କବାଟ ଭାଙ୍ଗି ଘରେ ପଶିଲେ ସଶସ୍ତ୍ର ଡକାୟତ, ଲୁଟି ନେଲେ ୨୫ ଭରି ସୁନା ଓ ଟଙ୍କା

ଧର୍ମଗଡ : କଳାହାଣ୍ଡି ଧର୍ମଗଡରେ ସଶସ୍ତ୍ର ଡକାୟତି l କିଛି ଦିନ ନିରବତା ପରେ ପୁଣି ମାତିଲେ ଡକାୟତ । କଳାହାଣ୍ଡି ଜିଲା କୋକସରା ଥାନା ଓଲମା ଗାଁରେ ସଶସ୍ତ୍ର ଡକାୟତି । ବିଳମ୍ବିତ ରାତିରେ ଚାଷୀ ଧନଞ୍ଜୟ ସାହୁଙ୍କ ଘରେ ପଶି କରିଛନ୍ତି ଡକାୟତି । ଘରେ ପଶି ପରିବାର ସଦସ୍ୟକୁ ଏକ କୋଠରୀରେ ବନ୍ଦ କରି ଲୁଟି ନେଲେ ୨୫ଭରି ସୁନା ଓ ବହୁ ଟଙ୍କା । କୋକସରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।


ସୂଚନା ଯେ, ପ୍ରାୟ ଦଶରୁ ଅଧିକ ଡକାୟତ ଧନଞ୍ଜୟ ସାହୁଙ୍କ କବାଟ ଭାଙ୍ଗି ଘରେ ପଶିବା ପରେ ପରିବାରର ସମସ୍ତଙ୍କୁ ଗୋଟିଏ ଘରେ ତାଲା ବନ୍ଦ କରି ଦେଇଥିଲେ । ଘରେ ଥିବା ମୂଲ୍ୟବାନ ଜିନିଷ ସହ ଆଲମାରୀ ଭାଙ୍ଗି ୨୫ଭରି ସୁନା ଲୁଟି ନେଇଥିଲେ l ସମସ୍ତ ଡକାୟତ ଫେରାର ହେବାକୁ ଚେଷ୍ଟା କରୁଥିଲେ । ହେଲେ ଏହି ସମୟରେ ଘଟିଲା ଅଘଟଣା । ଘରର ପାଚେରୀ ଡେଇଁ ଫେରାର ବେଳେ ଜଣେ ଡକାୟତ ପାଚେରୀରୁ ପଡିଯାଇଥିଲେ । ଯାହାଫଳରେ ସେହି ଡକାୟତର ଗୋଡଟି ଭାଙ୍ଗିଯାଇଥିଲା । ଆଉ ଆଗକୁ ଚାଲିନପାରି ଶେଷରେ ଘର ପାଖରେ ଥିବା ଚାଷ ଜମିରେ ପଡି ରହିଥିଲା । ସେପଟେ ଲୁଟ୍ ନେଇ ଗ୍ରାମବାସୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ବିଲରେ ପଡିଥିବା ଅଭିଯୁକ୍ତକୁ ଧରି ପୋଲିସ ଥାନାକୁ ନେଇଛି । ବର୍ତ୍ତମାନ କୋକସରା ଥାନାରେ ଜଣେ ଡକାୟତ ଅଟକ ରହିଛି । ପୋଲିସର ଛାନ ଭିନ ଜାରି ରହିଛି l ତଦନ୍ତ ପରେ ଜଣାପଡ଼ିବ ଏମାନେ କେଉଁ ଅଞ୍ଚଳର ଡକାୟତ ଦଳ । ପୂର୍ବରୁ କେଉଁ କେଉଁ ଅଞ୍ଚଳରେ ଡକାୟତ କରିଥିଲେ l