ଏସିଆ କପ-୨୦୨୨ : ସୁପର-୪ରେ ଆଫଗାନିସ୍ତାନକୁ ୪ ଓ୍ଵିକେଟ୍ରେ ହରାଇଲା ଶ୍ରୀଲଙ୍କା
ସାରଜା : ଏସିଆ କପ୍-୨୦୨୨ ଟୁର୍ଣ୍ଣାମେଣ୍ଟରେ ଆରମ୍ଭ ହୋଇଛି ସୁପର ୪ ଲଢେଇ । ଏସିଆ କପ୍ର ସୁପର-୪ର ପ୍ରଥମ ମ୍ୟାଚ୍ରେ ଶ୍ରୀଲଙ୍କା ୪ ଓ୍ଵିକେଟ୍ରେ ବିଜୟୀ ହୋଇଛି। ଆଫଗାନିସ୍ତାନକୁ ହରାଇ ସୁପର ୪ରେ ପ୍ରଥମ ବିଜୟ ହାସଲ କରିଛି ଶ୍ରୀଲଙ୍କା।
ମ୍ୟାଚରେ ଶ୍ରୀଲଙ୍କା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୭୫ ରନ କରିଥିଲା । ଦଳର ଓପନର ରହମାନୁଲ୍ଲା ଗୁରବାଜ୍ ଲଢୁଆ ବ୍ୟାଟିଂ କରି ୮୪ ରନ କରିଥିଲେ । ଇବ୍ରାହିମ ଜରଦାନ ୪୦ ରନ କରିଥିବାବେଳେ ନାଜିବୁଲ୍ଲା ଜରଦାନ ୧୭ ରନ କରିଥିଲେ । ଦଳ ଆରମ୍ଭରୁ ଭଲ ବ୍ୟାଟିଂ କରି ଦ୍ରୁତ ଗତିରେ ରନ ସଂଗ୍ରହ କରିଥିବାବେଳେ ଲାଗୁଥିଲା ଯେ ଦଳର ସ୍କୋର ୨୦୦ ରନ ଟପିଯିବ । କିନ୍ତୁ ମଧ୍ୟ ଭାଗ ଓ ନିମ୍ନ-ମଧ୍ୟଭାଗ ବ୍ୟାଟ୍ସମ୍ୟାନଙ୍କ ବିଫଳତା ଯୋଗୁଁ ସ୍କୋର ୧୭୫ ରନରେ ସୀମିତ ରହିଯାଇଥିଲା । ଶ୍ରୀଲଙ୍କା ପକ୍ଷରୁ ଦିଲସାନ ମଦୁଶଙ୍କା ୨ଟି ଓ୍ବିକେଟ ନେଇଥିବାବେଳେ ମହିସ ତିକସନା ଓ ଅସିଥା ଫର୍ଣ୍ଣାଣ୍ଡୋ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।
ସୂଚନା ଯେ, ଏସିଆ କପରେ ଆସନ୍ତା ରବିବାର ଆଉ ଏକ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିପାରେ । ଏହି ମ୍ୟାଚରେ ପୁଣି ଥରେ ଭେଟା ଭେଟି ହେବେ ଭାରତ ଓ ପାକିସ୍ତାନ । ପ୍ରଥମ ମ୍ୟାଚରେ ଭାରତୀୟ ଦଳ ପାକିସ୍ତାନକୁ ହରାଇଥିବାବେଳେ ଏହି ମ୍ୟାଚ ଉପରେ ସମସ୍ତଙ୍କ ନଜର ରହିବ ।