ଏସିଆ କପ୍-୨୦୨୨ : ପ୍ରଥମ ଦଳ ଭାବେ ସୁପର-୪ରେ ପ୍ରବେଶ କଲା ଆଫଗାନିସ୍ତାନ
ଶାରଜା : ଏସିଆ କପ୍-୨୦୨୨ରେ ଆଫଗାନିସ୍ତାନ ଜୟଯାତ୍ରା ଜାରି ରଖିଛି । ପୁଣି ଥରେ ବୋଲିଂ ଏବଂ ବ୍ୟାଟିଂରେ କମାଲ କଲା ଆଫଗାନିସ୍ତାନ। ଏଥିସହ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ବିଜୟ ହାସଲ କରିଛି। ଫଳରେ ପ୍ରଥମ ଦଳ ଭାବେ ସୁପର -୪ ରେ ପାଇଁ ଯୋଗ୍ୟତା ଅର୍ଜନ କରିଛି ।
ବୋଲିଂରେ ଆଫଗାନର ସ୍ପିନରମାନେ ଜବରଦସ୍ତ ପ୍ରଦର୍ଶନ କରିଥିବା ବେଳେ ବ୍ୟାଟିଂରେ ନଜିବୁଲ୍ଲା ଜାଦ୍ରାନ୍ ଓ ଇବ୍ରାହିମ ଜାଦ୍ରାନ କମାଲ କରିଛନ୍ତି। ଏକଦା ଆଫଗାନିସ୍ତାନ ହାତରୁ ମ୍ୟାଚ ଖସି ଯବାକୁ ବସିଥିଲା। ହେଲେ ଦୁଇ ଜାଦ୍ରାନ ଦମଦାର ବ୍ୟାଟିଂ କରି ବାଂଲାଦେଶ ହାତରୁ ଛଡ଼ାଇ ଆଣି ଦଳକୁ ବିଜୟ ଭେଟି ଦେଇଥିଲେ । ବାଂଲାଦେଶ ଦ୍ଵାରା ଧାର୍ଯ୍ୟ ୧୨୮ ରନର ବିଜୟ ଲକ୍ଷ୍ୟକୁ ଦଳ ୧୮.୩ ଓଭରେ ୩ ଓ୍ଵିକେଟ୍ ହରାଇ ହାସଲ କରି ନେଇଛି।
ଶାରଜାରେ ଖେଳାଯାଇଥିବା ଟୁର୍ଣ୍ଣାମେଣ୍ଟରେ ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ଵିକେଟ୍ ହରାଇ ୧୨୭ ରନ କରିଥିଲା। ମୁଜିବ ୧୬ ରନ ଦେଇ ୩ ଏବଂ ରଶିଦ ୨୨ ରନ ଦେଇ ୩ଟି ଓ୍ଵିକେଟ୍ ନେଇ ବାଂଲାଦେଶର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ୨୮ ରନରେ ପ୍ରଥମ ୪ ଓ୍ଵିକେଟ୍ ହରାଇ ଦଳ ବ୍ୟାଟିଂ ବିପର୍ଯ୍ୟ ଭୋଗିଥିଲା ବାଂଲାଦେଶ। ଦଳ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇବାରୁ ବଡ ସ୍କୋର କରିବାରେ ବିଫଳ ହୋଇଥିଲା। ତେବେ ମୋସାଡେକ ହୋସେନଙ୍କ ଅପରାଜିତ ୪୮ ରନର ଲଢୁଆ ଇନିଂସ ବଳରେ ବାଂଲାଦେଶ ୧୨୭ ରନସ୍କୋରରେ ପହଞ୍ଚି ପାରିଥିଲା। ତାଙ୍କ ବ୍ୟତୀତ ମହମଦୁଲ୍ଲା ୨୫ ରନ କରିଥିଲେ। । ଜବାବରେ ଆଫଗାନିସ୍ତାନ ୧୫ ରନ ସ୍କୋରରେ ପ୍ରଥମ ଓ୍ଵିକେଟ୍ ହରାଇଥିଲେ ହେଁ ରନ ଗତି ଜାରି ରଖିଥିଲା। ରହମନୁଲ୍ଲା ଗୁରବାଜ ୧୧ ରନ କରି ଆଉଟ୍ ହୋଇଥିଲେ। ପରେ ହଜରତୁଲ୍ଲା ଜଜାଇ ୨୩ ରନ କରି ପାଭିଲିୟନ ଫେରିଥିଲେ। ୬୨ ରନ ସ୍କୋରରେ ଅଧିନାୟକ ମହମ୍ମଦ ନବି(୮) ଆଉଟ୍ ହେବା ଆଫଗାନିସ୍ତାନକୁ ବଡ ଝଟକା ଲାଗିଥିଲା। ଆଫଗାନିସ୍ତାନ ରନ ଗତି ଧିମେଇ ଯାଇଥିଲା। ମ୍ୟାଚ୍ ରୋମାଞ୍ଚକର ମୋଡ ନେଇଥିଲା। ତେବେ ଇବ୍ରାହିମ ଜର୍ଦ୍ଦାନ ଏବଂ ନଜିବୁଲ୍ଲା ଜର୍ଦ୍ଦାନ ଦମଦାର ବ୍ୟାଟିଂ କରିଥିଲେ। ଦୁଇ ବ୍ୟାଟସମ୍ୟାନ ଅବିଭାଜିତ ଚତୁର୍ଥ ଓ୍ଵିକେଟ୍ରେ ୬୯ ରନ ଯୋଡି ଦଳକୁ ବିଜୟୀ କରାଇଛନ୍ତି। ବିଶେଷ କରି ନଜିବୁଲ୍ଲା ବିସ୍ଫୋରକ ବ୍ୟାଟିଂ କରି ଦଳକୁ ଦମଦାର ବିଜୟ ଦେଇଛନ୍ତି। ସେ ୧୭ ବଲରୁ ୧ ଚୌକା ଏବଂ ୬ ଛକା ଜରିଆରେ ୪୩ ରନ ଏବଂ ଇବ୍ରାହିମ ୪୧ ବଲରୁ ୪୨ ରନ କରି ଅପରାଜିତ ଥିଲେ। ସୂଚନା ଯେ, ପୂର୍ବରୁ ଆଫଗାନିସ୍ତାନ ପ୍ରଥମ ମ୍ୟାଚରେ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା।