ଅର୍ଥତତ୍ତ୍ବ ଚିଟଫଣ୍ଡ ଠକେଇ ମାମଲା : ପ୍ରଦୀପ ସେଠୀଙ୍କୁ ସର୍ତ୍ତମୂଳକ ଜାମିନ, ବଢିଲା ପ୍ରଭାତଙ୍କ ଅଡୁଆ

କଟକ: ଅର୍ଥତତ୍ତ୍ବ ଚିଟଫଣ୍ଡ ଠକେଇ ମାମଲାରେ ମୁଖ୍ୟ ଅଭିଯୁକ୍ତ ପ୍ରଦୀପ ସେଠୀଙ୍କୁ ହାଇକୋର୍ଟଙ୍କ ସର୍ତ୍ତମୂଳକ ଜାମିନ ମିଳିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାମଲାରେ ଜାମିନ ଦେଇଛନ୍ତି ଓଡିଶା ହାଇକୋର୍ଟ । ଘଟଣା ଅନୁସାରେ ୨୦୧୩-୧୪ ମସିହାରେ ରାଜ୍ୟରେ ପ୍ରଥମେ ଅର୍ଥତତ୍ତ୍ବ ଚିଟ ଫଣ୍ଡ ଠକେଇ ସାମନାକୁ ଆସିଥିଲା । ସାରା ରାଜ୍ୟରେ ଅଭିଯୋଗ ହେବା ପରେ ମାମଲାର ଗମ୍ଭୀରତା ଦୃଷ୍ଟିରୁ ସେତେବେଳେ ଏହାର ତଦନ୍ତ ଭାର ସିବିଆଇକୁ ଦିଆଯାଇଥିଲା । ଏହି ଠକେଇ ମହାଘୋଟାଲାର ତଦନ୍ତ କରି ସିବିଆଇ ଅର୍ଥତତ୍ତ୍ବ ଗ୍ରୁପ ମୁଖ୍ୟ ପ୍ରଦୀପ ସେଠୀଙ୍କୁ ଗିରଫ କରିଥିଲା । ସ୍ବତନ୍ତ୍ର ସିବିଆଇ କୋର୍ଟ ମାମଲାର ଶୁଣାଣି କରି ପ୍ରଦୀପ ସେଠୀକୁ ୭ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଥିଲେ । ସେହି ଦିନ ଠାରୁ ପ୍ରଦୀପ ଜେଲରେ ଥିଲେ ।
ଅନ୍ୟପଟେ ଚିଟଫଣ୍ଡ ମାମଲାରେ ଫସିଥିବା ସେତେବେଳର କଟକ ଚୌଦ୍ବାର ବିଧାୟକ ପ୍ରଭାତ ତ୍ରିପାଠୀ ତାଙ୍କ ବିରୋଧରେ ସିବିଆଇ ରୁଜୁ କରିଥିବା ମାମଲାକୁ ରଦ୍ଦ କରିବା ପାଇଁ ହାଇକୋର୍ଟରେ କରିଥିବା ଆବେଦନକୁ ଖାରଜ କରିଛନ୍ତି କୋର୍ଟ । ସେତେବେଳେ ଗିରଫ ହୋଇ ଜେଲ ଯାଇଥିବା ପ୍ରଭାତ ଜାମିନରେ ଏବେ ଅଛନ୍ତି । ପ୍ରଭାତଙ୍କ ଆବେଦନ ଖାରଜ ହୋଇଯାଇଥିବାରୁ ତାଙ୍କ ବିରୋଧରେ ପୂର୍ବପରି ସିବିଆଇ ମାମଲା ଜାରି ରହିବ ବୋଲି ସିବିଆଇ ଓକିଲ ସାର୍ଥକ ନାୟକ ସୂଚନା ଦେଇଛନ୍ତି ।