ବାଲାକୋଟରେ ସେନାକୁ ସଫଳତା, ଏନକାଉଣ୍ଟରରେ ଟଳିଲେ ୨ ଆତଙ୍କୀ
ଶ୍ରୀନଗର : ବାଲାକୋଟ ସେକ୍ଟରରେ ସୁରକ୍ଷାକର୍ମୀଙ୍କୁ ସଫଳତା । ସେନା ଗୁଳିରେ ୨ ଆତଙ୍କୀ ନିପାତ । ଗତ ଶନିବାର ବିଳମ୍ବିତ ରାତିରେ ପୁଞ୍ଛ ଜିଲାରେ ବାଲାକୋଟ ସେକ୍ଟରରେ ଗୁଳିବିନିମୟ ପରେ ୨ ଆତଙ୍କୀ ନିହତ ହୋଇଥିବା ଜଣେ ପ୍ରତିରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି ।
ପୁଞ୍ଚ୍ ସଂଲଗ୍ନ ନିୟନ୍ତ୍ରଣ ରେଖା (ଏଲ୍ଓସି)ର ବାଲାକୋଟ୍ ସେକ୍ଟରରେ ୧୯ ମାଡ୍ରାସ ୬୩୮ ପୋଷ୍ଟ ନିକଟରେ ଏହି ଏନକାଉଣ୍ଟର ହୋଇଥିଲା । ସନ୍ଦେହଜନକ ଗତିବିଧି ଲକ୍ଷ୍ୟ କରିବା ପରେ ଏହି ସୀମନ୍ତ ଅଞ୍ଚଳକୁ ସୁରକ୍ଷା ବାହିନୀ ଚାରିପଟେ ଘେରିଥିଲେ । ଶନିବାର ବିଳମ୍ବିତ ରାତିରୁ ଏହି ଅପରେସନ ଆରମ୍ଭ କରିଥିଲା। ଲୁଚିଥିବା ଆତଙ୍କବାଦୀଙ୍କୁ ପ୍ରଥମେ ସରେଣ୍ଡର କରିବାକୁ କୁହାଯାଇଥିଲା । କିନ୍ତୁ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ସେନା ତରଫରୁ ଏହାର ଜବାବ ଦିଆଯାଇଥିଲା । ଏଥିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି ।
ପ୍ରତିରକ୍ଷା ଅଧିକାରୀ କହିଛନ୍ତି ଯେ, “ପୁଞ୍ଛ ଜିଲାର ବାଲାକୋଟ ସେକ୍ଟରର ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍ଓସି)ରେ ଆତଙ୍କବାଦୀଙ୍କ ଗତିବିଧି ସମ୍ପର୍କରେ ଆମକୁ ସୂଚନା ମିଳିଥିଲା । ଏହାପରେ ସନ୍ଧ୍ୟା ସମୟରେ ସୁରକ୍ଷାକର୍ମୀ ଏଲ୍ଓସି ନିକଟରେ ସର୍ଚ୍ଚ ଆପରେସନ ଆରମ୍ଭ କରିଥିଲା । ଏହାପରେ ଆତଙ୍କୀଙ୍କ ଉପରକୁ ଗୁଳି ଚଳାଇଥିଲେ ଭାରତୀୟ ସେନା । ଫଳରେ ୨ ଆତଙ୍କବାଦୀ ନିହତ ହୋଇଥିଲେ । ବର୍ତ୍ତମାନ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହି ଆତଙ୍କବାଦୀଙ୍କ ଗତିବିଧି ଉପରେ ନଜର ରଖାଯାଇଛି ।”
ନିକଟରେ ଜମ୍ମୁ କାଶ୍ମୀରର ଦାଙ୍ଗୀର ଗ୍ରାମରେ ଆତଙ୍କବାଦୀ ଗୁଳିକାଣ୍ଡ ଘଟାଇବା ସହ ଆଇଡି ବିସ୍ଫୋରଣ କରିଥିଲେ । ଫଳରେ ଗୁଳିକାଣ୍ଡରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଇଡି ବିସ୍ଫୋରଣରେ ୨ଜଣଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ଏଠାରେ ସର୍ଚ୍ଚ ଅପରେସନ ଜାରି ରହିଥିଲା । ତେବେ ଦାଙ୍ଗୀରରେ ଘଟିଥିବା ଗୁଳିକାଣ୍ଡ ଓ ଆଇଡି ବିସ୍ଫୋରଣରେ ଅନେକ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରକୁ ଆଜି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଉଛନ୍ତି ପ୍ରିନ୍ସ ଶର୍ମା । ଦାଙ୍ଗ୍ରି ଠାରେ ହୋଇଥିବା ଗୁଳିକାଣ୍ଡରେ ସେ ପ୍ରଥମେ ଆହତ ହୋଇଥିଲା । ବର୍ତ୍ତମାନ ମୃତକଙ୍କ ସଂଖ୍ୟା ୭କୁ ବୃଦ୍ଧି ପାଇଛି ।