ଆର୍ୟନ ଖାନ୍ ମାମଲାରୁ ହଟିଲେ ସମୀର ୱାଙ୍ଖଡେ
ମୁମ୍ବାଇ : ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ସହ ଜଡିତ ଡ୍ରଗ୍ସ ମାମଲାରୁ ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କୁ ହଟାଇ ଦିଆଯାଇଛି । ଡିଡିଜି ମୁଥା ଅଶୋକ ଜୈନଙ୍କ ଅନୁଯାୟୀ ଆର୍ୟନ ଖାନ ଏବଂ ଅନ୍ୟ ୬ ଟି ମାମଲା ଏନସିବି ଅପରେସନରେ ଦିଆଯାଇଛି । ସମୀର ୱାଙ୍ଖଡେ ମୁମ୍ବାଇରେ ରହି ଦିଲ୍ଲୀ ମୁଖ୍ୟାଳୟକୁ ରିପୋର୍ଟ କରିବେ । ଆଗାମୀ ଯେକୌଣସି ମାମଲାରେ ଦିଲ୍ଲୀ ମୁଖ୍ୟାଳୟକୁ ପଚାରି କାର୍ଯ୍ୟ କରିବ।
ସୂଚନା ଯେ, ଆର୍ୟନ ଖାନ୍, ଅରବାଜ୍ ମର୍ଚାଣ୍ଟ ଏବଂ ମୁମୁନ୍ ଧାମଚାଙ୍କୁ ଅକ୍ଟୋବର ୩ ରେ ମୁମ୍ବାଇ ଉପକୂଳରେ ଥିବା ଏକ କ୍ରୁଜ୍ ଜାହାଜ ଉପରେ ଚଢ଼ାଉ କରି ଏନସିବି ଗିରଫ କରିଥିଲା । ଅକ୍ଟୋବର ୮ ରୁ ଆର୍ୟନ ଆର୍ଥର ରୋଡ ଜେଲରେ ରହିଥିଲେ। ନାର୍କୋଟିକ୍ ଡ୍ରଗ୍ ଏବଂ ସାଇକୋଟ୍ରୋପିକ୍ ପଦାର୍ଥ ଅଧିନିୟମ (NDPS Act) ର ଉପଯୁକ୍ତ ବିଭାଗ ଅଧୀନରେ ନିଶା ଦ୍ରବ୍ୟର ବ୍ୟବହାର, ନିଷିଦ୍ଧ ଦ୍ରବ୍ୟ କ୍ରୟ ଏବଂ ବିକ୍ରୟ ତଥା ଷଡ଼ଯନ୍ତ୍ର ପାଇଁ ଆର୍ୟନଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା । ଅକ୍ଟୋବର ୨୮ ରେ ବମ୍ବେ ହାଇକୋର୍ଟଙ୍କ ଦ୍ୱାରା ଆର୍ୟନଙ୍କୁ ଜାମିନ ପ୍ରଦାନ କରାଯାଇଥିଲା । କହିରଖୁଛୁ ଯେ ଆର୍ୟନ ଖାନ ମାମଲାର ତଦନ୍ତ ଆରମ୍ଭ ହେବା ପରେ ସମାନ ମାମଲାର ସାକ୍ଷୀ ପ୍ରଭାକର ସେଲଙ୍କ ଦ୍ୱାରା ସମୀର ୱାଙ୍ଖଡେଙ୍କ ବିରୋଧରେ ଗୁରୁତର ଅଭିଯୋଗ ଅଣାଯାଇଥିଲା । ସେ କହିଥିଲେ ଯେ ଅଧିକାରୀ ଏବଂ କିରଣ ଗୋସାଭି ମିଳିତ ଭାବେ କୋଟି ଟଙ୍କା ରିକଭରୀ ପାଇଁ ଯୋଜନା କରିଛନ୍ତି । ଏହା ପରେ ନବାବ ମଲ୍ଲିକ ମଧ୍ୟ ଅନେକ ଅଭିଯୋଗ କରିଥିଲେ । ଏହି ଅଭିଯୋଗର ଯାଞ୍ଚ ପାଇଁ ଏନସିବି ଏକ ଭିଜିଲାନ୍ସ ଦଳ ଗଠନ କରିଛି । ଚୋରାଚାଲାଣ ଅଭିଯୋଗର ମୁମ୍ବାଇ ପୋଲିସ ମଧ୍ୟ ଯାଞ୍ଚ କରୁଛି ।