ବାଲେଶ୍ୱର : ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ୍ ଘଟଣାରେ ୪ଗିରଫ
- ୨ ବାଇକ ସହ ବିଭିନ୍ନ ମାରଣାସ୍ତ୍ର ଜବଦ
ବାଲେଶ୍ୱର : ବାଲେଶ୍ୱର ଜିଲା ଏବେ ଅପରାଧ ପ୍ରବଣ ଜିଲା ଭାବେ ପରିଗଣିତ ହେଲାଣି । ଦୈନିକ ଲୁଟ୍ପାଟ୍ ସହ ଛିନ୍ତାଇ, ଚୋରାଚାଲାଣ ଓ ହତ୍ୟାକାଣ୍ଡ ଘଟଣା ଘଟିବାରେ ଲାଗିଛି । ବିଶେଷ କରି ଫାଙ୍କା ରାସ୍ତାରେ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଅଧିକ ମାତ୍ରାରେ ଏବେ ଲୁଟ୍ ହେଉଛି । ଏହି ପରିପ୍ରେକ୍ଷୀରେ ବିଭିନ୍ନ ଲୁଟ୍, ଛିନ୍ତାଇ ଘଟଣାରେ ସମ୍ପୃକ୍ତ ୪ ଜଣ ଲୁଟେରାଙ୍କୁ ରୂପସା ଥାନା ପୋଲିସ ଗିରଫ କରିଛି । ବିଭିନ୍ନ ସମୟରେ ଫାଇନାନ୍ସ କର୍ମଚାରୀଙ୍କୁ ଟାର୍ଗେଟକରି ଲକ୍ଷ ଲକ୍ଷ ଟଙ୍କା ଓ ମୋବାଇଲ ଲୁଟ କରିଥିବା ଅଭିଯୋଗରେ ଓଆଇସି କମଳାକାନ୍ତ ଦାସଙ୍କ ନେତୃତ୍ୱରେ ଏକ ଟିମ ଚଢ଼ାଉ କରି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତ ହେଲେ ରୂପ୍ସା ଥାନା ଅଧିନ ଆଘିରିଆ ଗ୍ରାମର ସୁବ୍ରତ ଗିରି, ଲଛମନଖୁଣ୍ଟା ର ଦୀନବନ୍ଧୁ ସିଂ, ପୋଡାଡ଼ିହାର ଦୀପକ ମହାନ୍ତ ଏବଂ ବଡଜହତା ଗ୍ରାମର ଗଣେଶ୍ୱର ମହାନ୍ତି । ସେହିପରି ସେମାନଙ୍କ ନିକଟରୁ ୨ଟି ବାଇକ, ଗୋଟିଏ ଟାଙ୍ଗିଆ, ଭୁଜାଲି ଓ ଦାଉଲି ଜବଦ ହୋଇଛି । ଏ ନେଇ ପୋଲିସ ଏକ ମାମଲା (ନଂ ୯୧/୨୧) ରୁଜୁ କରି ଶନିବାର ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି । ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଯାଇଥିବାର ଜଣାପଡ଼ିଛି ।
ସୂଚନା ଯେ, ବାଲେଶ୍ୱର ଜିଲା ସଦର ଓ ରେମୁଣା ବ୍ଲକ ସମେତ ବିଭିନ୍ନ ବ୍ଲକମାନଙ୍କରେ ମହିଳାଗୋଷ୍ଠୀଙ୍କ ଠାରୁ ଫାଇନାନ୍ସ କର୍ମଚାରୀମାନେ ଟଙ୍କା ଆଦାୟ କରି ଫେରୁଥିବା ବେଳେ ଉକ୍ତ ଲୁଟେରାମାନେ ସେମାନଙ୍କୁ ଟାର୍ଗେଟ୍ କରିଥାନ୍ତି । ଏହି ପରିପ୍ରେକ୍ଷରରେ ଗତ ୯ତାରିଖରେ ଜଣେ ଫାଇନାନ୍ସ କର୍ମଚାରୀ କିଶୋର ମାଝୀ ମହିଳା ଗୋଷ୍ଠୀଙ୍କ ଠାରୁ ଟଙ୍କା ଆଦାୟକରି ଯାଉଥିବା ବେଳେ ରାଉତପଡା ପଞ୍ଚାୟତ ଅଫିସ ନିକଟ ଓଗାଳଷେଣ୍ଢ ପୋଲ ଠାରେ ଦୁର୍ବୃତ୍ତମାନେ ମାରଣାସ୍ତ୍ର ଦେଖାଇ ୬୧ ହଜାର ଟଙ୍କା ଓ ମୋବାଇଲ ଲୁଟ୍ କରି ଚମ୍ପଟ ମାରିଥିବା ଅଭିଯୋଗ ହୋଇଥିଲା । ସେହିପରି ଗତ ୬ ତାରିଖରେ ମଧ୍ୟ ରାଉତପଡ଼ା ଓ ପଳାସିଆ ରାସ୍ତାରେ ଜଣେ ଫାଇନାନ୍ସ କର୍ମଚାରୀଙ୍କୁ ଭୁଜାଲି ଦେଖାଇ ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଥିଲା । ଅଭିଯୁକ୍ତମାନେ ରାଜପଥ ସମେତ ହାଟ, ବଜାର ଓ ଗ୍ରାମାଞ୍ଚଳ ରୁ ଟଙ୍କା, ବାଇକ୍ ଓ ମୋବାଇଲ ଲୁଟ୍ କରୁଥିବା ପୋଲିସ ନିକଟରେ ମାନିଥିଲେ । ଅନ୍ୟପକ୍ଷରେ ମୟୁରଭଞ୍ଜ ଜିଲାର କେଶୁରା, ନିମଡ଼ିହା ଆଦି ଜଙ୍ଗଲରେ ଟଙ୍କା ଭାଗବଣ୍ଟା ପରେ ସେଠାରେ ଫିଙ୍ଗିଥିବା ଫାଇନାନ୍ସ କର୍ମଚାରୀଙ୍କ ବ୍ୟାଗକୁ ମଧ୍ୟ ପୋଲିସ ଜବଦ କରି ଅଧିକ ତଦନ୍ତ ଜାରିରଖିଛି ।