ଏଏସଓ ନିଯୁକ୍ତି ପରୀକ୍ଷା ମାମଲା : ଦାୟର ରିଭ୍ୟୁ ପିଟିସନକୁ ଖାରଜ କଲେ ହାଇକୋର୍ଟ
ଭୁବନେଶ୍ୱର : ହାଇକୋର୍ଟରେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସଓ) ନିଯୁକ୍ତି ପରୀକ୍ଷା ମାମଲାରେ ଦାୟର ରିଭ୍ୟୁ ପିଟିସନକୁ ଖାରଜ କଲେ ଓଡ଼ିଶା ହାଇକୋର୍ଟ। ପୂର୍ବ ରାୟକୁ କାଏମ ରଖିଲେ ହାଇକୋର୍ଟ । ପୂର୍ବ ରାୟର ରିଭ୍ୟୁ ପାଇଁ ହୋଇଥିଲା ଆବେଦନ । ପୂର୍ବରୁ ମେଧା ତାଲିକାକୁ ଖାରଜ କରିଥିଲେ ହାଇକୋର୍ଟ ।
ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ କିଛି ପରୀକ୍ଷାର୍ଥୀଙ୍କ ପକ୍ଷରୁ ଦାୟର ରିଭ୍ୟୁ ପିଟିସନକୁ ଖାରଜ କରି ଦେଇଛନ୍ତି। ଏଏସଓ ପରୀକ୍ଷାରେ ଓଡିଶା ଲୋକସେବା ଆୟୋଗ ପକ୍ଷରୁ ଧାର୍ଯ୍ଯ ହୋଇଥିବା କଟ ଅପ ମାର୍କକୁ ନେଇ କିଛି ଆଶାୟୀଙ୍କ ପକ୍ଷରୁ ପୂର୍ବରୁ ମାମଲା ରୁଜୁ ହୋଇଥିଲା। ରୁଲ ବାହାରକୁ ଯାଇ କଟ ଅପ ମାର୍କ ଓପିଏସସି ଧାର୍ଯ୍ୟ କରିଛି ବୋଲି ମାମଲାରେ ଦର୍ଶାଯାଇଥିଲା। ହାଇକୋର୍ଟ ଏଭଳି ପିଟିସନର ଶୁଣାଣି କରି ଏଏସଓ ନିଯୁକ୍ତି ପରୀକ୍ଷାର ଚୂଡାନ୍ତ ମେଧାତାଲିକାକୁ ରଦ୍ଦ କରିଥିଲେ।
ଏଏସଓ ପରୀକ୍ଷା ପରିଚାଳନା କରୁଥିବା ଓଡିଶା ଲୋକସେବା ଆୟୋଗ ବେନିୟମ ଭାବେ କଟ ଅପ ମାର୍କ ଧାର୍ଯ୍ଯ କରିଥିବା ଓଡିଶା ହାଇକୋର୍ଟ ଦର୍ଶାଇଥିଲେ। କିନ୍ତୁ ଏହି ମେଧା ତାଲିକାରେ ୧୧୦୪ ଜଣ ପ୍ରାର୍ଥୀ ଯୋଗ୍ଯ ବିବେଚିତ ହୋଇ ସ୍କିଲ ଟେଷ୍ଟ ମଧ୍ୟ ଦେଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମେଧା ତାଲିକାକୁ ବାଦ ପଡୁଥିବା ଆଶାୟୀ ପରୀକ୍ଷାର୍ଥୀ ପୁନଶ୍ଚ ହାଇକୋର୍ଟରେ ରିଭ୍ୟୁ ପିଟିସନ ଦାୟର କରିଥିଲେ। ୧୧୦୪ ଯୋଗ୍ଯ ପ୍ରାର୍ଥୀଙ୍କ ମଧ୍ୟରୁ କିଛି ପ୍ରାର୍ଥୀ ଏହି ମାମଲା ଦାୟର କରିଥିଲେ। ସେମାନେ ଦର୍ଶାଇଥିଲେ ଯେ, ମାନ୍ୟଵର ହାଇକୋର୍ଟ ସେମାନଙ୍କ ପକ୍ଷ ଶୁଣି ନାହାଁନ୍ତି। ତେବେ ସମସ୍ତ ପକ୍ଷଙ୍କୁ ଶୁଣିବା ପରେ ହାଇକୋର୍ଟ ପୂର୍ବରୁ ଶୁଣାଣିକୁ ଶେଷ କରିବା ସହିତ ରାୟକୁ ସଂରକ୍ଷିତ ରଖିଥିଲେ। ଆଜି ଏହି ରାୟ ପ୍ରକାଶ କରି ରିଭ୍ୟୁ ପିଟିସନକୁ ଅଗ୍ରାହ୍ୟ କରି ଦେଇଛନ୍ତି ହାଇକୋର୍ଟ।
