍ତ ଗୃହକୁ ମୁଲତବୀ କଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ବିରୋଧୀଙ୍କ ଦାବି ସରକାରଙ୍କ ଜିଦରେ ୪ ଦିନ ହେଲା ଅଚଳ ରହିଛି ଗୃହ । ମମିତା ମେହେର ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୋଗ କରି ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି ଓ ଘଟଣାର ସିବିଆଇ ତଦନ୍ତ ଦାବି କରି ଏବେ ବିରୋଧୀ ସରକାରଙ୍କୁ ଆକ୍ରମଣ କରିବାରେ ଲାଗିଛନ୍ତି । ଫଳରେ ବିଧାନସଭା ଅଚଳ ହୋଇପଡୁଛି ।
ଆଜି ପୂର୍ବାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଳାପତାକା ବ୍ୟାନର ସହ ସରକାରଙ୍କ ଉପରେ ଭାରି ପଡିଥିଲେ ବିଜେପି ବିଧାୟକ ମାନେ । ସେହିପରି କଂଗ୍ରେସ ବିଧାୟକ ତାରା ବାହୀନିପତି ପୂଜକ ସାଜି ଆସିଲେ ଗୃହକୁ । ବିଧାନସଭା ପରିସର କଲେ ସୌଧ । ତୁଳସୀ ପାଣି, ଗଙ୍ଗା ଜଳ ଓ ଗୋମୂତ୍ରରେ ଗୃହକୁ ପବିତ୍ର କଲେ ବିଧାୟକ ତାରା । ସହଯୋଗୀ ବିଧାୟକ ମାନେ ଘଣ୍ଟ ଶଙ୍ଖ ବଜାଇ କଲେ ସହଯୋଗ । ବାଚସ୍ପତିଙ୍କ କୌଣସି ଅନୁରୋଧ ରଖିନଥିଲେ ବିରୋଧୀ । ଫଳରେ ବାଚସ୍ପଚି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ । ଅପରାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ସେହି ସାମନ ସ୍ଥିତି ଲାଗି ରହିଥିଲା । ଫଳରେ ଆଜି ମାତ୍ର ୪ ମିନିଟ ପାଇଁ ଚାଲିଥିଲା ଗୃହ । ବାଚସ୍ପତି ବିଧାନସଭାକୁ ସୋମବାର ପୂର୍ବାହ୍ନ ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି ।