ଏସିଆ କପ୍-୨୦୨୨ : ବାଂଲାଦେଶକୁ ୭ ଓ୍ଵିକେଟ୍ରେ ହରାଇଲା ଆଫଗାନିସ୍ତାନ
ଶାରଜା: ଏସିଆ କପର ତୃତୀୟ ମ୍ୟାଚ୍ରେ ମଙ୍ଗଳବାର ମୁହାଁମୁହିଁ ହୋଇଥିଲେ ବାଂଲାଦେଶ-ଆଫଗାନିସ୍ତାନ। ଏଥିରେ ଶ୍ରୀଲଙ୍କାକୁ ଏକତରଫା ଭାବେ ପରାସ୍ତ କରିଥିବା ଆଫଗାନିସ୍ତାନ ଏସିଆ କପରେ ଦ୍ୱିତୀୟ ବିଜୟ ହାସଲ କରିଛି। ପୁଣି ଥରେ ବୋଲିଂ ଏବଂ ବ୍ୟାଟିଂରେ କମାଲ କଲା ଆଫଗାନିସ୍ତାନ। ଏସିଆ କପ୍ର ତୃତୀୟ ମ୍ୟାଚ୍ରେ ବାଂଲାଦେଶକୁ ୭ ଓ୍ଵିକେଟ୍ରେ ହରାଇ ଟୁର୍ଣ୍ଣାମେଣ୍ଟରେ କ୍ରମାଗତ ଦ୍ଵିତୀୟ ବିଜୟ ହାସଲ କରିଛି। ବିଜୟ ସହିତ ପ୍ରଥମ ଦଳ ଭାବେ ସୁପର ୪ରେ ପହଞ୍ଚିଛି ଆଫଗାନିସ୍ତାନ। ବାଂଲାଦେଶ ଦ୍ଵାରା ଧାର୍ଯ୍ୟ ୧୨୮ ରନର ବିଜୟ ଲକ୍ଷ୍ୟକୁ ଦଳ ୧୮.୩ ଓଭରେ ୩ ଓ୍ଵିକେଟ୍ ହରାଇ ହାସଲ କରି ନେଇଛି। ନଜିବୁଲ୍ଲା ଜୋରଦାନଙ୍କ ବିସ୍ଫୋରକ(୧୭ ବଲ୍ ୪୩ ରନ) ଏବଂ ଇବ୍ରାହିମ ଜର୍ଦ୍ଦାନଙ୍କ ୪୨ ବଲରେ ଆଫଗାନିସ୍ତାନ ମ୍ୟାଚ୍କୁ ଜିତି ନେଇଛି। ଦଳ ବିଜୟରେ ମୁଜିବ ଉର ରେହମାନ, ରଶିଦ ଖାନ ଏବଂ ଏହି ଦୁଇ ବ୍ୟାଟସମ୍ୟାନ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।
ମ୍ୟାଚ୍ରେ ବାଂଲାଦେଶର ଅଧିନାୟକ ସାକିବ-ଅଲ-ହାସନ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ହେଲେ ଦଳ ଦ୍ୱିତୀୟ ଓଭର୍ରେ ଓପନର ମହମ୍ମଦ ନୈମ(୬)ଙ୍କୁ ହରାଇଥିଲା। ତାଙ୍କ ୱିକେଟ ମୁଜୀବ ଉର ରହମନ ନେଇଥିଲେ। ଅନ୍ୟତମ ଓପନର ଅନମୁଲ ହକ(୫) ମୁଜୀବଙ୍କ ଦ୍ୱିତୀୟ ଶିକାର ବନିଥିଲେ। ଅଧିନାୟକ ସାକିବ ଦ୍ରୁତ ବୋଲର ନବୀନ ଉଲ ହକଙ୍କୁ କିଛି ଦର୍ଶନୀୟ ଚୌକା ମାରିଥିଲେ ମଧ୍ୟ କେବଳ ୧୧ ରନ କରିବାକୁ ସକ୍ଷମ ହୋଇଥିଲେ। ତାଙ୍କ ୱିକେଟ ମଧ୍ୟ ମୁଜୀବଙ୍କ ଖାତାକୁ ଯାଇଥିଲା। ଅଭିଜ୍ଞ ମୁସଫିକର ରହିମ(୧) ମଧ୍ୟ ବେଶୀ କିଛି କରିପାରି ନଥିଲେ। ତାଙ୍କୁ ଆଉଟ କରି ଲେଗ ସ୍ପିନର ରଶିଦ ଖାନ ବାଂଲାଦେଶକୁ ୪ର୍ଥ ଝଟକା ଦେଇଥିଲେ। ୨୮ ରନରେ ୪ ୱିକେଟ ହରାଇ ବାଂଲାଦେଶ ସଙ୍କଟରେ ପଡ଼ିଥିଲା। ଅଫିଫ ହୁସେନ ଓ ମହମ୍ମଦୁଲ୍ଲା ସ୍ଥିତି ସମ୍ଭାଳି ଦଳୀୟ ସ୍କୋରକୁ ୫୩ରେ ପହଞ୍ଚାଇଥିଲେ। କିନ୍ତୁ ରଶିଦ ଖାନ ୧୨ ରନ କରିଥିବା ଅଫିଫଙ୍କୁ ଆଉଟ କରି ବାଂଲାଦେଶକୁ ୫ମ ଝଟକା ଦେଇଥିଲେ। ୬ଷ୍ଠ ୱିକେଟ ପାଇଁ ମହମ୍ମଦୁଲ୍ଲା ଓ ମୋସାଡେକ ହୋସୈନ ୩୬ ରନ ଯୋଡ଼ିଥିଲେ। ଲାଗୁଥିଲା ଦୁହେଁ ବାଂଲାଦେଶକୁ ବଡ଼ ସ୍କୋର କରିବାରେ ସହାୟତା କରିବେ। କିନ୍ତୁ ରଶିଦ ଖାନ ନିଜ ସ୍ପେଲର ଶେଷ ଓଭରରେ ମହମ୍ମଦୁଲ୍ଲା(୨୫)ଙ୍କୁ ଆଉଟ କରି ଦେଇ ସବୁ ଆଶାରେ ପାଣି ପକାଇ ଦେଇଥିଲେ। ମୁଜୀବ ଓ ରଶିଦ ମିଳିତ ଭାବେ ବାଂଲାଦେଶର ପ୍ରଥମ ୬ ଜଣ ବ୍ୟାଟରଙ୍କୁ ପ୍ୟାଭିଲିୟନ ପଠାଇଛନ୍ତି। ଏଥିସହ ଉଭୟ ମିଳିତ ଭାବେ ୮ ଓଭର ବୋଲିଂ କରି ଯଥାକ୍ରମେ ୧୬ ଓ ୨୨ ରନ ବ୍ୟୟ କରିଛନ୍ତି। ଶେଷ ଭାଗରେ ମୋସାଡେକ କିଛି ବଡ଼ ଶଟ ଖେଳିବା ସହ ବାଂଲାଦେଶର ସ୍କୋରକୁ ୧୦୦ ପାର କରାଇଥିଲେ। ତାଙ୍କୁ ମାହେଦି ହାସନ ମଧ୍ୟ ଭରପୂର ସହଯୋଗ କରିଥିଲେ। ଉଭୟ ୭ମ ୱିକେଟ ପାଇଁ ୩୮ ରନ ଯୋଡ଼ିଥିଲେ। ବାଂଲାଦେଶର ସ୍କୋର ୧୨୭ ଥିବା ବେଳେ ୧୯.୫ ଓଭର୍ରେ ହାସନ(୧୪) ରନ କରି ରନ ଆଉଟ ହୋଇଥିଲେ। ଶେଷ ବଲରେ ମୋସାଡେକ କୌଣସି ରନ କରିପାରି ନଥିଲେ। ଫଳରେ ବାଂଲାଦେଶ ନିର୍ଦ୍ଧାରିତ ୨୦ ଓଭର୍ରେ ୭ ୱିକେଟ ହରାଇ ୧୨୭ ରନ କରିଛି। ମୋସେଡେକ ଶେଷ ଯାଏ ୩୧ ବଲରେ ୪୮ ରନ କରି ଅପାରିଜ ରହିଥିଲେ। ଏହି ଇନିଂସରେ ସେ ୪ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି।
ବାବରେ ଆଫଗାନିସ୍ତାନ ୯ ବଲ ପୂର୍ବରୁ ୩ ୱିକେଟ ହରାଇ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରି ନେଇଛି। ନଜିବୁଲ୍ଲା ଶେଷ ଯାଏ ୧୭ ବଲରେ ୪୩ ଓ ଇବ୍ରାହିମ ଜଦରାନ ୪୧ ବଲରେ ୪୨ ରନ କରି ଅପରାଜିତ ଥିଲେ। ଆଫଗାନର ଦୁଇ ସ୍ପିନର ମୁଜୀବ ଉର-ରହମନ ଓ ରଶିଦ ଖାନଙ୍କ ଘାତକ ବୋଲିଂ ଯୋଗୁ ବାଂଲାଦେଶ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୨୭ ରନ କରିଥିଲା। ୧୨୮ ରନର ଟାର୍ଗେଟ ପାଇଥିବା ଆଫଗାନିସ୍ତାନ ବେଶ ସତର୍କତାର ସହ ଇନିଂସ ଆରମ୍ଭ କରିଥିଲା। ଦଳର ଦୁଇ ଓପନର ହଜରତୁଲ୍ଲା ଜଜାଇ ଓ ରହମନତୁଲ୍ଲା ଗୁରବାଜ ୪ ଓଭର ଯାଏ କୌଣସି ୱିକେଟ ଦେଇ ନଥିଲେ। ହେଲେ ସେମାନେ ମାତ୍ର ୧୫ ରନ ହିଁ ଯୋଡ଼ି ପାରିଥିଲେ। ୫ମ ଓଭରରେ ଅଧିନାୟକ ସାକିବ ଅଲ ହାସନ ୧୧ ରନ କରିଥିବା ଗୁରବାଜଙ୍କୁ ଆଉଟ କରି ଆଫଗାନକୁ ପ୍ରଥମ ଝଟକା ଦେଇଥିଲେ। ଦଳୀୟ ସ୍କୋର ୪୫ ଥିବା ବେଳେ ଜଜାଇ ୨୩ ରନ କରି ମୋସାଡେକ ହୁସୈନଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ଆଫଗାନ ଭଳି ବାଂଲାଦେଶର ସ୍ପିନର ମାନେ ବେଶ ମାପିଚୁପି ବୋଲିଂ କରିଥିଲେ। ସ୍ଥିତି ଏମିତି ହୋଇଥିଲା ଯେ ୧୦ମ ଓଭରରେ ହିଁ ଆଫଗାନିସ୍ତାନ ୫୦ ରନ କରିପାରିଥିଲା। ଏହାପରେ ଦଳର ସ୍କୋରିଂ ହାରକୁ ଇବ୍ରାହିମ ଜଦରାନ ଓ ଅଧିନାୟକ ମହମ୍ମଦ ନବି ବଢ଼ାଇବାକୁ ଚାହିଁଥିଲେ। କିନ୍ତୁ ଦ୍ରୁତ ବୋଲର ମହମ୍ମଦ ସୈଫୁଦ୍ଦିନ ୮ ରନ କରିଥିବା ନବିଙ୍କୁ ଆଉଟ କରି ଆଫଗାନିସ୍ତାନକୁ ୩ୟ ଝଟକା ଦେଇଥିଲେ। ଆଫଗାନିସ୍ତାନ ହାତରୁ ମ୍ୟାଚ୍ ଖସି ଯିବାକୁ ବସିଥିବା ବେଳେ ଇବ୍ରାହିମଙ୍କ ସହ ନଜିବୁଲ୍ଲା ଜଦରାନ ସ୍ଥିତି ସମ୍ଭାଳିଥିଲେ। ଉଭୟ କେବଳ ୱିକେଟ ବଞ୍ଚାଇ ନଥିଲେ ବରଂ ଦ୍ରୁତଗତିରେ ରନ ସଂଗ୍ରହ କରିଥିଲେ। ବିଶେଷ କରି ୧୭ତମ ଓଭର ପକାଉଥିବା ମୁସ୍ତାଫିଜୁର ରହମାନ ଓ ୧୮ତମ ଓଭର ପକାଇଉଥିବା ସୈଫୁଦ୍ଦିନକୁ ଉଭୟ କଡ଼ା ପ୍ରହାର କରିଥିଲେ। ୧୭ତମ ଓଭରରେ ଆଫଗାନିସ୍ତାନ ୧୭ ରନ ଆଦାୟ କରିଥିଲା। ସେହିପରି ୧୮ତମ ଓଭରର ଦୁଇ ବ୍ୟାଟର ୨୨ ରନ କରି ବାଂଲାଦେଶ ହାତରୁ ମ୍ୟାଚ୍ ଛଡ଼ାଇ ଆଣିଥିଲେ। ଶେଷ ୨ ଓଭର୍ରେ ଦଳକୁ ଜିତିବାକୁ ମାତ୍ର ୪ ରନ ଆବଶ୍ୟକ ଥିବା ବେଳେ ବୋଲିଂ କରିବାକୁ ଆସିଥିଲେ ହୁସୈନ। ପ୍ରଥମ ବଲରେ ଇବ୍ରାହିମ କୌଣସି ରନ କରି ନଥିଲେ। ହେଲେ ଦ୍ୱିତୀୟ ବଲରେ ୧ ରନ ନେଇଥିଲେ। ଏହାପରେ ଷ୍ଟ୍ରାଇକୁ ଆସିଥିଲେ ନଜିବୁଲ୍ଲା ଜଦରାନ। ଦଳକୁ ଜିତିବାକୁ ୩ ରନ ଦରକାର ଥିବା ବେଳେ ସେ ଛକା ମାରି ମ୍ୟାଚ୍ ଶେଷ କରିଥିଲେ। ନିଜର ବିସ୍ଫୋରକ ୪୩ ରନର ଇନିଂସରେ ସେ ୬ଟି ଛକା ଓ ଗୋଟିଏ ଚୌକା ମାରିଛନ୍ତି। ସେହିପରି ଇବ୍ରାହିମ ୪ଟି ଚୌକା ସହ ୪୨ ରନ କରିଛନ୍ତି।