୪ ବର୍ଷ ଧରି ନିଶା ସେବନ କରୁଥିବାର ମାନିଲେ ଆର୍ଯ୍ୟନ
ମୁମ୍ବାଇ : ‘ନାକ୍ରୋଟିକ୍ସ୍ କଣ୍ଟ୍ରୋଲ୍ ବ୍ୟୁରୋ’ (ଏନ୍ସିବି) ଦ୍ୱାରା ଗିରଫ ହୋଇଥିବା ଆର୍ଯ୍ୟନ ଖାନ୍ ପଚରାଉଚରା ବେଳେ ବିକଳ ହୋଇ କାନ୍ଦି ପକାଇଥିବା କଥା ଜଣାପଡ଼ିଛି। ଏଥିସହିତ ସେ ଦୀର୍ଘ ୪ ବର୍ଷ ଧରି ଡ୍ରଗ୍ସ ସେବନ କରୁଥିଲେ । ଏନ୍ସିବି ସମ୍ମୁଖରେ ଏହା ସ୍ବୀକାର କରିଛନ୍ତି ଆର୍ଯ୍ୟନ ଖାନ୍। କେବଳ ଭାରତରେ ନୁହେଁ ବରଂ ବିଦେଶରେ ଯେପରିକି, ୟୁକେ, ଦୁବାଇ ଏବଂ ଅନ୍ୟ ଦେଶରେ ମଧ୍ୟ ଡ୍ରଗ୍ସ ସେବନ କରିଛନ୍ତି ବୋଲି ପଚରାଉଚରା ସମୟରେ ଜଣାପଡ଼ିଛି। ଆର୍ଯ୍ୟନଙ୍କ ସହ ଗିରଫ ହୋଇଥିବା ଅରବାଜଙ୍କୁ ସେ ପ୍ରାୟ ୧୫ ବର୍ଷ ହେବ ଜାଣିଛନ୍ତି ଏବଂ ଉଭୟ ବହୁତ ପୁରୁଣା ବନ୍ଧୁ। ସେ ବହୁ ନିଶା ବେପାରୀଙ୍କ ସହ ସମ୍ପର୍କରେ ଥିବା ମଧ୍ୟ ଜଣାପଡ଼ିଛି।
ସୂଚନା ଯେ, ରବିବାର ଦିନ ମୁମ୍ବାଇ କ୍ରୁଜ୍ ଡ୍ରଗ୍ କେସରେ ଶାହାରୁଖ ଖାନ୍ଙ୍କ ପୁଅ ଆର୍ଯ୍ୟନ ଖାନ୍ଙ୍କୁ ଗିରଫ କରାଯାଇଥିଲା। ଗିରଫ ଆର୍ଯ୍ୟନଙ୍କୁ ‘ଏନ୍ସିବି’ ଅଧିକାରୀମାନେ ବାପା ଶାହାରୁଖ ଖାନ୍ଙ୍କ ସହ ପ୍ରାୟ ଦୁଇ ମିନିଟ୍ କଥାବାର୍ତ୍ତା କରିବାକୁ ସୁଯୋଗ ଦେଇଥିଲେ।ରବିବାର ଦିନ ଉକ୍ତ ‘ରେଭ୍ ପାର୍ଟି’ରୁ ଅଟକ ଥିବା ସମୁଦାୟ ୮ଜଣଙ୍କୁ ‘ଏନ୍ସିବି’ ଗିରଫ କରିଥିଲା। ଆର୍ୟନ୍ ଖାନ୍ଙ୍କ ବ୍ୟତୀତ ଏଥିରେ ଗିରଫ ହୋଇଥିବା ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି ମୁନ୍ମୁନ୍ ଧାମେଚା, ଅର୍ବାଜ୍ ମର୍ଚାଣ୍ଟ୍, ଇଶ୍ମିତ୍ ସିଂହ, ମୋହକ ଜସ୍ଓ୍ଵାଲ୍, ଗୋମିତ ଚୋପ୍ରା, ନୂପୁର ସାରିକା ଏବଂ ବିକ୍ରାନ୍ତ ଛୋକର୍। ଆର୍ୟନ୍ ଖାନ୍, ମୁନମୁନ୍ ଧାମେଚା ଏବଂ ଅର୍ବାଜ୍ ମର୍ଚାଣ୍ଟ୍ଙ୍କୁ ରବିବାର ଦିନ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ଙ୍କ ଅଦାଲତରେ ହାଜର କରାଯାଇଥିଲା। ଅଦାଲତ ସେମାନଙ୍କୁ ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ‘ଏନ୍ସିବି’ ହାଜତକୁ ରିମାଣ୍ଡ୍ରେ ପଠାଇ ଦେଇଛନ୍ତି।