ଏସିଆ କପ୍-୨୦୨୨ : ପାକିସ୍ତାନକୁ ମିଳିଲା ଶାହୀନଙ୍କ ବିକଳ୍ପ ମହମ୍ମଦ ହସନେନ
ନୂଆଦିଲ୍ଲୀ : ଆଉ ୫ଦିନ ପରେ ଆରମ୍ଭ ହେବ ଏସିଆ କପ୍-୨୦୨୨। ଏଥିରେ ଭାରତ-ପାକିସ୍ତାନ ମୁହାଁମୁହିଁ ହେବେ । ମାତ୍ର ଏହା ପୂର୍ବରୁ ପାକିସ୍ତାନକୁ ଏକ ବଡ ଝଟକା ଲାଗିଥିଲା । ଏହାରି ମଧ୍ୟରେ ପାକିସ୍ତାନ ଖୋଜି ପାଇଛି ଶାହୀନ ଆଫ୍ରିଦିଙ୍କ ବିକଳ୍ପ । ଆହତ ଶାହୀନ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିବା ପରେ ତାଙ୍କ ସ୍ଥାନ ନେବେ ଷ୍ଟାର ବୋଲର ମହମ୍ମଦ ହସନେନ । ଟି-୨୦ ମ୍ୟାଚରେ ଦଳ ତରଫରୁ ଦମଦାର ପ୍ରଦର୍ଶନ କରି ଆଜି ଏହି ଟୁର୍ଣ୍ଣାମେଣ୍ଟରେ ସ୍ଥାନ ପାଇଛନ୍ତି ଏହି ଷ୍ଟାର ବୋଲର ।
ପାକିସ୍ତାନ ପକ୍ଷରୁ ହସନେନ ୧୮ଟି ଟି-୨୦ ମ୍ୟାଚ ଖେଳିଥିବା ବେଳେ ଏଥିରୁ ୧୭ଟି ୱିକେଟ ସେ ନିଜ ନାମରେ କରିଛନ୍ତି । ତେବେ ୩୭-୩ ତାଙ୍କ ଜୀବନର ବେଷ୍ଟ ବୋଲିଂ ଫିଗର ରହିଛି । ଟି-୨୦ ବ୍ୟତୀତ ଦିନିକିଆରେ ମଧ୍ୟ ପାକିସ୍ତାନ ପାଇଁ ୮ଟି ମ୍ୟାଚ ଖେଳିଛନ୍ତି ମହମ୍ମଦ ହସନେନ । ୮ ପାରିରେ ସେ ୧୨ଟି ସଫଳତା ପ୍ରାପ୍ତ କରିଛନ୍ତି । ତେବେ ମୋଟ ୮୨ଟି ଟି-୨୦ ମ୍ୟାଚ ଖେଳିଥିବା ବେଳେ ଏଥିରେ ୧୦୦ରୁ ଅଧିକ ୱିକେଟ ଅକ୍ତିଆର କରିଛନ୍ତି ହସନେନ । ତେବେ ୟର୍କର ଏକ୍ସପର୍ଟ ଭାବରେ ଜଣାଶୁଣା ପାକିସ୍ତାନର ଏହି ଷ୍ଟାର ଫାଷ୍ଟ ବୋଲର । ସେପଟେ ପାକିସ୍ତାନର ପ୍ରଥମ ଚଏସ ଶାହୀନ ଆଫ୍ରିଦି ଏସିଆ କପ୍-୨୦୨୨ ଏବଂ ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜରୁ ବାଦ ପଡିଛନ୍ତି । ତେଣୁ ତାଙ୍କ ବିକଳ୍ପ ଭାବେ ମହମ୍ମଦ ହସନେନଙ୍କୁ ଟିମରେ ସାମିଲ କରିଛି ପାକିସ୍ତାନ କ୍ରିକେଟ ବୋର୍ଡ ।