ସୂଚନା ଯେ, ଏଏସଓ ପରୀକ୍ଷା ଅନିୟମିତତା ପ୍ରସଙ୍ଗରେ ଦାୟର ହୋଇଥିବା ୨ଟି ଆବେଦନର ଶୁଣାଣି ଶେଷକରି ହାଇକୋର୍ଟ ଗତ ୧୩ ତାରିଖ ନିଜ ରାୟକୁ ସଂରକ୍ଷିତ ରଖିଥିଲେ । ପୂର୍ବ ପ୍ରକାଶିତ ମେଧା ତାଲିକାକୁ ହାଇକୋର୍ଟ ରଦ୍ଦ କରିବା ସହ ୨ ମାସ ଭିତରେ ସାନି ମେରିଟ୍ ଲିଷ୍ଟ ପ୍ରକାଶ କରିବାକୁ ଗତ ମେ’ ମାସରେ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ତେବେ ମେଧା ତାଲିକାରୁ ବାଦ ପଡ଼ିଥିବା ପ୍ରାର୍ଥୀମାନେ ହାଇକୋର୍ଟଙ୍କ ଉକ୍ତ ରାୟର ପୁନର୍ବିଚାର କରିବାକୁ ଏକ ରିଟ୍ ପିଟିସନ ସହିତ ରିଭ୍ୟୁ ପିଟିସନ ଦାୟର କରିଥିଲେ । ଉଭୟ ପିଟିସନର ଏକତ୍ର ଶୁଣାଣି କରିଥିଲେ ହାଇକୋର୍ଟ । ଦୁଇଟି ଯାକ ଆବେଦନର ଶୁଣାଣି ଶେଷ ହୋଇ ରାୟ ସଂରକ୍ଷିତ ରହିଥିଲା । ୭୯୬ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ବା ଏଏସଓ ନିଯୁକ୍ତି ପାଇଁ ଉଦ୍ଧିଷ୍ଟ ମେଧା ତାଲିକାକୁ ଗତ ମେ’ ମାସରେ ହାଇକୋର୍ଟ ରଦ୍ଦ କରିଥିଲେ । ଓଡିଶା ସେକ୍ରେଟାରିଏଟ୍ ସର୍ଭିସ୍ ରୁଲ୍ ୨୦୧୬ (ମେଥଡ୍ ଅଫ୍ ରିକୃଟ୍ମେଣ୍ଟ କଣ୍ତିସନ୍ସ ଅଫ୍ ସର୍ଭିସ) ଆଧାରରେ ମେଧା ତାଲିକା ବା ମେରିଟ୍ ଲିଷ୍ଟ ପ୍ରସ୍ତୁତ ହୋଇନଥିବା ଦର୍ଶାଇ ହାଇକୋର୍ଟ ପ୍ରକାଶିତ ତାଲିକାକୁ ରଦ୍ଦ କରିଥିଲେ । ଦୁଇ ମାସ ମଧ୍ୟରେ ସାନି ମେରିଟ ଲିଷ୍ଟ ପ୍ରକାଶ କରିବା ଲାଗି ଓଡିଶା ଲୋକସେବା ଆୟୋଗ ବା ଓପିଏସସିକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ମେରିଟ୍ ଲିଷ୍ଟରୁ ବାଦ ପଡ଼ିଥିବା ପ୍ରାର୍ଥୀମାନେ ମାମଲାରେ ପକ୍ଷଭୁକ୍ତ ହୋଇନଥିବାରୁ ସେମାନଙ୍କୁ ପକ୍ଷ ରଖିବାର ସୁଯୋଗ ମିଳୁ ବୋଲି ଦର୍ଶାଇ ଏକ ରିଟ୍ ପିଟିସନ ଦାୟର ହୋଇଥିଲା । ସେହିପରି ମେ’ ମାସରେ ପ୍ରକାଶ ପାଇଥିବା ରାୟର ପୁନର୍ବିଚାର ପାଇଁ ଏକ ରିଭ୍ୟୁ ପିଟିସନ ମଧ୍ୟ ଦାୟର କରିଥିଲେ କିଛି ପ୍ରାର୍ଥୀ । ଉଭୟ ଆବେଦନ ଉପରେ ହାଇକୋର୍ଟ ବିସ୍ତୃତ ଭାବେ ଶୁଣାଣି କରି ଜୁଲାଇ ୧୩ ତାରିଖରେ ରାୟ ସଂରକ୍ଷିତ ରଖିଥିଲେ ।