ଇସ୍ରୋର ଆଉ ଏକ ମାଇଲଖୁଣ୍ଟ, ଭାରତର ପ୍ରଥମ ସୌର ମିଶନ ‘ଆଦିତ୍ୟ ଏଲ୍୧’ର ସଫଳ ଉତକ୍ଷେପଣ
ଶ୍ରୀହରିକୋଟା (ଆନ୍ଧ୍ରପ୍ରଦେଶ): ଚନ୍ଦ୍ରରେ ଐତିହାସିକ ଅବତରଣ ପରେ ଭାରତ ନିଜ ପ୍ରଥମ ସୂର୍ଯ୍ୟ ମିଶନ ‘ଆଦିତ୍ୟ ଏଲ୍୧’ର ଶୁଭାରମ୍ଭ କରିଛି। ଶକ୍ତିଶାଳୀ ପିଏସ୍ଏଲଭି ସି୫୭ ରକେଟ୍ ଦ୍ବାରା ଆଜି ପୂର୍ବାହ୍ନ ୧୧.୫୦ରେ ଶ୍ରୀହରିକୋଟାସ୍ଥିତ ମହାକାଶ କେନ୍ଦ୍ରର ଦ୍ୱିତୀୟ ଲଞ୍ଚ ପ୍ୟାଡରୁ ‘ଆଦିତ୍ୟ ଏଲ୍୧’ର ସଫଳ ଉତକ୍ଷେପଣ ହୋଇଛି । ଏଥିସହ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ନିଜ ଲମ୍ବା ସଫଳତା ତାଲିକାରେ ଆଉ ଏକ ଅଧ୍ୟାୟ ଯୋଡିଛି ।
ସୂର୍ଯ୍ୟର ଅଧ୍ୟୟନ ପାଇଁ ଏହି ମିଶନ ପ୍ରଥମ ଉତ୍ସର୍ଗୀକୃତ ଭାରତୀୟ ମହାକାଶ ଅଭିଯାନ। ସୂର୍ଯ୍ୟ ଅଧ୍ୟୟନ ପାଇଁ ‘ଆଦିତ୍ୟ ଏଲ୍୧’ ମହାକାଶ ଯାନ ପୃଥିବୀଠାରୁ ୧୫ ଲକ୍ଷ କିଲୋମିଟର ଦୂର ‘ଲାଂଗ୍ରେଞ୍ଜ -୧’ ପଏଣ୍ଟରେ ପହଞ୍ଚିବ । ଏଥିପାଇଁ ୧୨୫ ଦିନ ଲାଗିବ । ଅଗଷ୍ଟ ୨୩ରେ ଚନ୍ଦ୍ରଯାନ-୩ ସହ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ‘ସଫ୍ଟ ଲ୍ୟାଣ୍ଡିଂ” କରି ଭାରତ ଇତିହାସ ରଚିଥିଲା । ଏବେ ସୌର ମିଶନ ସହ ଭାରତ ମହାକାଶ ଗବେଷଣା କ୍ଷେତ୍ରରେ ଆଉ ଏକ ବଡ଼ ମାଇଲଖୁଣ୍ଟ ଦିଗରେ ଅଗ୍ରସର ହୋଇଛି । ପୃଥିବୀଠାରୁ ପ୍ରାୟ ୧୫ ଲକ୍ଷ କିଲୋମିଟର ଦୂରରେ ଥିବା ‘ଏଲ୍୧’ (ସୂର୍ଯ୍ୟ-ପୃଥିବୀ ଲାଂଗ୍ରେଞ୍ଜ ପଏଣ୍ଟ) ରେ ସୌର କରୋନା (ସୂର୍ଯ୍ୟର ବାହ୍ୟ ସ୍ତର)ର ପର୍ଯ୍ୟବେକ୍ଷଣ ଏବଂ ସୌର ପ୍ରବାହ ନିରୀକ୍ଷଣ ପାଇଁ ‘ଆଦିତ୍ୟ ଏଲ୍୧’ର ଡିଜାଇନ୍ କରାଯାଇଛି ।
ଇସ୍ରୋ ସୂଚନା ଅନୁଯାୟୀ, ସୂର୍ଯ୍ୟ ଏବଂ ପୃଥିବୀ ମଧ୍ୟରେ ପାଞ୍ଚଟି ଲାଂଗ୍ରେଞ୍ଜ ପଏଣ୍ଟ ଅଛି । ‘ଆଦିତ୍ୟ ଏଲ୍୧’ ଯାନ ଲାଂଗ୍ରେଞ୍ଜ ପଏଣ୍ଟ-୧ ବା ‘ଏଲ୍୧’ରେ ପହଞ୍ଚିବ । ‘ଏଲ୍୧ ହେଉଛି ଏପରି ଏକ ବିନ୍ଦୁ ଯେଉଁଠି ପୃଥିବୀ ଓ ସୂର୍ଯ୍ୟର ମାଧ୍ୟାକର୍ଷଣ ପ୍ରଭାବ ସମାନ । ତେଣୁ ‘ଏଲ୍୧’ ବିନ୍ଦୁରୁ କୌଣସି ବାଧା / ଗ୍ରହଣ ବିନା ସୂର୍ଯ୍ୟର ଗତିବିଧି ଅଧ୍ୟୟନ କରାଯାଇ ପାରିବ।ଏହି ଜଟିଳ ମିଶନ ନେଇ ଇସ୍ରୋ କହିଛି ଯେ ସୂର୍ଯ୍ୟ ହେଉଛି ନିକଟତମ ତାରା । ତେଣୁ ଏହାକୁ ଅନ୍ୟମାନଙ୍କ ତୁଳନାରେ ଅଧିକ ବିସ୍ତୃତ ଭାବରେ ଅଧ୍ୟୟନ କରାଯାଇପାରିବ । ସୂର୍ଯ୍ୟ ଅଧ୍ୟୟନ ସହ ଅନ୍ୟ ନକ୍ଷତ୍ରମାନଙ୍କ ବିଷୟରେ ଅନେକ କିଛି ଜାଣିହେବ ।
ସୂର୍ଯ୍ୟଙ୍କ ଉପରେ ଅନେକ ବିସ୍ଫୋରକ ଘଟଣା ଘଟୁଛି ଯାହା ଫଳରେ ଏହା ସୌର ମଣ୍ଡଳରେ ବିପୁଳ ପରିମାଣର ଶକ୍ତି ନିର୍ଗମନ କରିଥାଏ । ଯଦି ଏହିପରି ବିସ୍ଫୋରକ ସୌର ଘଟଣା ପୃଥିବୀ ଆଡକୁ ଥାଏ, ତେବେ ଏହା ପୃଥିବୀ ନିକଟସ୍ଥ ମହାକାଶ ପରିବେଶରେ ବିଭିନ୍ନ ପ୍ରକାରର ବିଶୃଙ୍ଖଳା ସୃଷ୍ଟି କରିପାରେ । ଏଭଳି ଘଟଣା ମହାକାଶଯାନ ଏବଂ ଯୋଗାଯୋଗ ପ୍ରଣାଳୀରେ ବ୍ୟାଘାତ ସୃଷ୍ଟି କରିପାରେ । ତେଣୁ ଏଭଳି ଘଟଣା ବିଷୟରେ ପ୍ରାକ୍ ଚେତାବନୀ ପୂର୍ବରୁ ସଠିକ୍ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ସୂର୍ଯ୍ୟ ମିଶନ୍ ଗୁରୁତ୍ୱପୂର୍ଣ୍ଣ ।
ସୂର୍ଯ୍ୟ ମିଶନ୍ ପାଇଁ ଇସ୍ରୋ ପୋଲାର ସାଟେଲାଇଟ୍ ଲଞ୍ଚ ଯାନ (ପିଏସ୍ଏଲଭି) ର ଅଧିକ ଶକ୍ତିଶାଳୀ ଭର୍ସନ ‘ଏକ୍ସଏଲ୍’ ବ୍ୟବହାର କରିଛି । ଏହି ରକେଟ୍ ୭ଟି ପେଲୋଡ୍ ସହିତ ମହାକାଶକୁ ଯାଇଛି । ୨୦୦୮ରେ ଚନ୍ଦ୍ରଯାନ-୧ ମିଶନ ଏବଂ ୨୦୧୩ ରେ ମଙ୍ଗଳ ଅର୍ବିଟର୍ ମିଶନ୍ (ଏମ୍ଓଏମ୍) ପାଇଁ ମଧ୍ୟ ପିଏସ୍ଏଲଭି-ଏକ୍ସଏଲ୍ ରକେଟର ବ୍ୟବହାର କରିଥିଲା ଇସ୍ରୋ । ୭ଟି ପେଲୋଡ୍ ମଧ୍ୟରୁ ଚାରିଟି ସିଧା ସୂର୍ଯ୍ୟଙ୍କ ନୀରିକ୍ଷଣ କରିବ ଏବଂ ଅବଶିଷ୍ଟ ତିନିଟି ‘ଏଲ୍୧’ ବିନ୍ଦୁରେ କଣିକା ଏବଂ କ୍ଷେତ୍ରର ଅଧ୍ୟୟନ କରିବେ । ଏହି ମିଶନର ମହାକାଶଯାନ ସହ ଯେଉଁ ପେଲୋଡ୍ ରହିଛି ତାହା ସବୁ ଭାରତୀୟ କମ୍ପାନୀଙ୍କ ଦ୍ବାରା ନିର୍ମିତ ।
ପ୍ରଥମେ ‘ଆଦିତ୍ୟ- ଏଲ୍୧’ ମହାକାଶଯାନକୁ ପୃଥିବୀର ନିମ୍ନ କକ୍ଷପଥରେ ରଖାଯିବ । ଏହାକୁ ପୁଣି ଦୀର୍ଘାବୃତ୍ତାକାର କରାଯିବ ଏବଂ ପରେ ଏଥିରେ ଲାଗିଥିବା ପ୍ରପଲସନ୍ ସିଷ୍ଟମ୍ ସହାୟତାରେ ମହାକାଶଯାନକୁ ଲାଂଗ୍ରେଞ୍ଜ ପଏଣ୍ଟ ‘ଏଲ୍୧’ ଆଡକୁ ଉତକ୍ଷେପଣ କରାଯିବ । ମହାକାଶଯାନ ‘ଏଲ୍୧’ ଆଡକୁ ଗତି କରିବା ସହ ଏହା ପୃଥିବୀର ମାଧ୍ୟାକର୍ଷଣ କ୍ଷେତ୍ରରୁ ବାହାରିଯିବ । ପୃଥିବୀର ମାଧ୍ୟାକର୍ଷଣ କ୍ଷେତ୍ରରୁ ବାହାରିବା ପରେ ଏହାର କ୍ରୁଜ୍ ପର୍ଯ୍ୟାୟ ଆରମ୍ଭ ହେବ ଏବଂ ପରେ ମହାକାଶଯାନକୁ ଏଲ୍୧ ଚାରିପାଖରେ ଏକ ବଡ଼ ଶୂନ୍ୟ କକ୍ଷପଥରେ ସ୍ଥାପିତ କରାଯିବ । ଏହା ଏଲ୍୧ ବିନ୍ଦୁରେ ପହଞ୍ଚିବାକୁ ପ୍ରାୟ ଚାରି ମାସ ସମୟ ଲାଗିବ ।