ପୂର୍ବତନ ବିଜେପି ନେତ୍ରୀଙ୍କୁ ବିଚାରପତି ନିଯୁକ୍ତି, ଆଜି ସୁପ୍ରିମ୍କୋର୍ଟରେ ଶୁଣାଣି
ନୂଆଦିଲ୍ଲୀ : ବରିଷ୍ଠ ମହିଳା ଆଇନଜୀବୀ ଏଲ୍ସି ଭିକ୍ଟୋରିଆ ଗୌରୀଙ୍କୁ ମାଡ୍ରାସ ହାଇକୋର୍ଟର ବିଚାରପତି ଭାବେ ପଦୋନ୍ନତି ଦିଆଯାଇଛି। ତେବେ ପୂର୍ବରୁ ସେ ବିଜେପିରେ କାର୍ଯ୍ୟ କରିବା ସହ ଘୃଣା ଭାଷଣ ଦେଇଥିବାରୁ ତାହାକୁ ବିରୋଧ କରି ବହୁ ଓକିଲ ସୁପ୍ରିମ୍କୋର୍ଟରେ ଆବେଦନ କରିଛନ୍ତି। ସୁପ୍ରିମ୍କୋର୍ଟ ମଙ୍ଗଳବାର ଏହାର ଶୁଣାଣି କରିବେ ବୋଲି ରାଜି ହୋଇଛନ୍ତି।
ସୋମବାର ଏହି ମାମଲାର ଜରୁରୀ ଶୁଣାଣି ପାଇଁ ପ୍ରଧାନବଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଆଗରେ ଫାଇଲ ଉପସ୍ଥାପନ କରାଯାଇଥିଲା। ସିଜେଆଇ ଶୁକ୍ରବାର ଏହି ମାମଲାର ଶୁଣାଣି କରିବାକୁ ତାରିଖ ଧାର୍ଯ୍ୟ କରିଥିଲେ। ଏତିକିବେଳେ କେନ୍ଦ୍ରର ବିଜ୍ଞପ୍ତି ପ୍ରକାଶ ପାଇଲା ଯେ ମାଡ୍ରାସ ହାଇକୋର୍ଟର ବିଚାରପତି ଭାବେ ଗୌରୀଙ୍କ ନିଯୁକ୍ତିକୁ କେନ୍ଦ୍ର ସରକାର ଅନୁମୋଦନ ଦେଇଛନ୍ତି। ଏହାପରେ ଓକିଲମାନେ ଅପରାହ୍ଣ ୧ଟା ୨୦ରେ ସିଜେଆଇଙ୍କୁ ପୁଣିଥରେ ନିଜର ବିଶେଷ କ୍ଷମତା ପ୍ରୟୋଗ କରି ମାମଲାର ଜରୁରୀ ଶୁଣାଣି ପାଇଁ ଆବେଦନ କରିଥିଲେ। ସିଜେଆଇ କହିଥିଲେ, ହଉ ଠିକ୍ ଅଛି ମଧ୍ୟାହ୍ନ ବିରତି ପରେ ଦିନ ୨ଟାବେଳେ ଆସ। ୨ଟାବେଳେ କୋର୍ଟ ପୁଣି ଚାଲିବା ପରେ ପ୍ରଧାନବିଚାରପତି କହିଥିଲେ ଯେ ନାମ ସୁପାରିସ ପରେ ଯାହାକିଛି ଘଟିଛି କଲେଜିୟମ୍ ତାହାକୁ ସଂଜ୍ଞାନକୁ ନେଇଛନ୍ତି। କୋର୍ଟ ଏହି ମାମଲାର ଶୁଣାଣି ଆଜି କରିବେ।
ଗୌରୀ ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ଘୃଣା-ବ୍ୟଞ୍ଜକ ମନ୍ତବ୍ୟ ଦେବାର ମଧ୍ୟ ନଜିର ରହିଛି ବୋଲି କେତେକ ଓକିଲ ଅଭିଯୋଗ କରିଛନ୍ତି। ତେଣୁ ଏପରି ବ୍ୟକ୍ତିଙ୍କୁ ହାଇକୋର୍ଟର ଜଜ୍ କରାଯିବା ଅନୁଚିତ ବୋଲି ଓକିଲମାନେ ଯୁକ୍ତି କରିଛନ୍ତି। ତେବେ ଆଇନ ମନ୍ତ୍ରୀ କିରେନ ରିଜିଜୁ ଟ୍ବିଟ୍ କରିଛନ୍ତି ଯେ, ରାଜନୈତିକ ସହବନ୍ଧନ ଥିବା ଓକିଲ ବିଚାରପତି ହୋଇପାରିବେ। ଅତୀତରେ ମଧ୍ୟ କୌଣସି ରାଜନୈତିକ ଦଳର ପ୍ରତିନିଧିତ୍ବ କରୁଥିବା ପାର୍ଲାମେଣ୍ଟ ସଦସ୍ୟଙ୍କୁ ହାଇକୋର୍ଟ ବିଚାରପତି ଭାବେ ପଦୋନ୍ନତି ଦିଆଯାଇଛି। ଗୌରୀ କହିଛନ୍ତି, ସେ ମାଡ୍ରାସ ହାଇକୋର୍ଟର ମଦୁରାଇ ବେଞ୍ଚରେ ଆସିଷ୍ଟାଣ୍ଟ ଏଜି ୨୦୨୦ ସେପ୍ଟେମ୍ବରରେ ହେବାର ୩ ମାସ ପୂର୍ବରୁ ବିଜେପିରୁ ଇସ୍ତଫା ଦେଇସାରିଛନ୍ତି।