ଏସିଆ କପ ୨୦୨୩ : ଆଜି ମଧ୍ୟ ଭାରତ-ପାକିସ୍ତାନ ମ୍ୟାଚ୍ରେ ବାଧକ ସାଜିପରେ ବର୍ଷା, ଜାଣନ୍ତୁ କେମିତି ରହିବ କଲୋମ୍ବୋର ପାଣିପାଗ
ଆଦିଲ୍ଲୀ: ଏସିଆ କପ୍ ୨୦୨୩ରେ ଭାରତ-ପାକିସ୍ତାନ ମ୍ୟାଚ୍ରେ ବର୍ଷ ସାଜିଛି ବାଧକ । ହାଇ ଭୋଲ୍ଟେଜ ମ୍ୟାଚର ପିଛା ଛାଡ଼ୁନି ବର୍ଷା । ପ୍ରଥମେ ପେଲ୍ଲେକେଲ୍ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳା ଯାଇଥିବା ମୁକାବିଲା ବର୍ଷା ଯୋଗୁଁ ରଦ୍ଦ ହୋଇଥିଲା। ଏବେ ପୁଣି କଲୋମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳା ଯାଉଥିବା ମ୍ୟାଚ୍ ମଧ୍ୟ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହୋଇଛି। ବର୍ଷା ହେବାରୁ ରବିବାର ପୂରା ମ୍ୟାଚ୍ ଖେଳ ହୋଇ ପାରି ନଥିଲା । ଏହି ମ୍ୟାଚ୍ ରିଜର୍ଭ ଦିବସ ଅର୍ଥାତ ସୋମବାର ଖେଳାଯିବ । ମ୍ୟାଚ୍ ଯେଉଁଠି ବନ୍ଦ ହୋଇଥିଲା ସେଠାରୁ ଆରମ୍ଭ ହେବ। ମ୍ୟାଚ୍ ସଂପୂର୍ଣ୍ଣ ୫୦ ଓଭର ଖେଳାଯିବ ଏବଂ ଭାରତର ଇନିଂସ ୨୪.୧ ଓଭରରୁ ଖେଳ ଆରମ୍ଭ ହେବ। ଖେଳ ବନ୍ଦ ହେବା ବେଳକୁ ଭାରତ ୨୪.୧ ଓଭରରେ ଦୁଇ ୱିକେଟ୍ ହରାଇ ୧୪୭ ରନ୍ କରିଥିଲା। ଭାରତ ସୋମବାର ଏହି ସ୍କୋରରୁ ଆଗକୁ ଖେଳିବ । ମ୍ୟାଚ୍ ବନ୍ଦ ହେବା ବେଳକୁ ବିରାଟ କୋହଲି ୮ ଓ କେଏଲ ରାହୁଲ ୧୭ ରନ୍ କରି ଅପରାଜିତ ଥିଲେ ।
ତେବେ କଲୋମ୍ବୋରେ ସୋମବାର ମଧ୍ୟ ପାଣିପାଗ ଖରାପ ରହିଛି। ଆକ୍ୟୁ ୱେଦରର ରିପୋର୍ଟ ଅନୁଯାୟୀ, ସୋମବାର ବର୍ଷା ହେବାର ୯୯ ପ୍ରତିଶତ ଆଶଙ୍କା ରହିଛି। ଅର୍ଥାତ ମ୍ୟାଚ୍ ପୂରା ହେବାର ସମ୍ଭାବନା ଆଦୌ ନାହିଁ। ଦିନ ସାରା ବାଦଲ ଛାଇ ରହିବାର ଆଶଙ୍କା ୯୫ ପ୍ରତିଶତ ରହିଛି। ପବନର ବେଗ ଘଣ୍ଟାପ୍ରତି ୪୧ କିମି ରହିଛି। ଦିନର ସର୍ବାଧିକ ତାପମାତ୍ରା ୨୯ ଡିଗ୍ରୀ ଥିବା ବେଳେ ସର୍ବନିମ୍ନ ତାପମାତ୍ରା ୨୫ ଡିଗ୍ରୀ ସେଲସିୟସ ରହିବାର ପୂର୍ବାନୁମାନ କରାଯାଇଛି।
ସୋମବାର ଭାରତର ଇନିଂସ ୨୪.୧ ଓଭରରୁ ଅବଶିଷ୍ଠ ଖେଳ ଆରମ୍ଭ ହେବ। ପାଣିପାଗକୁ ଦେଖି କ୍ରିକେଟ୍ ପ୍ରେମୀଙ୍କ ମନରେ ଏହି ପ୍ରଶ୍ନ ଉଠୁଛି ଯେ, ଯଦି ରିଜର୍ଭ ଡେରେ ଖେଳ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହୁଏ ତେବେ କଣ ହେବ ? ଏମିତି ସ୍ଥିତି ଉପୁଜିଲେ ଦୁଇ ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିବ। ନିୟମ ଅନୁସାରେ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍ରେ ଫଳାଫଳ ପାଇଁ ଦୁଇ ଇନିଂସରେ ଅତି କମରେ ୨୦-୨୦ ଓଭର ଖେଳାଯିବା ଜରୁରୀ। ରିଜର୍ଭ ଡେରେ ଯଦି ବର୍ଷା ହୁଏ ତେବେ ମୁକାବିଲାର ଫଳାଫଳ ପାଇଁ ପାକିସ୍ତାନକୁ ଅତି କମରେ ୨୦ ଓଭର ଖେଳିବାକୁ ପଡ଼ିବ। ଏହାପରେ ଡକ୍ ଓ୍ଵର୍ଥ ଲୁଇସ୍ ନିୟମରେ ଫଳାଫଳ ବାହାର କରାଯିବ। ସୋମବାର ଯଦି ପାକିସ୍ତାନ ୨୦ ଓଭର ଖେଳ ଖେଳି ନ ପାରେ ତେବେ ମ୍ୟାଚ୍ ରଦ୍ଦ ଘୋଷଣା କରାଯିବ।