ଏସିଆ କପ-୨୦୨୨ : ଟସ୍ ଜିତିଲା ପାକିସ୍ତାନ, ପ୍ରଥମେ ବ୍ୟାଟିଂ କରିବ ଭାରତ
ଟିମ୍ ଇଣ୍ଡିଆରେ ଦୀପକ ହୁଡ୍ଡା ଏବଂ ରବି ବିଷ୍ଣୋଇଙ୍କୁ ସୁଯୋଗ
ଦୁବାଇ : ଆଜି ଏସିଆ କପ-୨୦୨୨ରେ ହାଇ ଭୋଲ୍ଟେଜ ମୁକାବିଲା । ମାତ୍ର ୭ ଦିନର ବ୍ୟବଧାନରେ ପୁଣି ଥରେ ସାମ୍ନା ସାମ୍ନି ହେଉଛନ୍ତି ଦୁଇ ଚିର ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ । ଦର୍ଶକଙ୍କ ଉତ୍କଣ୍ଠା ଦୁଇ ଗୁଣା ହୋଇଯାଇଛି । ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମ୍ ପୁଣି ପୂରି ଉଠିବ। ଏହି ହାଇଭୋଲଜେଟ୍ ମୁକାବିଲାରେ ଟସ୍ ଜିତି ପାକିସ୍ତାନ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଉଭୟ ଦଳର ଚୂଡାନ୍ତ ଏକାଦଶରେ ପରିବର୍ତ୍ତନ ହୋଇଛି। ଭାରତ ତିନୋଟି ପରିବର୍ତ୍ତନ ସହ ପଡିଆକୁ ଓହ୍ଲାଉଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ଫେରିଥିବା ବେଳେ ଦୀପକ ହୁଡ୍ଡା ଏବଂ ରବି ବିଷ୍ଣୋଇଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିଛି। ଦିନେଶ କାର୍ତ୍ତିକଙ୍କୁ ଦଳରୁ ବାଦ୍ ଦିଆଯାଇଛି।
ଭାରତ ଓ ପାକିସ୍ତାନର ପତାକାରେ ଷ୍ଟାଡିୟମ୍ ରଙ୍ଗୀନ ହୋଇଯିବ । ଉଭୟ ପଡ଼ୋଶୀ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସିରିଜ ହେଉ ନଥିବାରୁ କଦା କିଞ୍ଚିତ ମ୍ୟାଚ୍ ହେଲେ ସମଗ୍ର ବିଶ୍ୱର ଦର୍ଶକଙ୍କ ଉତ୍ସାହ ବଢି ଯାଉଛି। କେବଳ ଏସିଆ କପ୍ ଓ ଆଇସିସି ଟୁର୍ଣ୍ଣାମେଣ୍ଟରେ ଉଭୟ ଦଳ ମଧ୍ୟରେ ମ୍ୟାଚ୍ ହେଉଛି ।ଗତ ରବିବାର ଉଭୟ ଦଳ ଲିଗ୍ ପର୍ଯ୍ୟାୟରେ ପରସ୍ପରକୁ ଭେଟିଥିଲେ । ଭାରତ ଉକ୍ତ ମ୍ୟାଚ୍କୁ ୫ ୱିକେଟ୍ରେ ଜିତିଥିଲା । ଶେଷ ଓଭର ପର୍ଯ୍ୟନ୍ତ ଲଢେଇ ଲାଗି ରହିଥିଲା । ଆଜି ମଧ୍ୟ ଏଭଳି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ହେବା ନିଶ୍ଚିତ ।
