ଆସାମ ବନ୍ୟା : ୧୮ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ପ୍ରଭାବିତ, ୫୪ ମୃତ
ଗୌହାଟୀ : ବନ୍ୟାରେ ଉବୁଟୁବୁ ଆସାମ। ପ୍ରବଳ ବର୍ଷା ଯୋଗୁଁ ଆସାମରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଘରଦ୍ବାର, ରାସ୍ତାଘଟ ସବୁ ଜଳମଗ୍ନ ହୋଇଯାଇଛି। ବନ୍ୟା ଯୋଗୁଁ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହେଉଛି। ଯେଉଁଥିରେ ଅନେକ ଲୋକ ମୃତ୍ୟୁ ଘଟିଛି । ଏ ପର୍ଯ୍ୟନ୍ତ ବନ୍ୟାରେ ୫୪ ଜଣ ପ୍ରାଣ ହରାଇଲେଣି। ଶୁକ୍ରବାର କେବଳ ୯ ଜଣଙ୍କ ମୃତ୍ୟୁ ଘଟିଛି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି।
ଆସାମରେ ୩ରୁ ୪ ଦିନ ହେଲା ବର୍ଷା ଲାଗି ରହିଛି। ରାଜ୍ୟରେ ୨୮ ଜିଲ୍ଲାର ସ୍ଥିତି ଖୁବ୍ ସଙ୍ଗୀନ ରହିଛି। ଏଥିରେ ପ୍ରାୟ ୧୮ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ପ୍ରଭାବିତ ହୋଇଛନ୍ତି। ହୋଜାଇ, ନଲବରି, ବଜଲି, ଧୁବ୍ରି, କାମରୂପ, କୋକ୍ରାଝର ଏବଂ ସୋନିତପୁର ଆଦି ଜିଲ୍ଲାରେ ମୃତ୍ୟୁସଂଖ୍ୟା ରେକର୍ଡ ହୋଇଛି। ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ଏବେସୁଦ୍ଧା ୫୪ ଜଣ ଜୀବନ ହରାଇଛନ୍ତି। ବର୍ତ୍ତମାନ ୨,୯୩୦ ଗାଁ ପାଣି ଭିତରେ ବୁଡି ରହିଛି। ବନ୍ୟା ପ୍ରଭାବିତ ଜିଲ୍ଲାର ପ୍ରାୟ ୪୩୩୩୮,୩୯ ହେକ୍ଟର ଚାଷ ଜମିରେ ପାଣି ମାଡି ଯାଇଛି। ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବେକି, ପୁଥିମାରି, ବ୍ରହ୍ମପୁତ୍ର, ଭରାଲି, କୋପିଲି ପ୍ରମୁଖ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।
ଜିଲ୍ଲା ପ୍ରଶାସନ ପକ୍ଷରୁ ପାଖାପାଖି ୧,୦୮,୧୦୪ ବନ୍ୟା ବିପନ୍ନଙ୍କୁ ୩୭୩ ଆଶ୍ରୟସ୍ଥଳୀରେ ଥଇଥାନ କରାଯାଇଛି। ରାଜ୍ୟର କାମରୂପ ଜିଲ୍ଲା ସ୍ଥିତି ବିଗିଡିବାରେ ଲାଗିଛି। ଏହି ଅଞ୍ଚଳର ପ୍ରାୟ ୭୦ ହଜାର ଲୋକ ବନ୍ୟା ପ୍ରଭାବିତ ହୋଇଛନ୍ତି। ବିଭିନ୍ନ ଜିଲ୍ଲାରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସାଧାରଣ ପ୍ରଶାସନ ସହଯୋଗରେ ଭାରତୀୟ ସେନା ରିଲିଫ୍ ଅପରେସନରେ ସାମିଲ ହୋଇଛନ୍ତି। ଅନ୍ୟପଟେ ବନ୍ୟା ବିପନ୍ନଙ୍କ ସହାୟତା ପାଇଁ ବଲିଉଡରୁ ସହାୟତାର ହାତ ଲମ୍ବିଛି। ବଲିଉଡ ଅଭିନେତା ଅର୍ଜୁନ କପୁର ଏବଂ ନିର୍ଦ୍ଦେଶକ ରୋହିତ୍ ସଟ୍ଟୀ ଆସାମ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଛନ୍ତି।