ରାଜଧାନୀରେ ପୁଣି ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଭୁବନେଶ୍ୱର: ବିଜେବି କଲେଜର ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାକୁ ରାଜ୍ୟବାସୀ ଭୁଲିପାରି ନ ଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ମଙ୍ଗଳବାର ପୁଣି ଜଣେ ଛାତ୍ରୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି । ସହିଦନଗର ଥାନା ଅନ୍ତର୍ଗତ ଆଚାର୍ଯ୍ୟବିହାରସ୍ଥିତ ଏକ ଭଡ଼ା ଘରୁ ଛାତ୍ରୀଙ୍କର ମୃତଦେହ ଉଦ୍ଧାର ହୋଇଛି । ମୃତ ଛାତ୍ରୀଙ୍କ ନାଁ ଆଶ୍ରିତା ସେନାପତି । ସେ ଆଚାର୍ଯ୍ୟ ବିହାର ପାଣିଟାଙ୍କି ନିକଟରେ ଥିବା ଏକ ଭଡ଼ା ଘରେ ରହୁଥିଲେ । ପୁଲିସ ପକ୍ଷରୁ କୁହାଯାଇଛି ଯେ, ମୃତ ଛାତ୍ରୀ ଜଣକ ଏକ ସ୍ଥାନୀୟ ଘରୋଇ ଇଞ୍ଜିନିୟରିଂ କଲେଜରେ ପଢୁଥିଲେ । ସେ ଭଡ଼ା ଘରେ ରହି ଏମ୍ସିଏ ପଢ଼ୁଥିଲେ । ତେବେ ଛାତ୍ରୀଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ ।