ବିଧାନସଭା ଶୀତ ଅଧିବେଶନର ଚତୁର୍ଥ ଦିନ : ଆରମ୍ଭରୁ ହୋହାଲ୍ଲା, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
ଗଙ୍ଗାଜଳ ଛିଞ୍ଚିଲେ ତାରା, ଘଣ୍ଟ ବାଡେଇଲେ ବିରୋଧୀ
ଭୁବନେଶ୍ୱର : ଆଜିବି ଆରମ୍ଭ ହେଉହେଉ ମୁଲତବୀ ହେଲା ଗୃହ। ଅପରାହ୍ନ ୪ ଟା ଯାଏଁ ଗୃହ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । କଂଗ୍ରେସ ବିଧାୟକ ତାରା ବାହିନିପତିଙ୍କ ସମେତ ଅନ୍ୟ ବିରୋଧୀ ଘଣ୍ଟ ବାଡେଇ, ଗଙ୍ଗା ଜଳ ଛିଞ୍ଚି ହୋହାଲ୍ଲା କରିବାରୁ ବାଚସ୍ପତି ମୁଲତବୀ ଘୋଷଣା କରିଛନ୍ତି ।
ଆଜି ବିଧାନସଭା ଶୀତ ଅଧିବେଶର ଚତୁର୍ଥ ଦିନ ଥିଲା । କଳାହାଣ୍ଡି ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ସିବିଆଇ ତଦନ୍ତ ଏବଂ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଗୃହ ଆରମ୍ଭରୁ ପ୍ରବଳ ହୋ ହଲ୍ଲା କରିଥିଲେ ବିରୋଧୀ । ଏପରିକି ଗୃହରେ ମଧ୍ୟ ଘଣ୍ଟ ବାଡେଇ ପ୍ରତିବାଦ କରିଥିଲେ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ବାଚସ୍ପତିଙ୍କ ପୋଡିଅମ ଆଗକୁ ଆସି ବ୍ରାହ୍ମଣ ବେଶରେ ଗଙ୍ଗା ଜଳ ସିଞ୍ଚନ କରିଥିଲେ । ଏହି ସମୟରେ ତାଙ୍କ ପଛେ ପଛେ ଅନ୍ୟ ବିଧାୟକମାନେ ମଧ୍ୟ ଘଣ୍ଟ ବାଡେଇଥିଲେ । ଫଳରେ ବାଚସ୍ପତି ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ଘୋଷଣା କରିଛନ୍ତି । ସୂଚନା ଯେ, ଡିସେମ୍ବର ୧ ତାରିଖରୁ ବିଧାନସଭା ଶୀତ ଅଧିବେଶନ ଆରମ୍ଭ ହୋଇଛି । ମାତ୍ର ୪ ଦିନ ମଧ୍ୟରେ ଆରମ୍ଭରୁ ଅଚଳ ହୋଇଯାଉଛି ଗୃହ । ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ବିରୋଧୀ ଗୃହରେ ଏବଂ ବିଧାନସଭା ଫାଟକରେ ବିରୋଧ ପ୍ରଦର୍ଶନ କରୁଛନ୍ତି ।