ଏସିଆ କପ୍ ୨୦୨୩ ଫାଇନାଲରେ ବର୍ଷା ସାଜିପାରେ ବାଧକ, ଜାଣନ୍ତୁ କ’ଣ କହୁଛି ପାଣିପାଗ ବିଭାଗ
କଲମ୍ବୋ : ଆଜି ସୁପର ସଣ୍ଡେରେ ସୁପର ମୁକାବିଲା। କଲମ୍ବୋର ଆର୍. ପ୍ରେମଦାସା ଷ୍ଟାଡିୟମରେ ଏସିଆ କପ ୨୦୨୩ର ଫାଇନାଲ ଟକ୍କର । ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ଡିଫେଣ୍ଡିଂ ଚାମ୍ପିଅନ ଶ୍ରୀଲଙ୍କା । ଏସିଆ କପ୍ ଇତିହାସରେ ଏହା ଅଷ୍ଟମ ଥର ଯେବେ ଉଭୟ ଦେଶ ଫାଇନାଲରେ ପରସ୍ପରକୁ ଭେଟିବେ । ପୂର୍ବରୁ ଖେଳାଯାଇଥିବା ଫାଇନାଲରେ ଭାରତ ୪ଟି ଟାଇଟଲ ଜିତିଥିବା ବେଳେ ୩ଟି ଯାଇଛି ଶ୍ରୀଲଙ୍କା ପାଖକୁ ।
ଏହି ମ୍ୟାଚକୁ ଉପଭୋଗ କରିବାକୁ ସମଗ୍ର ଭାରତର କ୍ରିକେଟପ୍ରେମୀ ଚାହିଁବସିଛନ୍ତି । କିନ୍ତୁ ଏହି ମ୍ୟାଚରେ ବି ବର୍ଷା ହେବନି ତ ? ଶ୍ରୀଲଙ୍କାରେ ଏପର୍ଯ୍ୟନ୍ତ ଖେଳାଯାଇଥିବା ସମସ୍ତ ମ୍ୟାଚରେ ବର୍ଷା ସମସ୍ୟା ସୃଷ୍ଟି କରିଛି। ଟୁର୍ଣ୍ଣାମେଣ୍ଟରେ ଭାରତ ଓ ପାକିସ୍ତାନ ମଧ୍ୟରେ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିଲା। ସେହିପରି ଭାରତ-ପାକ୍ ସୁପର-୪ ମ୍ୟାଚ ବି ବର୍ଷା କାରଣରୁ ରିଜର୍ଭ ଡେରେ ହିଁ ଶେଷ ହୋଇଥିଲା । ଭାରତ-ନେପାଳ ମ୍ୟାଚ, ଶ୍ରୀଲଙ୍କା-ବାଂଲାଦେଶ ମ୍ୟାଚ ବି ପ୍ରଭାବିତ ହୋଇଥିଲା । କିନ୍ତୁ ଫାଇନାଲରେ କଣ ହେବ ?
ଶ୍ରୀଲଙ୍କା ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ରବିବାର କଲମ୍ବୋରେ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ପାଣିପାଗ ପୂର୍ବାନୁମାନ ପ୍ରଦାନ କରୁଥିବା ଓ୍ବେଦରଡଟକମର ରିପୋର୍ଟ ଅନୁଯାୟୀ, ସେପ୍ଟେମ୍ବର ୧୭ରେ କଲମ୍ବୋରେ ପ୍ରାୟ ୮୦ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି। ମ୍ୟାଚ୍ ଦିନ ଅପରାହ୍ନ ୧ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ, ଯାହା ଫଳରେ ମ୍ୟାଚ୍ ରେ ଅସୁବିଧା ହୋଇପାରେ। ଏହାବ୍ୟତୀତ ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୫ରୁ ୨୦ କିଲୋମିଟର ରହିପାରେ। ସେହିପରି ତାପମାତ୍ରା ୨୫ରୁ ୩୦ ଡିଗ୍ରି ମଧ୍ୟରେ ରହିପାରେ। ଆର୍ଦ୍ରତା ପାଖାପାଖି ୮୦ ପ୍ରତିଶତ ରହିବ। ତେବେ ସେପ୍ଟେମ୍ବର ୧୮, ସୋମବାରକୁ ଫାଇନାଲ ମ୍ୟାଚ୍ ପାଇଁ ରିଜର୍ଭ ଡେ ଭାବେ ରଖାଯାଇଛି। ସେହିଦିନ ବି ବର୍ଷାର ଆଶଙ୍କା ରହିଛି ।