ଏହି ମ୍ୟାଚ୍କୁ ନେଇ ପୂର୍ବାନୁମାନ କରିବା କଷ୍ଟକର । ଉଭୟ ଦଳର ଶକ୍ତି ସମାନ । ବୋଲିଂ ବିଭାଗ ଶୃଙ୍ଖଳିତ । ଷ୍ଟାର୍ ଖେଳାଳିମାନେ ଫର୍ମ ଫେରିପାଇଛନ୍ତି । କେବଳ ରଣନୀତି ଯାହା ପ୍ରଭାବ ପକାଇବ । ମହମ୍ମଦ ରିଜୱାନ, ବାବର ଆଜମ ଓ ଫଖାର ଜମାନ ବିସ୍ଫୋରକ ବ୍ୟାଟିଂ କରିବାକୁ ଅପେକ୍ଷା କରିଛନ୍ତି । ସେହିପରି ଭାରତର ବିରାଟ କୋହଲି ଫର୍ମ ଫେରିପାଇଥିବାବେଳେ ହଂକଂ ବିପକ୍ଷରେ ସୂର୍ଯ୍ୟକୁମାରଙ୍କ ବ୍ୟାଟିଂ ପାକ୍ ଦଳର ନିଦ ହଜାଇ ଦେଇଛି । ସେ କ୍ରିଜ୍ରେ ଜମିଲେ ଭାରତର ବିଜୟ ନିଶ୍ଚିତ ହେବ ।
ଟସ୍: ରେକର୍ଡକୁ ଦେଖିଲେ ଭାରତର ପଲା ଭାରି । ପ୍ରଥମ ମ୍ୟାଚ୍ ଜିତି ସାରିଥିବାରୁ ଭାରତର ମନୋବଳ ଊଦ୍ଧ୍ୱର୍ରେ ରହିବ । ତଥାପି ଟସ୍ ପ୍ରମୁଖ ଭୂମିକା ଗ୍ରହଣ କରିବ । ରାତିରେ କାକର ପଡୁଥିବାରୁ ବ୍ୟାଟିଂ କରିବା ସହଜ । ତେଣୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ସ୍ୱାଭାବିକ ।
ଆହତ ସମସ୍ୟା: ଉଭୟ ଦଳରେ ଆହତ ସମସ୍ୟା ସମ୍ପ୍ରତି ଚିନ୍ତାର କାରଣ ହୋଇଛି । ପାକିସ୍ତାନ ବିପକ୍ଷ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ଭାରତର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଆହତ ହୋଇଛନ୍ତି । ତାଙ୍କୁ ଫିଟ୍ ହେବା ପାଇଁ ୩ମାସ ସମୟ ଲାଗିବ । ଏପରିକି ଆଗାମୀ ବିଶ୍ୱକପ୍ରେ ସେ ଖେଳିବା ନେଇ ଆଶଙ୍କା ଦେଖା ଦେଇଛି । ପାକିସ୍ତାନର ପେସ୍ ବୋଲର ଶାହନୱାଜ ଦହନି ମଧ୍ୟ ଆହତ ହୋଇ ମ୍ୟାଚ୍ରୁ ବାଦ ପଡ଼ିଛନ୍ତି ।
ଭାରତୀୟ ଦଳ- କେଏଲ ରାହୁଲ, ରୋହିତ ଶର୍ମା(ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ(ଓ୍ଵିକେଟ୍ କିପର), ଦୀପକ ହୁଡ୍ଡା, ଭୁବନେଶ୍ଵର କୁମାର, ରବି ବିଷ୍ଣୋଇ, ୟୁଜବେନ୍ଦ୍ର ଚହଲ ଏବଂ ଅର୍ଶଦୀପ ସିଂହ।
ପାକିସ୍ତାନ ଦଳ- ବାବର ଆଜମ(ଅଧିନାୟକ), ମହମ୍ମଦ ରିଜଓ୍ଵାନ(ଓ୍ଵିକେଟ୍ କିପର), ଫକର ଜମାନ, ଇଫତିକାର ଅହମ୍ମଦ, ଖୁସଦିଲ ଶାହ, ଆସିଫ ଅଲ୍ଲୀ, ଶାଦାବ ଖାନ, ମହମ୍ମଦ ନଓ୍ଵାଜ, ହାରିସ ରାଉଫ, ମହମ୍ମଦ ହସନେନ ଏବଂ ନସୀମ ଶାହ।