ଦିଲ୍ଲୀରେ ପହଞ୍ଚିଲା ଆଉ ଏକ ବିମାନ, ସ୍ବଦେଶ ଫେରିଲେ ୧୫୪ ଭାରତୀୟ
ନୂଆଦିଲ୍ଲୀ : ଜୋରଦାର ଚାଲିଛି ଅପରେସନ ଗଙ୍ଗା। ଭାରତୀୟଙ୍କୁ ନେଇ ଦିଲ୍ଲୀରେ ପହଞ୍ଚିଲା ଆଉ ଏକ ବିମାନ। ରବିବାର ଏକ ସ୍ବତନ୍ତ୍ର ବିମାନ ଯୋଗେ ଆଉ ୧୫୪ ଭାରତୀୟ ନାଗରିକ ସ୍ବଦେଶ ଫେରିଛନ୍ତି। ବିମାନଟି ଗତକାଲି(ଶନିବାର) ସ୍ଲୋଭାକିଆରୁ ଭାରତ ଅଭିମୁଖେ ଉଡାଣ ଭରିଥିଲା। ରବିବାର ଦିଲ୍ଲୀ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଅବତରଣ କରିଛି। କେନ୍ଦ୍ର ରାସାୟନିକ ଓ ସାର ରାଷ୍ଟ୍ରମନ୍ତ୍ରୀ ଭଗୱାନାଥ ଖୁବା ଇନ୍ଦିରା ଗାନ୍ଧୀ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ୟୁକ୍ରେନ ଫେରନ୍ତାଙ୍କୁ ସ୍ବାଗତ କରିଛନ୍ତି।
ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ଯୁଦ୍ଧକାଳୀନ ଭିତ୍ତିରେ ଭାରତୀୟଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଅପରେସନ ଗଙ୍ଗା ଜରିଆରେ ଏଯାବତ୍ ୧୩ ହଜାରରୁ ଅଧିକ ଭାରତୀୟ ଦେଶକୁ ଫେରିଛନ୍ତି। ଆଜି ଆଉ ୧୧ ବିମାନରେ ୨୨ ଶହ ଭାରତୀୟ ଛାତ୍ର ସ୍ବଦେଶ ଫରିବା ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଶନିବାର ଭାରତକୁ ୧୫ଟି ବିମାନରେ ପ୍ରାୟ ୩ ହଜାର ଭାରତୀୟ ଛାତ୍ରଛାତ୍ରୀ ଫେରିଥିଲେ। ଏବେ ବି ୟୁକ୍ରେନର ଅନେକ ସ୍ଥାନରେ ବହୁସଂଖ୍ୟକ ଭାରତୀୟ ଫସି ରହିଛନ୍ତି। ବିଶେଷକରି ସୁମିରେ ୮୦୦ ଭାରତୀୟ ଫସି ରହିଥିବାର ସୂଚନା ରହିଛି। ତେଣୁ ସେଠାରେ ତୁରନ୍ତ ଅସ୍ତ୍ରବିରତି ଘୋଷଣା ପାଇଁ ଋଷିଆ ଓ ୟୁକ୍ରେନ ନିକଟରେ ଦାବି କରିଛନ୍ତି ଭାରତ ସରକାର।