ଏସିଆ କପ୍-୨୦୨୨ : ଆଫଗାନିସ୍ତାନ ବିପକ୍ଷରେ ଟସ ଜିତି ବାଂଲାଦେଶର ବ୍ୟାଟିଂ ନିଷ୍ପତ୍ତି
ନୂଆଦିଲ୍ଲୀ: ୟୁଏଇରେ ଖେଳାଯାଉଥିବା ଏସିଆ କପ୍-୨୦୨୨ର ତୃତୀୟ ମୁକାବିଲାରେ ସୋମବାର ପରସ୍ପରକୁ ଭେଟିବେ ଆଫଗାନିସ୍ତାନ ଓ ବାଂଲାଦେଶ । ଏହି ମ୍ୟାଚ ସାରଜା ମଇଦାନରେ ଖେଳାଯିବ। ଆଫଗାନିସ୍ତାନ ପ୍ରଥମ ମ୍ୟାଚରେ ଶ୍ରୀଲଙ୍କା ବିପକ୍ଷରେ ବଡ ବିଜୟ ହାସଲ କରି ଗ୍ରୁପ୍ ବି’ର ଶୀର୍ଷରେ ରହିଛି । ଆଜିର ମ୍ୟାଚ ବିଜୟ ସହ ଆଫଗାନିସ୍ତାନ ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି । ଦଳର ମନୋବଳ ବେଶ ଉର୍ଦ୍ଧ୍ଵରେ ରହିଛି। ବାଂଲାଦେଶ ସହ ମ୍ୟାଚ୍ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି । ସେହିପରି ବାଂଲାଦେଶ ଅଭିଯାନ ଆରମ୍ଭ କରିବାକୁ ଯାଉଥିବାରୁ ପ୍ରଥମ ମ୍ୟାଚ୍ରେ ବିଜୟ ପାଇଁ ଆଶାବାଦୀ ରହିଛି ।
ଆଫଗାନିସ୍ତାନ ବ୍ୟାଟିଂ ଏବଂ ବୋଲିଂରେ ଶ୍ରୀଲଙ୍କା ବିପକ୍ଷରେ ଦବଦବା ଜାହିର କରିଥିଲା। ଶ୍ରୀଲଙ୍କାକୁ ହରାଇବା ପରେ ଆଫଗାନିସ୍ତାନ ମନୋବଳ ଦୃଢ ରହିଛି । ଦଳ ପୁଣି ଥରେ ପ୍ରମାଣିତ କରିଛି ଯେ, ଛୋଟ ଫର୍ମାଟରେ ଭଲ ପ୍ରଦର୍ଶନ କରିବାର ସାମର୍ଥ୍ୟ ରଖିଛି । ଦଳର ବ୍ୟାଟସମ୍ୟାନ ଲୟରେ ଥିବାବେଳେ ଦଳର ବୋଲିଂ ବିଭାଗ ବେଶ ଶକ୍ତିଶାଳୀ ରହିଛି । ମୁଜିବ ଉର-ରେହମାନ, ରସିଦ ଖାନ ଓ ମହମ୍ମଦ ନବିଙ୍କୁ ନେଇ ଗଠିତ ସ୍ପିନ ବାହିନୀ ଶ୍ରୀଲଙ୍କାକୁ ଧରାଶାୟୀ କରିଥିଲେ । ବାଂଲାଦେଶ ବିପକ୍ଷରେ ମଧ୍ୟ ଦଳ କମାଲ ଦେଖାଇବ ବୋଲି ଆଶା କରାଯାଉଛି । ଅନ୍ୟପକ୍ଷରେ ଜିମ୍ବାୱେ ଠାରୁ ପରାଜିତ ହୋଇ ଫେରିଥିବା ବାଂଲାଦେଶ ଦଳରେ ସନ୍ତୁଳନର ଅଭାବ ରହିଛି । ମାତ୍ର ଦଳର ନେତୃତ୍ଵ ନେଉଛନ୍ତି ବିଶ୍ଵର ଅନ୍ୟତମ ଅଲରାଉଣ୍ଡର ସାକିବ ଉଲ ହସନ। ଦଳରେ ଅଭିଜ୍ଞ ଖେଳାଳି ରହିଥିଲେ ହେଁ ସାକିବଙ୍କ ଉପରେ ମୁଖ୍ୟତଃ ନିର୍ଭର କରୁଛି ।
ସୂଚନା ଯେ, ଏହି ମ୍ୟାଚର ଯଦି ଆଫଗାନିସ୍ତାନ ବିପକ୍ଷରେ ବାଂଲାଦେଶ ଅଳ୍ପ ବ୍ୟବଧାନ ବିଜୟୀ ହୁଏ ତେବେ ବି ସୁପର-୪ରେ ଆଫଗାନିସ୍ତାନ ପହଞ୍ଚିଯିବ। କାରଣ ମହମ୍ମଦ ନବିଙ୍କ ନେତୃତ୍ଵାଧୀନ ଦଳର ନେଟ୍ ରନ ରେଟ୍ ଯୁକ୍ତ ୫.୧୭୬ ରହିଛି। ତେଣୁ ଦଳକୁ ସୁପର ୪ରେ ପହଞ୍ଚିବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡିବ ନାହିଁ। ହେଲେ ବାଂଲାଦେଶ ଏବଂ ଶ୍ରୀଲଙ୍କା ମଧ୍ୟରୁ କିଏ ଆଗକୁ ଯିବ ତାହା ଦେଖିବା ବାକି ରହିଲା।
ବାଂଲାଦେଶ ସମ୍ଭାବ୍ୟ ଦଳ: ମହମ୍ମଦ ନଇମ, ସାକିବ ଅଲ୍ ହାସନ(ଅଧିନାୟକ), ମୁସଫିକର ରହିମ, ମହମୁଦୁଲ୍ଲା, ମୁସ୍ତାଫିଜୁର ରେହମାନ, ସବିର ରେହମାନ, ଆନାମୁଲ ହକ୍, ଇବାଦତ ହୋସେନ, ମେହଦି ହାସାନ,ମହମ୍ମଦ ସୈଫୁଦ୍ଦିନ, ମୋସାଡେକ ହୋସେନ ।
ଆଫଗାନିସ୍ତାନ ସମ୍ଭାବ୍ୟ ଦଳ: ହଜରତୁଲ୍ଲା ଜାଜାଇ, ରହମତୁଲ୍ଲା ଗୁରବାଜ, ଇବ୍ରାହିମ ଜାଡ୍ରାନ, ନଜିବୁଲ୍ଲା ଜାଡ୍ରାନ, କରିମ ଜନତ, ମହମ୍ମଦ ନବି(ଅଧିନାୟକ), ରସିଦ ଖାନ,ଅଜମତୁଲ୍ଲା ଓମାରଜାଇ, ନବୀନ ଉଲ-ହକ୍, ମୁଜିବ ଉର ରେହମାନ, ଫଜଲହକ ଫାରୁକି।