ଏସିଆ କପ ୨୦୨୩ : ଶାକିବ ଓ ହୃଦୟଙ୍କ ଲଢୁଆ ବ୍ୟାଟିଂ, ଭାରତକୁ ୨୬୫ ରନ ଟାର୍ଗେଟ୍ ଦେଲା ବାଂଲାଦେଶ
କଲୋମ୍ବୋ : ଆଜି ଭାରତ ଓ ବାଂଲାଦେଶ ମଧ୍ୟରେ ଏସିଆ କପ୍ ସୁପର-୪ର ଅନ୍ତିମ ମ୍ୟାଚ୍ ଖେଳାଯାଉଛି। ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବୋଲିଂ ନିସପାତି ନେଇଥିଲେ ଭାରତୀୟ ଅଧିନାୟକ ରୋହିତ ଶର୍ମା ।
ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ୮ ଓ୍ଵିକେଟ୍ ହରାଇ ୨୬୫ ରନର ଲଢୁଆ ସ୍କୋର କରିଛି। ଦଳ ପକ୍ଷରୁ
ଅଧିନାୟକ ଶାକିବ ଉଲ ହସନ ୮୦ ରନର ଇନିଂସ ଖେଳିଥିବା ବେଳେ ଟୋହିଡ ହୃଦୟ ୫୪ ରନ ଏବଂ ନସୁମ ଅହମ୍ମଦ ୪୪ ରନ କରିଛନ୍ତି। ମ୍ୟାଚ୍ ଜିତିବା ପାଇଁ ଭାରତ ସମ୍ମୁଖରେ ୨୬୬ ରନର ବିଜୟ ଲକ୍ଷ୍ୟ ରହିଛି। ଏହି ମ୍ୟାଚ୍ ଭାରତ ପାଇଁ ଅନୌପଚାରିକ ରହିଥିଲେ ହେଁ ବାଂଲାଦେଶ ପାଇଁ ସମ୍ମାନର ବିଷୟ ପାଲଟିଛି।
ସୂଚନା ଯେ, ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶର ଆରମ୍ଭ ନୈରାଶ୍ୟଜନକ ଥିଲା। ଦଳ ୧୫ ରନରେ ଦୁଇ ଓପନିଂ ବ୍ୟାଟର ଲିଟନ ଦାସ(୦) ଓ ତଞ୍ଜିଦ ହସନ(୧୩)ଙ୍କ ଓ୍ଵିକେଟ୍ ହରାଇଥିଲା। ପୁଣି ଅନମୁଲ ହକ(୪) ପାଭିଲିୟନ ଫେରିଥିଲେ। ଅଧିନାୟକ ଶାକିବ ଉଲ ହସନ କ୍ରିଜରେ ଜମି ରହି ଦଳର ଇନିଂସ ସମ୍ଭାଳିଥିଲେ। ୫୯ ରନରେ ୪ ଓ୍ଵିକେଟ୍ ହରାଇ ବାଂଲାଦେଶ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ମେହିଦି ହାସନ ମିର୍ଜା ୧୩ ରନ କରି ପାଭିଲିୟନ ଫେରିଥିଲେ। ଏହା ପରେ ଶାକିବ ଓ ଟୋହିଡ ହୃଦୟ ସତର୍କତାର ସହ ବ୍ୟାଟିଂ କରି ଦଳର ସ୍ଥିତି ମଜବୁତ କରିଥିଲେ। ଉଭୟ ପଞ୍ଚମ ଓ୍ଵିକେଟ୍ରେ ଶତକୀୟ ଭାଗିଦାରୀ ଯୋଡ଼ି ଦଳର ସ୍କୋରକୁ ୧୬୦ରେ ପହଞ୍ଚାଇଥିଲେ। ଶାକିବଙ୍କୁ ଆଉଟ୍ କରି ଶାର୍ଦ୍ଦୁଳ ଠାକୁର ଭାରତକୁ ବଡ଼ ସଫଳତା ଦେଇଥିଲେ। ବାଂଲାଦେଶ ଅଧିନାୟକ ୮୫ ବଲ୍ରୁ ୬ ଚୌକା ଓ ୩ ଛକା ସହ ୮୦ ରନର ଇନିଂସ ଖେଳିଥିଲେ। ହ୍ରିଡୟ ୫୪ ରନର ଭଲ ବ୍ୟାଟିଂ କରିଥିଲେ। ଶେଷ ଆଡ଼କୁ ନସୁମ ଅହମ୍ମଦ ୪୪ ରନର ଉପଯୋଗୀ ଇନିଂସ ଖେଳି ଦଳକୁ ମଜବୁତ ସ୍ଥିତିରେ ପହଞ୍ଚାଇଥିଲେ। ମେହେଦି ହାସନ ଅପରଜିତ ୨୯ ରନର ଉଲ୍ଲେଖନୀୟ ଇନିଂସ ଖେଳିଛନ୍ତି। ଶ୍ରୀଲଙ୍କା ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୨୬୫ ରନ କରିଛି। ଭାରତ ପାଇଁ ବେଲିଂରେ ଶାର୍ଦ୍ଦୁଳ ଠାକୁର ୬୫ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି। ମହମ୍ମଦ ଶାମି ୩୨ ରନ ଦେଇ ୨ଟି ଓ୍ଵିକେଟ୍ ନେଇଥିବା ବେଳେ ପ୍ରସିଦ୍ଧ କୃଷ୍ଣ ଓ ଅକ୍ଷର ପଟେଲ୍ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।