ଆଉ ୨ ଦିନ ପ୍ରବଳ ବର୍ଷ ସମ୍ଭାବନା
ଭୁବନେଶ୍ୱର : ପଶ୍ଚିମବଙ୍ଗର ଗାଙ୍ଗେୟ କ୍ଷେତ୍ର ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ସୋମବାର ସକାଳେ ପଶ୍ଚିମବଙ୍ଗ ତତସଂଲଗ୍ନ ଉତର ଓଡ଼ିଶାରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ସମୁଦ୍ର ପତନଠାରୁ ବାୟୁମଣ୍ଡଳରେ ୫.୮ କିମି ଯାଏଁ ବ୍ୟାପିଛି । ଏହାର ପ୍ରଭାବରେ ରାଜ୍ୟରେ ଅନେକ ସ୍ଥାନରେ ବଜ୍ରପାତ ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।
ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ସତର୍କ ସୂଚନା ଅନୁଯାୟୀ ଆସନ୍ତା ୨୪ ଘଂଟା ମଧ୍ୟରେ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେଥିପାଇଁ ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଛି । ଯେଉଁଥିପାଇଁ ତଳିଆ ଅଂଚଳରେ ପାଣି ଜମି ରହିବ । ବଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି ପାଇପାରେ । ଏହି ସମୟ ମଧ୍ୟରେ ଭଦ୍ରକ, କେନ୍ଦ୍ରାପଡ଼ା , ଜଗତସିଂହପୁର ,ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼ ଓ ଯାଜପୁର, ଜିଲ୍ଲାରେ ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବଜ୍ରପାତ ନେଇ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି , ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ ଓ ଢ଼େଙ୍କାନାଳ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ୧୯ରୁ ୨୦ ତାରିଖ ମଧ୍ୟରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଏଥିସହ ବଜ୍ରପାତ ନେଇ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର,କଟକ, ପୁରୀ, ଖୋର୍ଦ୍ଧା, କେନ୍ଦୁଝର,ମୟୂରଭଞ୍ଜ, ସୁନ୍ଦରଗଡ, ଅନୁଗୁଳ, ବୌଦ୍ଧ, କନ୍ଧମାଳ , କଳାହାଣ୍ଡି ଓ ଢ଼େଙ୍କାନାଳ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।