ସରିଲା ବିଧାନସଭା ବଜେଟ ଅଧିବେଶନ: ୬ କାର୍ଯ୍ୟ ଦିବସରେ ୫ଟି ସରକାରୀ ବିଲ ପାରିତ
ଭୁବନେଶ୍ୱର : ଷୋଡଶ ବିଧାନସଭାର ବଜେଟ ଅଧିବେଶନ ଗୁରୁବାର ଶେଷ ହୋଇଛି । ଗତ ୨୫ ତାରିଖରୁ ଆରମ୍ଭ ହୋଇଥିବା ଏହି ସ୍ୱଳ୍ପକାଳୀନ ଅଧିବେଶନରେ ମୋଟ ୬ଟି କାର୍ଯ୍ୟ ଦିବସ ଥିଲା । ବୈଠକର ଶେଷ ଦିନରେ ୨୦୨୨-୨୩ ଆର୍ôଥକ ବର୍ଷ ପାଇଁ ୧ଲକ୍ଷ ୬ହଜାର ୪୯୮କୋଟି ଟଙ୍କାର ଲେଖାନୁଦାନକୁ ଆଜି ଗୃହର ମଞ୍ଜୁରୀ ମିଳିଛି । ଏହାପରେ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ନିମନ୍ତେ ମୁଲତବୀ ଘୋଷଣା କରାଯାଇଛି ।
ବିଧାନସଭା ସଚିବାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆଜି ବିଧାନସଭାରେ ବ୍ୟୟମଞ୍ଜୁରୀ ବିଲ୍ (ଲେଖାନୁଦାନ) ଆଗତ ହେବା ସହ ଏହା ଉପରେ ଆଲୋଚନା ହେବାପରେ ତାହା ଗୃହର ଅନୁମୋଦନ ଲାଭ କରିଛି । ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଅଭିଭାଷଣ ରଖିଥିବା ବେଳେ ୧୨ ଜଣ ଦିବଂଗତ ସଦସ୍ୟ , ପୂର୍ବତନ ମୁଖ୍ୟମନ୍ତ୍ରୀ , ପୂର୍ବତନ ମନ୍ତ୍ରୀ ଓ ପୂର୍ବତନ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହୋଇ ପାରିତ ହୋଇଥିଲା । ଏହି ୬ଦିନିଆ ଅଧିବେଶନରେ ୫ଟି ସରକାରୀ ବିଲ୍ ଉପସ୍ଥାପନ ହେବା ସହ ତାହା ପାରିତ ହୋଇଛି । ୫ଟି ସିଏଜି ରିପୋର୍ଟ, ୨୨ଟି ବାର୍ଷିକ ରିପୋର୍ଟ ମଧ୍ୟ ଗୃହରେ ଉପସ୍ଥାପିତ ହୋଇଛି । ୪ଟି ଅଧ୍ୟାଦେଶକୁ ମଧ୍ୟ ଗୃହରେ ଆଗତ କରାଯାଇଥିଲା । ୩୫୨ଟି ତାରକା ପ୍ରଶ୍ନ, ୫୪୨ଟି ଅଣତାରକା ପ୍ରଶ୍ନ ଗ୍ରହଣ କରାଯାଇଥିଲା ।ଏହି ଅଧିବେଶନରେ ମାତ୍ର ଦୁଇଟି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇପାରିଛି । ଧାନକିଣାରେ ବ୍ୟାପକ ଅନିୟମିତତା ଓ ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ବିରୋଧୀ ଦଳର ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିବାବେଳେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗରେ ଗୃହରେ ବିବୃତି ରଖିଥିଲେ ।
ମାନସ ସ୍ୱାଇଁ ହତ୍ୟା ମାମଲା, ଗଞ୍ଜାମରେ ୪ଜଣଙ୍କୁ ହତ୍ୟା ପ୍ରସଙ୍ଗ ଗୃହରେ ଆଲୋଚନା ପରିସରରେ ରହିଥିଲା । ମାର୍ଚ୍ଚ ୩୦ ତାରିଖରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ୨୦୨୨-୨୩ ଆର୍ôଥକ ବର୍ଷର ବଜେଟ୍ ଓ ୪ମାସିଆ ଲେଖାନୁଦାନ ପ୍ରସ୍ତାବ ଆଗତ କରିଥିଲେ । ଦୀର୍ଘ ପ୍ରାୟ ଏକ ବର୍ଷ ପରେ ବିଧାନସଭାକୁ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହ କାର୍ଯ୍ୟରେ ପ୍ରତ୍ୟକ୍ଷ ଭାବେ ସାମିଲ ହୋଇଥିଲେ । ଅପରପକ୍ଷରେ ସ୍ୱାସ୍ଥ୍ୟଗତ କାରଣରୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଗୃହରେ ଅନୁପସ୍ଥିତ ଥିଲେ ।