ଦିଲ୍ଲୀ ମେୟର ନିର୍ବାଚନ ସ୍ଥଗିତ ନେଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବ ଆପ୍
ନୂଆଦିଲ୍ଲୀ : ଦିଲ୍ଲୀରେ ଲଗାତାର ତୃତୀୟ ଥର ପାଇଁ ମେୟର ନିର୍ବାଚନ ସ୍ଥଗିତ ରହିଛି। ଆପ୍ ଏବଂ ବିଜେପି ସଦସ୍ୟମାନେ ପ୍ରବଳ ହୋହଲ୍ଲା ଏବ ହଙ୍ଗାମା କରିବା ଦ୍ବାରା ଦିଲ୍ଲୀ ଏମ୍ସିଡି ଗୃହ ଲଗାତାର ତୃତୀୟ ଥର ପାଇଁ ବିନା ନିର୍ବାଚନରେ ମୁଲତବୀ ରହିଛି। ସୋମବାର ପୂର୍ବାହ୍ନ ପ୍ରାୟ ୧୧.୩୦ ସମୟରେ ଏମ୍ସିଡି ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ପୂର୍ବ ୨ ଥର ପରି ପ୍ରିଜାଇଡିଙ୍ଗ ଅଫିସର ସତ୍ୟ ଶର୍ମା ଗୃହର ମନୋନୀତ ସଦସ୍ୟଙ୍କୁ ମେୟର ଏବଂ ଉପ ମେୟର ନିର୍ବାଚନ ପାଇଁ ଭୋଟ୍ ଦେବାକୁ ଅନୁମତି ଦେବାରୁ ଏହାକୁ ଆପ୍ ପ୍ରବଳ ବିରୋଧ କରିଥିଲା। ମନୋନୀତ ସଦସ୍ୟ ଭୋଟ ଦେଇପାରିବେନି ବୋଲି ଆପ୍ କାଉନସିଲରମାନେ କହିଥିଲେ।
ବିଜେପି ନେତାମାନେ ଏହାପରେ ଆପ୍ ବିରୋଧରେ ସ୍ଲୋଗାନ ଦେଇଥିଲେ। ପ୍ରବଳ ହୋହଲ୍ଲା ହେବା ହେତୁ ଗୃହକାର୍ଯ୍ୟ ପୁଣିଥରେ ମୁଲତବୀ ରହିଛି। ତେବେ ଲଗାତାର ତୃତୀୟ ଥର ପାଇଁ ନିର୍ବାଚନ ହୋଇପାରିନଥିବାରୁ ଆପ୍ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବ ବୋଲି କହିଛି। ୧୦ ଦିନ ମଧ୍ୟରେ ସୁପ୍ରିମକୋର୍ଟଙ୍କ ତତ୍ବାବଧାନରେ ମେୟର ନିର୍ବାଚନ ପାଇଁ ଆପ୍ ଦାବି କରିଛି। ଆପ୍ ନେତା ଅତିଶୀ କହିଛନ୍ତି, ଆମେ ନିର୍ବାଚନ ଚାହୁ ` ଆମେ ଦିଲ୍ଲୀ ପାଇଁ ଜଣେ ମେୟର ଚାହୁ। ବିଜେପି ଜାଣିଶୁଣି ଆନ୍ଦୋଳନ କରି ନିର୍ବାଚନ ପ୍ରକ୍ରିୟା ଅଟକାଉଛି ବୋଲି ସେ ଅଭିଯୋଗ କରିଛନ୍ତି। ଗତ ଡିସେମ୍ବରରେ ହୋଇଥିବା ପୌର ନିର୍ବାଚନରେ ଆପ୍ ବିପୁଳ ବିଜୟ ହାସଲ କରିଥିଲେ ବି ସିକ୍ରେଟ ବାଲଟ ଏବଂ କ୍ରସ୍ ଭୋଟିଂ ବି ଶେଷ ମୁହୂର୍ତ୍ତରେ ସବୁକିଛି ବଦଳାଇ ଦେଇପାରେ। ତେବେ ଦିଲ୍ଲୀ ଉପରାଜ୍ୟପାଳଙ୍କ ଦ୍ବାରା ମନୋନୀତ ସଦସ୍ୟଙ୍କ ଭୋଟିଂ ଅଧିକାରକୁ ଆପ୍ ତୀବ୍ର ବିରୋଧ କରିଛି।